Latest Odisha News

BREAKING NEWS

ବାପା ଚାକିରୀ ପାଇଁ ପୁଅ ସାଜିଲା ପିତୃହନ୍ତା !

ରାମଗଡ: ଚାକିରୀ ଲୋଭରେ ବାପାକୁ ହତ୍ୟା କଲା ବେରୋଜଗାରିଆ ପୁଅ । ଝାଡଖଣ୍ଡ ରାମଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କାହାରି ନୁହେଁ ବରଂ ବାପା ଚାକିରୀ ପାଇଁ ପୁଅ ସାଜିଥିଲା ହତ୍ୟାକାରୀ ।

ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତର ୫୫ ବର୍ଷୀୟ ବାପା (ସିସିଏଲ୍‌) ସେଣ୍ଟ୍ରାଲ୍ କୋଲ୍ ଫିଲ୍ଡସ୍ ଲିମିଟେଡ୍‌ରେ ଚାକିରୀ କରୁଥିଲେ । ଅନ୍ୟପଟେ ନିଜେ ଚାକିରୀ ନ ପାଇ ଚିନ୍ତାରେ ବୁଡି ରହିଥିଲା ବେରୋଜଗାରିଆ ପୁଅ । ଶେଷରେ ପବ୍ଲିକ୍ ସେକ୍ଟର୍ ଅଣ୍ଡରଟେକିଂ ଅଧୀନରେ ବାପାର ଚାକିରୀ ହାତେଇବା ପାଇଁ ପୁଅ ସାଜିଥିଲା ପିତୃହନ୍ତା ।

ମୃତ କ୍ରିଷ୍ଣା ରାମ୍ ରାମଗଡ ଜିଲ୍ଲାର ବରକାକାନା ସ୍ଥିତ ସିସିଏଲ୍‌ରେ ମୁଖ୍ୟ ସୁରକ୍ଷାକର୍ମୀ ଭାବେ ନିଯୁକ୍ତ ଥିଲେ । ଗୁରୁବାର ସକାଳୁ କ୍ରିଷ୍ଣା ରାମଙ୍କ ଘରେ ପଡିଥିଲା ତାଙ୍କ ତଣ୍ଟି କଟା ମୃତଦେହ । ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା ସ୍ଥାନୀୟ ପୋଲିସ । ତେବେ ତଦନ୍ତରେ ଯାହା ସାମ୍ନାକୁ ଆସିଥିଲା, ତାହା ମୃତ କ୍ରିଷ୍ଣା ରାମଙ୍କ ସହକର୍ମୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ବି ଚକିତ କରିଥିଲା ।

ତଦନ୍ତ ରିପୋର୍ଟ ଅନୁଯାୟୀ ବୁଧବାର ରାତିରେ ୩୫ ବର୍ଷୀୟ ଅଭିଯୁକ୍ତ ପୁଅ ତଣ୍ଟି କାଟି ନିଜ ବାପାକୁ ହତ୍ୟା କରିଥିଲା । ଘଟଣାସ୍ଥଳରୁ ମୃତକଙ୍କ ମୋବାଇଲ ଫୋନ୍ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଛୋଟ ଧାରୁଆ ଅସ୍ତ୍ର ଜବତ ହୋଇଥିଲା ।

ଅନ୍ୟପଟେ ପୋଲିସ ଜେରାରେ ସତ ଓଗାଳିଥଲା ମୃତକଙ୍କ ବଡ ପୁଅ । ସିସିଏଲ୍‌ରେ ସହାନୁଭୂତି ଆଧାରରେ ଚାକିରୀ ପାଇବା ପାଇଁ ଖୋଦ ସେ ନିଜେ ବାପାକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ବାପା ହତ୍ୟା ଅଭିଯୋଗରେ ପୁଅକୁ ଗିରଫ କରି କୋର୍ଟ ଚଲାଣ କରିଛି ତଦନ୍ତକାରୀ ଦଳ ।

Leave A Reply

Your email address will not be published.