Latest Odisha News

BREAKING NEWS

ନିଯୁକ୍ତି ଦେବାରେ ଫେଲ୍ ସରକାର; ଦେଶରେ ବଢୁଛି ବେରୋଜଗାରୀ ହାର, ଗତ ୩ ମାସରେ ସର୍ବାଧିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଯୁକ୍ତି ସୃଷ୍ଟି ହେବା କହୁଥିବା ବେଳେ ଦେଶରେ କିନ୍ତୁ ବେରୋଜଗାରୀ ହାର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ବେରୋଜଗାରୀ ହାର ବଢ଼ି ୭.୮୦ ପ୍ରତିଶତ ହୋଇଛି, ଯାହା ଗତ ୩ ମାସରେ ସର୍ବାଧିକ ବୃଦ୍ଧି। ଗତ ଫେବ୍ରୁଆରୀ ମାସରେ ବେରୋଜଗାରୀ ହାର ୭.୪୫ ପ୍ରତିଶତ ରହିଥିଲା।

ମାର୍ଚ୍ଚ ମାସ ସରିବା ପରେ ଗତକାଲି(ଏପ୍ରିଲ୍ ୧) ତୁରନ୍ତ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ପକ୍ଷରୁ ମାର୍ଚ୍ଚ ମାସର ବେରୋଜଗାରୀ ହାର ପ୍ରକାଶ କରାଯାଇଥିଲା, ଯାହା ଭାରତ ପାଇଁ ନିରାଶଜନକ ରହିଛି।

CMIEର ଆକଳନ ଅନୁସାରେ, ମାର୍ଚ୍ଚରେ ସହରୀ ବେରୋଜଗାରୀ ହାର ଗତ ଫେବ୍ରୁଆରୀ ମାସ ଠାରୁ ବଢ଼ିଛି। ଫେବ୍ରୁଆରୀରେ ସହରୀ ବେରୋଜଗାରୀ ଗାର ୭.୯୩% ଥିଲା ବେଳେ ମାର୍ଚ୍ଚରେ ଏହାର ୮.୫୧କୁ ବୃଦ୍ଧି ପାଇଛି। ସେହିପରି ଗ୍ରାମିଣ ବେରୋଜଗାରୀ ହାର ୭.୨୩%ରୁ ବଢ଼ି ୭.୪୭% କୁ  ବୃଦ୍ଧି ହୋଇଛି।

ସୂଚନା ଥାଉକି ସରକାର ବେରୋଜଗାରୀ ହାର ନେଇ ନିଜର ମାସିକ ରିପୋର୍ଟ ଜାରି କରନ୍ତି ନାହିଁ। ଏଥିପାଇଁ ମୁମ୍ବାଇ ସ୍ଥିତ CMIE ଆକଳନ ଉପରେ ଇକୋନୋମିଷ୍ଟ ଓ ପଲିସିମେକର୍ସମାନେ କଡ଼ା ନଜର ରଖିଥାନ୍ତି।

ମାର୍ଚ୍ଚରେ କେଉଁ ରାଜ୍ୟରେ କେତେ ବେରୋଜଗାରୀ ?

ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ମାର୍ଚ୍ଚ ମାସରେ ସର୍ବାଧିକ ବେରୋଜଗାରୀ ହାର ହରିଆଣାରେ ରହିଥିଲା।  CMIE ଆକଳନ ଅନୁସାରେ, ମାର୍ଚ୍ଚରେ ଛତିଶଗଡ଼ରେ ସବୁଠାରୁ କମ୍ ବେରୋଜଗାରୀ ହାର ୦.୮୦ ପ୍ରତିଶତ ରହିଥିବା ବେଳେ ହରିଆଣାରେ ସବୁଠାରୁ ଅଧିକ ବେରୋଜଗାରୀ ହାର ୨୬.୮ ପ୍ରତିଶତ ରହିଛି। ତେବେ ସବୁଠାରୁ ଖୁସୀର କଥା ହେଲା ଆମ ରାଜ୍ୟରେ ଓଡ଼ିଶାରେ ବେରୋଜଗାରୀ ହାର କମ୍ ରହିଛି। ମାର୍ଚ୍ଚ ମାସରେ ଓଡ଼ିଶାରେ ବେରୋଜଗାରୀ ହାର ୨.୬ ପ୍ରତିଶତ ରହିଛି ବୋଲି CMIE ରିପୋର୍ଟ ପ୍ରକାଶ କରିଛି।

କେମିତି ନିର୍ଦ୍ଧାରଣ କରାଯାଏ ବେରୋଜଗାରୀ ଦର ?

ମାର୍ଚ୍ଚ ମାସରେ ବେରୋଜଗାରୀ ହାର ୭.୮ ପ୍ରତିଶତ ରହିବାର ଅର୍ଥ ହେଲା କାମ କରିବା ପାଇଁ ପ୍ରସ୍ତୁତ ଥିବା ପ୍ରତି ୧୦୦୦ ଶ୍ରମଜୀବୀରୁ ୭୮ ଜଣଙ୍କୁ କାମ ମିଳିପାରିଲା ନାହିଁ। ସେମାନେ ବେରୋଜଗାର ହୋଇ ରହିଯାଇଛନ୍ତି। CMIE ପ୍ରତିମାସରେ ୧୫ରୁ ଅଧିକ ବୟସ୍କ ଲୋକଙ୍କର ନିଯୁକ୍ତି ତଥ୍ୟ ଜାଣିବା ପାଇଁ ଘରକୁ ଘର ବୁଲି ସର୍ଭେ କରିଥାଏ। ଏହି ସର୍ଭେ ସରିବା ପରେ ସଂସ୍ଥା ବେରୋଜଗାରୀ ହାର ନେଇ ରିପୋର୍ଟ ପ୍ରକାଶ କରିଥାଏ।

Leave A Reply

Your email address will not be published.