Latest Odisha News

BREAKING NEWS

ପାଞ୍ଚ ଟ୍ରିଲିୟନ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ‘ପୂର୍ବୋଦୟ’: ଧର୍ମେନ୍ଦ୍ର ପ୍ରଧାନ

କୋଲକାତା/ଭୁବନେଶ୍ୱର: କୋଲକାତା ଠାରେ ସମନ୍ୱିତ ଇସ୍ପାତ ହବ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭକରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଲକାତା ଠାରେ ସେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ପାଂଚ ଟ୍ରିଲିୟମ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ହେଉ ବା ସାମାଜିକ ସଂସ୍କାର ଆନ୍ଦୋଳନ ହେଉ ପୂର୍ବ ଭାରତ ସମଗ୍ର ଦେଶକୁ ନେତୃତ୍ୱ ଦେଇଛି । ପୂର୍ବ ଭାରତରେ ଅସୀମ ସମ୍ଭାବନା ରହିଛି । ଏଠାରେ ବିପୁଳ ମାତ୍ରାରେ ପ୍ରାକୃତିକ ସମ୍ବଳ ଥିଲେ ସୁଦ୍ଧା ଦେଶର ଅନ୍ୟ ଭାଗ ତୁଳନାରେ ଏହି ଅଂଚଳ ସାମାଜିକ- ଆର୍ଥିକ ବିକାଶ କ୍ଷେତ୍ରରେ ପଛରେ ପଡିଛି । ତେଣୁ ସମନ୍ୱିତ ଇସ୍ପାତ ହବ ଜରିଆରେ ଇସ୍ପାତ କ୍ଷେତ୍ରରେ ଦୃତ ବିକାଶ ଜରିଆରେ ‘ପୂର୍ବୋଦୟ’ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

ଧର୍ମେନ୍ଦ୍ର କହିଛନ୍ତି ଯେ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶ ପାଇଁ ସଂପୂର୍ଣ ଧ୍ୟାନ ଦେଉଛନ୍ତି । ଦେଶରେ ଥିବା ଆକାଂକ୍ଷୀ ଜିଲ୍ଲା ମାନଙ୍କ ମଧ୍ୟରୁ ଅଧା ଜିଲ୍ଲା ଏହି ଅଂଚଳର । ଏହି ଅଂଚଳରେ ଭିତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି ଯେ ଏକ ବିଂଶ ଶତାବ୍ଦୀ ଜ୍ଞାନ ଓ ଟେକ୍ନୋଲଜିର ଶତାବ୍ଦୀ ହେବାକୁ ଯାଉଛି । ନୂଆ ଟେକ୍ନୋଲଜି ଅର୍ଥନୀତି ଓ ସମାଜର ଆକାରକୁ ବଦଳାଉଛି । ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ ହବ ଓଡିଶା, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମ ବଙ୍ଗ, ଉତର ଆନ୍ଧ୍ର ପ୍ରଦେଶର ସାମାଜିକ- ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

Leave A Reply

Your email address will not be published.