Latest Odisha News

ଶାସନ ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଟାକ୍ଷ: ଉଠାଇଲେ ଶଶିକଳା ସିଣ୍ଡ୍ରୋମ

ଭୁବନେଶ୍ୱର: ନବୀନଙ୍କୁ ଟେକିଲେ । ହେଲେ ତାଙ୍କ ସରକାର  ଉପରେ ବର୍ଷିଲେ । ପିଠି ଆଉଁସି କଡା ଭାଷାରେ ନବୀନ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କହିଛନ୍ତି, ‘  ମୁଁ ଯେତିକି ନବୀନ ପଟ୍ଟନାୟକଙ୍କୁ ଜାଣେ, ଏହା ନବୀନ ବାବୁଙ୍କ ସ୍ଵଭାବ ବିରୋଧୀ । କେବେ ବି ଅଗଣତାନ୍ତ୍ରିକ କାମକୁ ନବୀନ ବାବୁ ପ୍ରଶୟ ଦେବେନି` ।‘ ବିରୋଧୀ ଦଳ ଭାବେ ତାଙ୍କଠାରୁ ଏହା ଆଶା କରନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ଶାସନ ବ୍ୟବସ୍ଥାକୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଗଣତନ୍ତ୍ର ଶାସନ ଲୋପ ପାଇଗଲାଣି । ହେଲେ ବର୍ତ୍ତମାନର ଶାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ସ୍ୱଭାବ ବିରୋଧୀ ଶାସନ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କେବେ ବି ଅଗଣତାନ୍ତ୍ରିକ କାମକୁ ପ୍ରଶୟ ଦେବେନି ବୋଲି ତାଙ୍କଠାରୁ ଆଶା ରଖିଥିବା ସେ  କହିଛନ୍ତି ।

ଅନ୍ୟପଟେ ଅପରାଜିତାଙ୍କୁ ବିରୋଧ ଘଟଣାରେ ପ୍ରଶାସନିକ ଅଧିକାରୀଙ୍କୁ କଡା ସମାଲେଚାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।   ଗତକାଲି   ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଯେପରି ଆକ୍ରମଣ କରାଯାଗଲା ଏହା ପ୍ରାୟୋଜିତ ଏବଂ  ପ୍ରଶାସନିକ ଅଧିକାରୀ ମାନେ ଏହାର ଷଡ଼ଯନ୍ତ୍ରକାରୀ  ବୋଲି ସେ କହିଛନ୍ତି ।  ବ୍ରିଟିଶ ଶାସନ ସହ ତୁଳନା କରି ଶ୍ରୀ ପ୍ରଧାନ କହିଥିଲେ,  ବ୍ରିଟିଶ ରାଜରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀମାନଙ୍କର ଦମ୍ଭ ବି ଏଭଳି ଥିଲା  ।

ସେତିକୁ ନୁହେଁ, ଆଜି ପୁଣି କେନ୍ଦ୍ରମନ୍ତ୍ରୀ ଶଶିକଳା ସିଣ୍ଡ୍ରୋମ ଉଠାଇଛନ୍ତି । ଝାରସୁଗୁଡା ଉପ ନିର୍ବାଚନ ବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ରାଜ୍ୟରେ ଏବେ ଶଶିକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ହେଲେ ସମସ୍ତେ ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ରହିବା ଉଚିତ୍ ।  ଅନ୍ୟପକ୍ଷେ  କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତିକୁ ଖଣ୍ଡନ କରିଛି ବିଜେଡି  । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, କେନ୍ଦ୍ରମନ୍ତ୍ରୀ କେଉଁଥିପାଇଁ କହିଲେ ଏକଥା ସେ ହିଁ ଜାଣିଥିବେ । ସେମିତି କିଛି ସ ଅନୁଭବ କରୁନାହାନ୍ତି । ସେହିପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ନାହିଁ ବୋଲି ସରକାର କେମିତି କହୁଛନ୍ତି ? ଯଦି ଗଣତନ୍ତ୍ର ନାହିଁ ତେବେ କେନ୍ଦ୍ର ସରକାର କ‘ଣ ଅଗଣତାନ୍ତ୍ରିକ ସରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.