Latest Odisha News

BREAKING NEWS

ଦେଶର ବଜେଟ : ଗୁଳି ଆଉ ଶୂଳୀର ବଜେଟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’

ରାତ୍ର ୧୨, ରକ୍ତନଦୀରେ ଜୋର୍‍ଦାର୍‍ ଜୀବନ ଜୁଆର । ଅଗଷ୍ଟ ୧୫…. ମଶାଲ ଲିଭିଯିବା ପରେ ଘଣ୍ଟା କଣ୍ଟା ପାଖରେ କିନ୍ତୁ ଅଣ୍ଟା ନୂଆଁଇ ଦେଇଛି ମୁକ୍ତିର ମିନିଟ୍ । ଘଣ୍ଟା କଣ୍ଟା ଘାଏଲ ହୋଇଛି ସ୍ୱପ୍ନର ସେକେଣ୍ଡ୍ । ରାଜନେତାମାନଙ୍କ ମଧ୍ୟରାତ୍ରିର ମହୋତ୍ସବରେ ପାଳିତ ହୋଇସାରିଛି ସ୍ୱାଧୀନତାର ପର୍ବ । ଏବେ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଦେଶସାରା ମହା ଧୁମ୍‌ଧାମରେ ପାଳିତ ହୋଇ ଯାଇଛି । ଏଇ ଅମୃତ ମହୋତ୍ସବରେ ଭାରତ ମନ୍ଥନରୁ ଯେଉଁ ଅମୃତ ବାହାରିଲା ତାକୁ ୭୫ବର୍ଷ ହେଲା ଦେଶର ୧୪୨କୋଟି ୮୦ ଲକ୍ଷରୁ ମାତ୍ର ୧୦ ଭାଗ ୧୪ କୋଟି ୨୮ ଲକ୍ଷ ଅମୃତ ପିଇ ପିିଇ ଚାଲିଛନ୍ତି ବାକି ୯୦ ଭାଗ ୧୨୮ କୋଟି ୫୨ ଲକ୍ଷ ହତଭାଗ୍ୟ ଭାରତବାସୀ ବିଷ ପିଇ ମର୍‌ମର୍ ।

ମହାମାରୀ କୋଭିଡ଼ ସିନା ସାରା ବିଶ୍ୱର ୮୦୦କୋଟି ମଣିଷଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଟିକେ କୋହଳ ହେବାରୁ ବିଶ୍ୱ ଫୁଟବଲ ମ୍ୟାଚ୍‌, ବିଶ୍ୱ କ୍ରିକେଟ ମ୍ୟାଚ୍ ଏବଂ ଏଇ ଜାନୁୟାରୀ ମାସରେ ଆମ ପ୍ରିୟ ଧନୀ ଓଡ଼ିଶାର ଗରିବଗୁରୁବାଙ୍କ ଆଖି ଝଲସିଯିବା ଭଳି ବିଶ୍ୱ ହକି ଖେଳ ଅନୁଷ୍ଠିତ ହୋଇଯାଇଛି । ରାଜକୋଷରୁ କୋଟି କୋଟି ଡ଼ଲାର ଓ ଟଙ୍କା ଖର୍ଚ୍ଚ କରାଯାଇ ବିଶ୍ୱଠାରୁ ରାଜ୍ୟ ପର୍ଯ୍ୟନ୍ତ କ୍ରିକେଟ, ଫୁଟବଲ, ହକି ଖେଳ ଦେଖି ବିଶ୍ୱବାସୀ, ଭାରତବାସୀ, ଓଡ଼ିଶାବାସୀ ଖୁସିରେ ଗଦ୍‌ଗଦ୍ ହୋଇପଡ଼ିଛେ । ଏଣେ ବର୍ଷେ ପାଖାପାଖି ରୁଷ-ୟୁକ୍ରେନ୍‍ ମଧ୍ୟରେ ଭୟଙ୍କର ରକ୍ତମୁଖା ଯୁଦ୍ଧ ଜାରି ରହିଛି । ପୁଣି ୨୦୨୫ରେ ଆମେରିକା-ଚୀନ୍ ଯୁଦ୍ଧ ଲାଗିବ ବୋଲି ଏବେଠୁ ଭବିଷ୍ୟତବାଣୀ ଶୁଣାଗଲାଣି । ଯୁଦ୍ଧ ମଣିଷ ସମାଜକୁ ଧ୍ୱଂସମୁଖୀ କରାଏ । ଯୁଦ୍ଧାସ୍ତ୍ର ଶିଶୁମାନଙ୍କ ହାତରେ ପଡ଼ିଲେ ସେମାନେ ଖେଳନା ବନ୍ଧୁକ ଭଳି ଖେଳନ୍ତି । ଏଣେ ୧୭ ଲକ୍ଷ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ଅପେକ୍ଷା କରିଛନ୍ତି ସମସ୍ତ ବିଶ୍ୱକୁ ଗ୍ରାସ କରିବାକୁ । ଗୋଟିଏ କ୍ଷୁଦ୍ର ଭୂତାଣୁ କୋଭିଡ଼-୧୯ କରୋନାର ଖେଳାଲୀଳା ସମଗ୍ର ବିଶ୍ୱବାସୀଙ୍କୁ ଥରଥର କରି ଚାଲିଛି । ଏ ବିଶ୍ୱରେ ଆଗକୁ ଭୟଙ୍କର ପ୍ରାକୃତିକ, ମନୁଷ୍ୟକୃତ ବିପତ୍ତି, ଭୂମିକମ୍ପ, ଦୁର୍ଭିକ୍ଷ, ମହାମାରୀ ପଡ଼ିବ ।

ପୃଥିବୀରୁ ୭ଶହ କୋଟି ୨୦ଲକ୍ଷ ମଣିଷ ପୋକମାଛି ମୂଳପୋଛ ହୋଇଯିବେ । ପଶୁପକ୍ଷୀଙ୍କ କଥା ପଚାରେ କିଏ ! ଏ ଘୋର କଳିକାଳ ଯୁଗରେ ମାଳିକାବାଣୀ ଅନୁସାରେ ଯଦିଚ କଳିହା, କଳଙ୍କିଆ, ଠକ,
ପାଜି, ଅତ୍ୟାଚାରୀ, ଶୋଷକ, ଯୌନବଳାତ୍କାରୀ, ବ୍ୟଭିଚାରୀ, ନାରୀ ଧର୍ଷଣକାରୀ, ରାଜକୋଷ ଲୁଟେରାଙ୍କ ମୁଣ୍ଡ ଆଗେ ଗଡ଼ିବ – ତଥାପି ନିରୀହ ନିର୍ଦ୍ଦୋଷ ଯେ ନିସ୍ତାର ଲଭିବେ, ଏହାର ବି କେଉଁ ନିଶ୍ଚିତତା ??

ଆମେ କିନ୍ତୁ ଟିକେ ଭାରତ ଆଡ଼କୁ ନଜର ପକାଇବା । ୨୦୨୩ ମସିହା ଅତି ଭୟଙ୍କର ବର୍ଷ ହେବାକୁ ଯାଉଛି । ୨୦୨୪ରେ କେନ୍ଦ୍ର ଓ ବହୁ ରାଜ୍ୟରେ କ୍ଷମତା ଦଖଲ ପାଇଁ ଭୋଟ ହେବ । ଆମେ ଭିକାରି ଠାରୁ ମହାମହା ଶିଳ୍ପପତି ପର୍ଯ୍ୟନ୍ତ ଖଣ୍ଡେ ଖଣ୍ଡେ ଭୋଟ ଦେଇ ଆମ ରାଜନୀତିକ ପ୍ରଭୁମାନଙ୍କୁ ଗାଦିସୀନ କରାଇବା । ସେମାନେ ଆମର ସବୁ ଦୁଃଖ ହରଣ କରି ଆମକୁ ଘିହମହୁରେ ଭସାଇଦେବେ । ଆମେ ସବୁ ଘିଅ ପିଇବା ଆଶାରେ କୋଉଦିନଠୁ ମେଘବର୍ଷାକୁ ଚାତକ ଚାହିଁ ରହିଲା ଭଳି ଚାହିଁ ରହିଛେ ।

ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ୱର ଦଶଜଣ ଧନୀଙ୍କ ଭିତରେ ନାହାଁନ୍ତି – ପ୍ରତିଦିନ ତାଙ୍କ ସମ୍ପତ୍ତି ଡୁବିବାରେ ଲାଗିଛି । ଆଦାନୀବାବୁଙ୍କ ଭୂତକମ୍ପାନୀ ଦେଶବିଦେଶରେ ପଞ୍ଜିକରଣ କରି ଋଣ ଉଠାଇଲେ । ଜୀବନବୀମା ନିଗମରୁ ୧୮ ହଜାର କୋଟି ନେଲେ । ପୃଥିବୀର ଦେଶବିଦେଶ ବ୍ୟାଙ୍କରୁ ଲକ୍ଷ ଲକ୍ଷ କୋଟି ଡଲାର୍‍ ଋଣ ଆଣିଲେ । ନିବେଶକମାନେ ୨୭୫ ଲକ୍ଷ କୋଟି ଟଙ୍କା ଖଟାଇଥିଲେ । ଯଦି ଏଲ୍‍.ଆଇ.ସି.ରେ ପେଟରୁକାଟି ଭବିଷ୍ୟତ ପାଇଁ ଟଙ୍କାରଖିଥିବା ଲୋକଙ୍କ ଟଙ୍କାଯାକ ବୁଡିଯିବ – ତାହା ହେଲେ ଦେଶରେ ଗୃହଯୁଦ୍ଧ ଲାଗିଯିବ – ପୁଞ୍ଜିପତିପୁଷ୍ଟ ରାଜନୀତି ଓ ଅପଲୁଣ୍ଠିତ ଅର୍ଥନୀତି ମଧ୍ୟରେ । ବ୍ୟାଙ୍କମାନେ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା କଷ୍ଟକର ହୋଇଯିବ ା ନିବେଶକମାନଙ୍କ ମଧ୍ୟରେ ହାହାକାର ପଡିଗଲାଣି । ଯେମିତି ଚିଟ୍‍ଫଣ୍ଡରେ ପୁରୀ ବଡଦାଣ୍ଡର ଭିକାରିଠାରୁ ଦେଶର ଗରିବ, ମଧ୍ୟବିତ୍ତ ଏପରିକି ଧନୀଲୋକମାନେ ଅଧିକ ଲାଭ ଆଶାରେ ଲୋଭରେ ପଡି ୧୦ ହଜାରରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ । ଏହି ଧୂର୍ତ ମହାଠକମାନେ ମନ୍ତ୍ରୀ, ଏମ୍‍.ଏଲ୍‍.ଏ. ନେତା, ଅଫିସରଙ୍କ ସହିତ ଭାବ ରଖି ଜମାକାରୀଙ୍କ ଟଙ୍କାକୁ ଚଳୁକରି ଆଡ୍ଡା କରୁଛନ୍ତି । ଶେଷରେ ଜେଲ୍‍ ଗଲେ, ଏବେ କେତେକ ମୁହଁ ଲୁଚାଇ ଅଜ୍ଞାତବାସରେ । ମହାଠକ ଗୌତମ ଆଦାନୀଙ୍କ ମୁଣ୍ଡରେ ଚଡକ ପଡିଲା । ତାଙ୍କ ସହ ଯୋଡି ହୋଇଥିବା ନେତା, ମନ୍ତ୍ରୀ, ଶାସକ, ପ୍ରଶାସକଙ୍କ ଛଇ ଛାଡିଯିବ ଛକେ ଛକେ – ଛ’ଦିନକେ । ଏବେ ବଜେଟ୍‍ରେ ‘ଆଦାନୀ’ ଆଦାନୀ କମ୍ପାମାନ ହେବ ।

ଧିକ୍‍ ତୁ ଅଧିକ : ହେ ଧ୍ରୁତ ଧନିକ । ଆମେ ଭାବୁଛୁ ଆଦାନୀ ବାବୁ ଯେଉଁ ମହାପାପ କରିଛନ୍ତି – କ୍ଷମା ମାଗି ଗୋଡତଳେ ପଡନ୍ତୁ – ବଞ୍ଚିବା ପାଇଁ ସ୍ୱଇଚ୍ଛାରେ ଚାକିରୀ କରନ୍ତୁ । ସେ ମୋଦି ବଗିଚାରେ ମାଳି ହେବେକି ମମତା ଗୁହାଳରେ ଛେଳି ହେବେ – ବିଚାର ଗୌତମ ଆଦାନୀଙ୍କର ।

ଏଇ ୨୦୨୩ ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ, ରେଳ ବଜେଟ, ପୁଲିସ୍ ସୈନ୍ୟଙ୍କ ପାଇଁ ବଜେଟ ପ୍ରମୁଖ ଉପସ୍ଥାପନ ହେଲା । ସତରେ ଆଜି ଦେଶ ଆଉ ରାଜ୍ୟର ବଜେଟ କ’ଣ ଅଦୃଶ୍ୟ ଗୁଳି ଆଉ ଶୂଳିର ବଜେଟରେ ପରିଣତ ହୋଇଯିବକି? ଏବେ ମାଳିକା ବଚନ କ’ଣ ସତରେ ପରିଣତ ହେବ କି? ସାତସମୁଦ୍ର ସଂସାରକୁ ଚଳୁ କରିଦେବ କି ? ବିଶ୍ୱରେ ସ୍ପର୍ଦ୍ଧା ପ୍ରଦର୍ଶନକାରୀ ବଡ଼ ବଡ଼ ସହର ପାଣି ଫୋଟକା ପାଲଟୁ ପାଲଟୁ ଆଖିପିଛୁଳାକେ ମିଳେଇଯିବ କି ? ସତେ କଣ ଭୂମିକମ୍ପରେ କୋଟି କୋଟି ପ୍ରାଣୀଙ୍କର ଜୀବଜଗତଟା କୁଣ୍ଠିତ, କୁବେରକୁଳସଞ୍ଚିତ ଧନସମ୍ପତ୍ତି ସମେତ ରସାତଳକୁ ଚାଲିଯିବ କି?  ଜଗତ ପରିଶେଷରେ ଗତ ବା ବିଗତ ହୋଇଯିବ କି ? ଏଇ କୋଟିଏ ଏକ ପ୍ରଶ୍ନର ଉତ୍ତର ଦେବ କିଏ? କିଏ ? ଆଁ ମେଲା ଆକାଶରେ ଧକ୍‍କା ଖାଇ ଅତଳ ଅନ୍ଧକାରର ଏ ତଳକୁ ଫେରିଆସୁଥିବା ଫୁଙ୍ଗୁଳା ପ୍ରତିଧ୍ୱିନି ?

ଏମନ୍ତ ଅବସ୍ଥାରେ ଆମେ ସବୁ ଗତି କରୁଛେ । ଏବେ ମୁଣ୍ଡ ଆଉ କାମ କରୁନି । ମନେ ରଖନ୍ତୁ ମୁକୁଟଠାରୁ ମୁଣ୍ଡ ମୂଲ୍ୟବାନ । ସମସ୍ତେ ମୁକୁଟପ୍ରେମୀ, ମୁଣ୍ଡ କାହାନ୍ତି! ଏହି ଭାରତରେ ଦି’ଟା ମୁଣ୍ଡ – ଗାନ୍ଧିଜୀ, ନେତାଜୀ ଥିଲେ । ସେ ମୁଣ୍ଡ ଦି’ଟାକୁ ଆମେ ହତଭାଗାଏ ତିନ୍‍ ନା ଚାରିଟା ଗୁଳିକରି, ଉଡ଼ାଜାହଜ ଦୁର୍ଘଟଣାର ଗୁଜବ ରଟାଇ ରଟାଇ ଚିରଦିନ ପାଇଁ ନିପାତ କରିଦେଲେ । ଏବେ ଖାଲି ଭାରତରେ କଥା କଥାକେ ମୁଣ୍ଡ ଗଡୁଛି । ଯୀଶୁ ଖ୍ରୀଷ୍ଟଙ୍କୁ ହତ୍ୟା କରିବା ଦିନଠୁ କେତେ କେତେ ମହାପୁରୁଷଙ୍କୁ ମୃତ୍ୟୁର ତୋଫା ଦିଆଗଲାଣି, ତାର ହିସାବ ଖୋଜିଲେ ମୁଣ୍ଡ ଘୂରିଯିବ ।

କେବଳ କଣ କ୍ଷମତା ପାଇଁ ହତ୍ୟା, ଏପରି ଅକାଳ ନିଧନ – ବରଂ ବେଆଇନ୍‍ ଧନସମ୍ପଦରକ୍ଷଣ, ଅଗମ୍ୟ ଗମନ, ବିଭୀଷିକାମୟ ବିଳାସୀବ୍ୟୂହଗଠନ ଇତ୍ୟାଦି ଅମାନୁଷିକ କ୍ରିୟାକର୍ମର କ୍ରମବର୍ଦ୍ଧିତ କାରଣ ପାଇଁ ସୁଦ୍ଧା ଏବେ ଖୁଲମଖୁଲ୍ଲା ମୁଣ୍ଡ ଗଡୁଛି ବିଚ୍‍ରାସ୍ତାର ଭଉଁରିଆ ଭିଡ ଭେଳିକି ଭିତରେ ବି ! ଏଣେ ଜନକୋଷରେ ପ୍ରତିପାଳିତ ଶାସନୀ ନେତାଏ ରୁଦ୍ଧକୋଠରିରେ ବସି ଏଥର ଦେଶରକ୍ଷା ପାଇଁ ସୈନିକମାନଙ୍କ ନିମିତ୍ତ, କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ପାଇଁ ପୁଲିସ୍‍ ବାହିନୀ ନିମନ୍ତେ ବଜେଟ୍‍ରେ ମୋଟା ଅଙ୍କର ବ୍ୟୟବରାଦ କରିଚାଲିଥିବେ – ତେଣେ ସୈନ୍ୟବାହିନୀ ରେସନ୍‍ର ସିଂହଭାଗକୁ କେତେକିଏ ଖଳୁଧର୍ମାଏ ଚଳୁକରିଦେଇ ଆମ ବୀର ଯବାନମାନଙ୍କୁ ଦରପେଟା କରିରଖିବାର କୂଟଚକ୍ରାନ୍ତରେ ମନ୍ତ୍ରଣାରତ ଥିବେ !! ଆହୁରି ପୁଣି ସରକାରୀ ଶଠପୁଞ୍ଜିପତିଙ୍କ ସିନ୍ଦୁକ ସମେତ ସେମାନଙ୍କ ରକ୍ଷାସୁରକ୍ଷାରେ ପୁଲିସ୍‍ ପହରା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ଉପରୁ ବି ନଜର୍‍ ହଟାଇ ହେଉନାହିଁ । ତାହେଲେ ଏମାନେ କଣ ସତରେ ଦେଶରକ୍ଷା ଆଉ ଆମ ସାଧାରଣ ଜନତାଙ୍କୁ ସୁରକ୍ଷା ଦେଇପାରିବେ ?

ଆଗାମୀ କେନ୍ଦ୍ର ଓ ରାଜ୍ୟ ବଜେଟରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ମୁଣ୍ଡରେ ସରକାରଙ୍କ ଋଣର ପାହାଡ଼ ଲଦାଯାଇଛି ଏବଂ ଲଦାଯିବ । ଆମକୁ ମାଗଣା ଖୁଆଇବେ, ବିଷର ଭଣ୍ଡାର ଉପହାର ଦେଲେ ।
ଆମେସବୁ ମାଗଣା ଖିଆ ବିଷାକ୍ତ ଜଳ, ବାୟୁ, ଖାଦ୍ୟକୁ ପେଟେ ପେଟେ ଖାଇପିଇ ଛଟପଟ ହୋଇ ପ୍ରାଣ ହରାଇବା ଶେଷକୁ । ଆମେ ଭାରତର ଭୂମିପୁତ୍ରମାନେ ମୋଗଲର ୪୦୦ ବର୍ଷ, ବ୍ରିଟିଶର ୨୦୦ ବର୍ଷ – ଏଭଳି ମୋଟାମୋଟି ୬୦୦ ବର୍ଷ ଗୋଲାମୀ ଖଟିଆସିଛେ । ଆମ ଶିରାପ୍ରଶିରାରେ ଗଳିତ ଗୋଲାମିର ରକ୍ତ କାହିଁ କେଉଁ କାଳରୁ ପ୍ରବାହିତ ହୋଇ ଧମନୀଗୁଡାକୁ ବି ଦୂଷିତ କରିଦେଲାଣି । ଆଃ…. ମଣିଷର ଆର୍ତ୍ତନାଦ ଆଜି ଥରାଇ ଦେଉଛି ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ । ଅନ୍ତହୀନ ଆଜି ବି ଦନ୍ତୁରିତ ଦୁଃଖର ଦିନକାଳ ।

ଏଥର ବଜେଟ୍‍ରେ ପ୍ରଧାନମନ୍ତ୍ରୀ ମୋଦିବାବୁ, ଅର୍ଥମନ୍ତ୍ରୀ ନିର୍ମଳାଦେବୀ ଆମ ଭାରତବାସୀଙ୍କୁ ‘ଅମୃତ’ ପିଆଇବା ପାଇଁ କଣ୍ଠଫଟା ଚିତ୍‍କାର କରିଛନ୍ତି । ଏଥିପାଇଁ ୧୪ କୋଟି ୪୦ ଲକ୍ଷ କୋଟି ଟଙ୍କା ଋଣ କରିବେ । ଭଲକଥା ! ବିଷାମୃତ ପିଇପିଇ ହାଲିଆ ହୋଇଗଲୁଣି – ଏଣିକି ରୁଟି, କପଡା, ମକାନ୍‍ର ‘ଅମୃତ’ ଟୋପେଟୋପେ ଦିଅ । ଏ ଅଧମର ପ୍ରିୟମଣିଷମାନେ ମାଟିର ମଣିଷ । ବାଟି ବାଟି ବଞ୍ଜର ଭୂମିର ବିପର୍ଯ୍ୟସ୍ତ ମଣିଷ । ସେମାନେ ବୁଝନ୍ତି ନାହିଁ ବିଳମ୍ବିତ ନ୍ୟାୟର ସଂଳାପ-ବିଡମ୍ବିତ ଧର୍ମର ପ୍ରଳାପ-ରକ୍ତମୁଖା ରାଜନୀତିର ଅପର୍ଯ୍ୟାପ୍ତ ଅପଳାପ । କିଏ ବୁଝେ ସେମାନଙ୍କ କଥା? କିଏ ଶୁଣେ ସେମାନଙ୍କ ବ୍ୟଥା? ନା ନେତା ନା ନିୟନ୍ତା- ନା ଧର୍ମଗୁରୁ ନା ଧନ କୁବେର- ନା ସଜ୍ଜନ ନା ସଇତାନ ? ଏଇ ବଞ୍ଚିତ ମଣିଷମାନଙ୍କ ବହୁ ବସୁଧାର କୌଟୁମ୍ବିକତା ପ୍ରତି ଆଜି ପଦେ ପଦେ ବିପଦ । ସେମାନଙ୍କୁ ନିଜ ନିଜ ନିର୍ଘାତ ସ୍ୱାର୍ଥର ଜାନ୍ତବ ଯଜ୍ଞବେଦୀରେ ଆହୂତି ଦେବାକୁ ସର୍ବବିଧ ପ୍ରସ୍ତୁତି ଚାଲିଛି ଚାରିଆଡ଼େ । ସେମାନେ ନିରନ୍ନ, ନିରୀହ-ନିଜ ଘାତକତନ୍ତ୍ରକୁ ହିଁ ଶାସନତନ୍ତ୍ରର ସିଂହାସନ ଯୋଗାଇଦେବା ପାଇଁ ଭୋଟ ଦେଇଆସୁଛନ୍ତି କାହିଁ କେଉଁ କାଳୁ । ସେମାନଙ୍କୁ ସ୍ୱର୍ଗ ଦେବାର ପ୍ରତିଶ୍ରୁତି ଦେଇ ସ୍ୱଧର୍ମପ୍ରତାରିତ କରି ଚାଲିଥିବାବେଳେ, ସେମାନଙ୍କ ମତରେ ମାଲିକାନା ଜାହିର କରୁଛି ରାଜନୀତି ।

ଅର୍ଥନୀତିର ଅଜଗର ପୁଣି ସେମାନଙ୍କ ପୋଡା ପେଟର ପାତାଳ ପର୍ଯ୍ୟନ୍ତ ପହଞ୍ଚି ଠାବ କରୁଛି ଅନାବିଷ୍କୃତ ରତ୍ନାଗାର… । ଟିପି ରଖୁଛି ଖଣିରୁ ମଣି ପର୍ଯ୍ୟନ୍ତ ସମସ୍ତ ସ୍ତୁପିକୃତ ସମ୍ପଦର ତାଜା ଖବର । ଲୁଣ୍ଠିତ, ଭୁଲୁଣ୍ଠିତ ମଣଷ ଦଳ । ସେ ମଣିଷ । ଓଡ଼ିଶାର ମଣିଷ । ଭାରତର ମଣିଷ । ଦୀନ ଦୁନିଆର ବିଦୀର୍ଣ୍ଣ ପତାକାବାହୀ ମଶାଲଲିଭା ମଣିଷ । ହେ ଭଙ୍ଗା ହାଣ୍ଡିର ଭାରତବର୍ଷ ! ସତରେ କଣ ସରିଯାଇଛି ସବୁ ସଂକଳ୍ପ? ସବୁ ସଂଘର୍ଷ? ବାକି ଅଛି ଆଜି ବି ନେତାର ନକ୍‌ସା ଆରପଟେ ଜୀବନ ସଂଗ୍ରାମର ସ୍ୱାଧୀନତା ପାଇଁ ଜନତା ଜୟଯାତ୍ରା । ହଁ, ଜୀବନ ସଂଗ୍ରାମର ସ୍ୱାଧୀନତା ! ପଛକୁ ଚାହିଁଲେ ଅନ୍ଧାର-ଆଗକୁ ଚାହିଁଲେ ଆଲୋକ । ଲଢ଼…ଲଢ଼…ଲଢ଼ ! ତମ କୁରୁକ୍ଷେତ୍ରରେ କଅଁଳିବ ନୂଅ ସ୍ୱପ୍ନର କଢ ।

ଯାଜପୁରରୋଡ଼, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.