Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଲୋଚନା ସମୟରେ ସୁନ୍ଦରଗଡ଼ରେ ଏମସ ପ୍ରତିଷ୍ଠା କରିବାକୁ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଟିପିସି ଦ୍ବାରା ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ୧୦୦ ସିଟର ମେଡିକାଲ କଲେଜ ସ୍ଥାପନ ହୋଇଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏନେଇ ରାଜ୍ୟ ସରକାର କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଥିଲେ ବି କୌଣସି ପଦକ୍ଷେପ ନିଆଯାଉନଥିବା କହିଛନ୍ତି ନବୀନ ।

ସେହିପରି ଅନୁଗୁଳରେ ଏମସିଏଲ ମେଡିକାଲ କଲେଜ ସ୍ଥାପନ ହୋଇଥିବା ବେଳେ ଏହାର ପରିଚାଳନା ପ୍ରତି ଗୁରୁତ୍ବ ଦିଆଯାଉନାହିଁ । ଏଥିସହ କ୍ଲିନ ଏନର୍ଜି ସେସର ୬୦ ପ୍ରତିଶତ ଓଡ଼ିଶାକୁ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ୪୦୦ ଟଙ୍କା ପ୍ରତି ଟନ୍ ହିସାବରେ କ୍ଲିନ ଏନର୍ଜି ସେସ୍ ସଂଗ୍ରହ କରୁଥିବା ବେଳେ, ଏହାର ମୂଲ୍ୟ ୫୦ ହଜାର କୋଟି ଟଙ୍କାରୁ ଅଧିକ ହେବ । ଏଥିରୁ ୩୦ ହଜାର କୋଟି ରାଜ୍ୟକୁ ମିଳିଲେ ଖଣି ଅଞ୍ଚଳରେ ବିକାଶ ସହ ବିସ୍ଥାପିତ ଲୋକେ ଲାଭବାନ ହେବେ । ତେଣୁ ରାଜ୍ୟର ଦାବିକୁ କେନ୍ଦ୍ର ପୂରଣ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.