Latest Odisha News

ସାନିଆ ମିର୍ଜା ହେବେ ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ୍

ନୂଆଦିଲ୍ଲୀ : ବାପା ଜଣେ ଟିଭି ମେକାନିକ । ଝିଅ ହେବାକୁ ଯାଉଛନ୍ତି ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ୍ । ଉତ୍ତରପ୍ରଦେଶରେ ରହୁଥିବା ସାନିଆ ମିର୍ଜା ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ୧୪୯ତମ ରାଙ୍କ ହାସଲ କରିଛନ୍ତି । ସେ ୟୁପିର ପ୍ରଥମ ମହିଳା ଫାଇଟର ପାଇଲଟ୍ ହେବେ । ୨୭ ଡିସେମ୍ୱରରୁ ପୁଣେରେ ସେ ଟ୍ରେନିଂ  ଆରମ୍ଭ କରିବାକୁ ଯାଉଛନ୍ତି ।

ସାନିଆଙ୍କ ଘର ମିର୍ଜାପୁରରୁ ୧୦ କିଲୋମିଟର ଦୂର ଜସୋବର ଗାଁରେ । ଗାଁ ସ୍କୁଲରେ ସେ ଦଶମ ପଢିଛନ୍ତି । ହିନ୍ଦି ମିଡିଅମରେ ଦ୍ୱାଦଶ ପଢିଛନ୍ତି । ସାନିଆଙ୍କ ପିତା ସାହିଦ ଅଲି ଜଣ ଟିଭି ମେକାନିକ । ନିଜ ଘରେ ହିଁ ସେ ଖଣ୍ଡେ ଦୋକାନ କରି ଘର ଚଳାଉଛନ୍ତି । ଏନଡିଏର ରେଜଲ୍ଟ ପ୍ରକାଶ ପାଇବା ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି । ସାନିଆ କହିଛନ୍ତି, ‘ମୁଁ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ଅବନୀ ଚୁତୁର୍ବେଦୀଙ୍କ ଇଣ୍ଟରଭ୍ୟୁ ପଢିଥିଲି । ସେବେଠାରୁ ମୋ ମନରେ ପାଇଲଟ ହେବାର ଇଚ୍ଛା ଜାଗ୍ରତ ହୋଇଥିଲା’ । ପ୍ରଥମ ଥର ବିଫଳ ହୋଇଥିଲେ, ଦ୍ୱିତୀୟ ଥରରେ କୃତକାର୍ଯ୍ୟ ହୋଇ ପାଇଲଟ୍ ହେବାକୁ ସୁଯୋଗ ପାଇଥିବାରୁ ତାଙ୍କ ପିତା ଶାହିଦ୍ ଅଲି ନିଜକୁ ଗର୍ବିତ ଅନୁଭବ କରିଛନ୍ତି ।

ଚଳିତବର୍ଷ ଏନଡିଏ ପରୀକ୍ଷାରେ ମୋଟ ୪୦୦ ସିଟ୍ ଥିଲା । ଏଥିରୁ ୧୯ଟି ସିଟ୍ ମହିଳାଙ୍କ ପାଇଁ ଥିଲା । କେବଳ ୨ଟି ସିଟ୍ ଫାଇଟର ପାଇଲଟ୍ ପାଇଁ ସଂରକ୍ଷିତ ଥିଲା । ଯେଉଁଥିରୁ ଗୋଟିଏରେ ସାନିଆ ମିର୍ଜା ଚୟନ ହୋଇଛନ୍ତି ।

Leave A Reply

Your email address will not be published.