ନୂଆଦିଲ୍ଲୀ: ପେଟ୍ରୋଲ୍ ପମ୍ପଗୁଡ଼ିକରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଆଉ ଗ୍ରହଣ କରାଯିବ ନାହିଁ । ଏହି ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଥିବା ବେଳେ ଏବେ ଦେଶର ପ୍ରମୁଖ ତୈଳ କମ୍ପାନୀ ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ସ୍ପଷ୍ଟ ଭାବରେ କହିଛି ଯେ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତିକର ଏବଂ ଭିତ୍ତିହୀନ । ପେଟ୍ରୋଲ୍ ପମ୍ପଗୁଡ଼ିକରେ ୟୁପିଆଇ କାରବାର ଉପରେ କୌଣସି ପ୍ରକାର କଟକଣା ଲଗାଯାଇନାହିଁ ।
ଗତ କିଛି ଦିନ ହେବ ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ବାର୍ତ୍ତା ଘୂରି ବୁଲୁଥିଲା । ଏଥିରେ ଦାବି କରାଯାଇଥିଲା ଯେ ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପ ମାଲିକମାନେ ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ଇନ୍ଦୋରଠାରେ ‘ନୋ ୟୁପିଆଇ ଡେ’ ବା ୟୁପିଆଇ ବର୍ଜନ ଦିବସ ପାଳନ କରିବେ ଏବଂ ୨୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ୟୁପିଆଇ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବେ। ନୂତନ ମର୍ଚ୍ଚାଣ୍ଟ ଫି’ ବା ଏମଡିଆର ଚାର୍ଜ ଲାଗୁ ହେବାକୁ ବିରୋଧ କରି ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଥିଲା ।
ଏହି ଗୁଜବକୁ ଖଣ୍ଡନ କରି ଇଣ୍ଡିଆନ୍ ଅଏଲ୍ ପକ୍ଷରୁ କୁହାଯାଇଛି ଯେ, ପେଟ୍ରୋଲିୟମ୍ ଡିଲର ଆସୋସିଏସନ୍ କିମ୍ବା କୌଣସି ପେଟ୍ରୋଲ୍ ପମ୍ପ ମାଲିକଙ୍କ ପକ୍ଷରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ । ଯେଉଁ ବ୍ୟକ୍ତିମାନେ ପେଟ୍ରୋଲ୍ ପମ୍ପ ବ୍ୟବସାୟ ସହ ଆଦୌ ଜଡ଼ିତ ନାହାନ୍ତି, ସେମାନେ ହିଁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଗୁଜବ ସୃଷ୍ଟି କରି ଲୋକଙ୍କୁ ଭୟଭୀତ କରୁଛନ୍ତି । କମ୍ପାନୀ ଦର୍ଶାଇଛି ଯେ, ପେଟ୍ରୋଲିୟମ୍ ଡିଲର ଆସୋସିଏସନର ସଦସ୍ୟମାନେ କ୍ରମାଗତ ଭାବେ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧିକାରୀଙ୍କ ସମ୍ପର୍କରେ ଅଛନ୍ତି ଏବଂ କେବେବି ଧର୍ମଘଟର ଡାକରା ଦିଆଯାଇ ନାହିଁ । ବରଂ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବାରେ ପେଟ୍ରୋଲ୍ ପମ୍ପଗୁଡ଼ିକ ସବୁବେଳେ ଆଗଧାଡ଼ିରେ ରହିଆସିଛନ୍ତି ।
ପ୍ରକାଶ ଥାଉ କି, ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ନିକଟରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ଯେଉଁଥିରେ ଆସନ୍ତା ଅକ୍ଟୋବର ୧୫ ତାରିଖରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ବ୍ୟବସାୟୀଙ୍କ ପାଇଁ ୫ ଟଙ୍କାର ଏକ ଫ୍ଲାଟ୍ ଏମଡିଆର ଶୁଳ୍କ ଲାଗୁ କରିବା ନେଇ ଘୋଷଣା କରାଯାଇଥିଲା । ତେବେ ଏହି ଶୁଳ୍କ କେବଳ ବ୍ୟବସାୟୀ ବା ପମ୍ପ ମାଲିକ ବହନ କରିବେ ଏବଂ ଏଥିପାଇଁ ସାଧାରଣ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଦେୟ ଆଦାୟ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଏହି ନିୟମକୁ ନେଇ କିଛି ପେଟ୍ରୋଲ ପମ୍ପ ମାଲିକ ଚିନ୍ତା ପ୍ରକଟ କରିଥିଲେ ମଧ୍ୟ ପେମେଣ୍ଟ ବନ୍ଦ କରିବା ଭଳି ଚରମ ନିଷ୍ପତ୍ତି କେହି ନେଇନାହାନ୍ତି ।

