Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ କହିଲେ କାହିଁକି ଏକନାଥ ସିନ୍ଦେ ଦଳ ବିରୋଧରେ ବିଦ୍ରୋହ କଲେ ?

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ଦାବି କରିଛନ୍ତି । ମଙ୍ଗଳବାର ଇସ୍ତଫା ଦେବା କରି ସେ କହିଛନ୍ତି ଯେ ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କିଛି ବିଧାୟକ ଏବେ ସୁରତରେ ରହିଛନ୍ତି। ଯେଉଁସଂଖ୍ୟାରେ ବିଧାୟକ ସୁରତରେ ରହିଛନ୍ତି ତାହା ଦଳ ବିରୋଧରେ ଏକ ବିଦ୍ରୋହ। ସେହି ସଂଖ୍ୟାକୁ ଦେଖିଲେ ବିଧାନସଭାରେ ଶିବସେନା ସରକାର ଗଢିବା ପାଇଁ ଆବଶ୍ୟକ ଥିବା ବିଧାୟକ ସଂଖ୍ୟା ନାହିଁ। ତେଣୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ବୋଲି ନାରାୟଣ ରାଣେ ଦାବି କରିଛନ୍ତି।

ଯଦିଓ ସିନ୍ଦେ ଏଯାବତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି, ତଥାପି ଏହି ପୂର୍ବତନ ଶିବସେନା ନେତା ରାଣେ କହିଛନ୍ତି ଯେ ଶିବସେନାରୁ ଅଲଗା ହେବା ପାଇଁ ସିନ୍ଦେ ଏକ ‘ଉଚିତ ନିଷ୍ପତ୍ତି’ ନେଇଛନ୍ତି। କାରଣ ସିନ୍ଦେଙ୍କ ଏହି ପଦକ୍ଷେପ ଯୋଗୁଁ ଉଦ୍ଧବ ଠାକରେଙ୍କ ପାଖରେ ବିଧାନସଭାରେ ପର୍ଯ୍ୟାପ୍ତ ବିଧାୟକଙ୍କ ସମର୍ଥନ ନାହିଁ। ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରନ୍ତୁ ବୋଲି ରାଣେ ଦାବି କରିଛନ୍ତି।

ରାଣେ ହେଉଛନ୍ତି ପ୍ରଥମ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ଯିଏ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ନିଜର ମତ ରଖିଛନ୍ତି। ଅନ୍ୟ ବିଜେପି ନେତା କିନ୍ତୁ ଏବାବଦରେ ଖୋଲାଖୋଲି କିଛି ନକହି ନିରବ ରହିଛନ୍ତି। ତେବେ ଏକନାଥ ସିନ୍ଦେଙ୍କ ନିଷ୍ପତ୍ତିକୁ ନେଇ ଅନେକ ବିଜେପି ନେତା ଏବେ ହାତେ ମାପି ଚାଖଣ୍ଡେ ଚାଲିବା ଭଲି ସତର୍କତାର ସହ କାମ କରୁଛନ୍ତି ।

ଶିବସେନାରେ ସିନ୍ଦେଙ୍କୁ ଦଳ ମୁଖ୍ୟ ଉଦ୍ଧବ ଠାକରେ ସମ୍ମାନର ସହ ଗ୍ରହଣ କରିନଥିଲେ। ଠାକରେଙ୍କ ପୁଅ ତଥା କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଏବଂ ତାଙ୍କ ସମ୍ପର୍କୀୟ ଭାଇ ବରୁଣ ସରଦେଶାଇ ମଧ୍ୟ ସିନ୍ଦେଙ୍କ ନିୟନ୍ତ୍ରଣାଧୀନ ନଗର ଉନ୍ନୟନ ବିଭାଗରେ ହସ୍ତକ୍ଷେପ କରୁଥିଲେ। ତେଣୁ ସେ ଶିବସେନା ଛାଡ଼ିବା ଠିକ୍ ନିଷ୍ପତ୍ତି ବୋଲି ରାଣେ କହିଛନ୍ତି।

ତେବେ ବୁଧବାର କିମ୍ବା ଗୁରୁବାର ମଧ୍ୟରେ ମହାରାଷ୍ଟ୍ରରେ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ରାଣେ ଦାବି କରିଛନ୍ତି ଯେ ମଙ୍ଗଳବାର ମୁମ୍ବାଇସ୍ଥିତ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଠାକରେ ଡକାଇଥିବା ବୈଠକରେ ସେନାର ମାତ୍ର ୧୧ ଜଣ ବିଧାୟକ ଉପସ୍ଥିତ ଥିଲେ।

ଶିବସେନା ସାଂସଦ ସଞ୍ଜୟ ରାଉତ ଦାବି କରିଥିଲେ ଯେ ଅତି କମରେ ୩୦ ଜଣ ବିଧାୟକ ‘ବର୍ଷା’ରେ ବୈଠକରେ ଯୋଗ ଦେଇଥିବା ବେଳେ ୧୪-୧୫ ଜଣ ବିଧାୟକ ସୁରତରେ ସିନ୍ଦେଙ୍କ ସହ ଅଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ୫୫ ଜଣ ବିଧାୟକ ରହଛନ୍ତି ।

Leave A Reply

Your email address will not be published.