Latest Odisha News

BREAKING NEWS

ସ୍ୱାସ୍ଥ୍ୟ ଗବେଷଣା ପାଇଁ ଭୁବନେଶ୍ୱର ଏମ୍ସ ସହ ଚୁକ୍ତି କରିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଓ ଗୌରବ ଉତ୍କଳ ବିଶ୍ବବିଦ୍ୟାଳୟ। ଓଡ଼ିଶା ଏବଂ ଅନ୍ୟ ରାଜ୍ୟ ସହିତ ବିଶ୍ୱସମୁଦାୟର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଥମ ପସନ୍ଦ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଆପଣ ଯେଉଁ କ୍ଷେତ୍ରକୁ ଯିବେ ସବୁଠାରେ ଉତ୍କଳ ବିଶ୍ୱବଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଇବେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ସ୍ୱପ୍ନ ଓ ଅଭିଳାଶକୁ ସାକାର କରିବାରେ ଉତ୍କଳ ସଠିକ ଭାବେ ଦାୟିତ୍ୱ ନିର୍ବାହ କରିଛି । ତେଣୁ ଉତ୍କଳ ବିଶ୍ବବିଦ୍ୟାଳୟ ସାରା ବିଶ୍ୱରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ।

ଏଠାକାର ଛାତ୍ରଛାତ୍ରୀ ବିଶ୍ବର କୋଣେ ଅନୁକୋଣରେ ନିଜର ପ୍ରତିଭା ଓ ଦକ୍ଷତା ପ୍ରତିପାଦନ ସହ ସଫଳରତା ଉଚ୍ଚତର ସୋପାନରେ ପହଞ୍ଚି ପାରିଛନ୍ତି ଏବଂ ବିଶ୍ୱବିଦ୍ୟାଳୟର ଗରିମା ବୃଦ୍ଧି କରିଛନ୍ତି । ଉତ୍କଳର ସ୍ୱତନ୍ତ୍ରତା ହେଉଛି ଏହାର ଇତିହାସ, ଭୂଗୋଳ, ସଂସ୍କୃତି ଏବଂ ପରିବେଶ, ଯାହା ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱର ସର୍ବ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ରୂପେ ପରିଗଣିତ କରାଇବାରେ ସହାୟକ ହୋଇପାରିଛି ବୋଲି ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି ।

ବାଣୀବିହାରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆୟୋଜିତ ଉତ୍କଳ ବିଶ୍ୱବିଦ୍ୟାଳୟର ୮୦ ତମ ପ୍ରତିଷ୍ଠା ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଶୁତୋଷ ବିଶ୍ୱାସ କହିଥିଲେ, ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ଅଟେ । ଶିକ୍ଷାନୁଷ୍ଠାନରେ ଶିକ୍ଷା ଦେବା ଏବଂ ଶିକ୍ଷା ଗ୍ରହଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଠାକାର ସେଣ୍ଟର୍ ଅଫ୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେନ୍, ଇ- ପାଠାଗାର, ଇ- ପରୀକ୍ଷାଗାର ଛାତ୍ରଛାତ୍ରୀଙ୍କ ସୃଜଶୀଳତାକୁ ବଢ଼ାଇବା ସହ ଆତ୍ମନିର୍ଭଶୀଳତା ସୃଷ୍ଟି କରୁଛି । ତେବେ ଚିକିତ୍ସା ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ​‌‌ଭୁବନେଶ୍ବର ଏମ୍‌ସ ସହିତ ଉତ୍କଳ ବିଶ୍ବବିଦ୍ୟାଳୟ ଏକ ଚୁକ୍ତି ସ୍ବାକ୍ଷରିତ କରିବ। ଯାହା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ପାଇଁ ସହାୟକ ହୋଇପାରିବ ବୋଲି ପ୍ରଫେସର ବିଶ୍ବାସ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ତଥା କମିଶନର ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ଜୀବନରେ ଜ୍ଞାନ କେବଳ ଯଥେଷ୍ଟ ନୁହେଁ; ଜ୍ଞାନ ସହିତ ପ୍ରତିଭା ଓ ଚରିତ୍ର ଉତ୍ତମ ହେବା ଦରକାର। ନିଜର ସୃଜନଶୀଳତା ପ୍ରଦର୍ଶନ ଓ କର୍ତ୍ତବ୍ୟ ସମ୍ପାଦନ ସଠିକ ଭାବେ ନିର୍ବାହ କରିବା ପାଇଁ ଦୃଢ଼ ମନୋବଳ ଜରୁରୀ। ଛାତ୍ରଛାତ୍ରୀମାନେ ଜୀବନରେ ଯାହା ବି ହାସଲ କରିବାକୁ ଚାହୁଁଛନ୍ତି ସେଥିପାଇଁ ସଙ୍ଘର୍ଷ ଏବଂ ପରିଶ୍ରମ କରିବାକୁ ଉଚିତ ।

ଫଳରେ ସେମାନଙ୍କୁ ସଫଳତା ମିଳିପାରିବ। ଅସଫଳତା ଆମ ଜୀବନର ବଡ଼ ଶିକ୍ଷକ ଅଟେ, ଯେଉଁଠାରୁ ଶିକ୍ଷାଗ୍ରହଣ କରି ତାହାକୁ ସୁଧାରି ନେଇ ପୁଣି ଆଗକୁ ବଢ଼ିଲେ ଆମେ ସଫଳତା ନିଶ୍ଚୟ ପାଇପାରିବା। ଜୀବନରେ ଶୃଙ୍ଖଳା ଏବଂ ଅନୁଶାସନ ରହିବା ନିହାତି ଦରକାର, ଯଦ୍ବାରା ଆମେ ନିରୋଗ ସ୍ୱାସ୍ଥ୍ୟ ପାଇବା ଏବଂ ଏହା ଜୀବନରେ ସଫଳତା ପାଇବାରେ ସାହାଯ୍ୟ କରିବ। ଆମ ଭିତରେ ସଙ୍ଘର୍ଷ କରିବାର ଶକ୍ତି ରହିଲେ ଆମେ ସବୁ କ୍ଷେତ୍ରରେ ସଫଳତା ପାଇ ପାରିବା ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ତଥା କମିଶନର ଭାସ୍କର ଜ୍ୟୋତି ଶର୍ମା ପ୍ରକାଶ କରିଥିଲେ।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଅଭିଭାଷଣ ଦେଇ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଛି। ଏଠାରେ ଇ-ରିସୋର୍ସକୁ ବ୍ୟବହାର ପାଇଁ ଇ-ଲାଇବ୍ରେରୀର ସୁବିଧା କାର୍ଯ୍ୟକାରୀ ସହ ଇ-ରିସୋର୍ସର ନିମନ୍ତେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଭର୍ଚୁଆଲ ଟ୍ୟୁଟୋରିଆଲ୍‍ ଲ୍ୟାବର ସୁବିଧା କରାଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ଉତ୍କର୍ଷ ଓ ସମାନତା ପରିଯୋଜନା ଏବଂ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରୁ ସରକାରୀ ଆର୍ଥିକ ସହାୟତା ଲାଭ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତାରେ ଅର୍ଥନୀତି ବିଭାଗରେ ‘ଆରବିଆଇ ଚେୟାର’ର ପୁନରୁଦ୍ଧାର ଏବଂ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବକ୍‌ସି ଜଗବନ୍ଧୁ ବିଦ୍ୟାଧରଙ୍କ ସ୍ମୃତିରେ ‘ପାଇକ ଚେୟାର’ର ସ୍ଥାପନା ହୋଇଛି। ଡିଜିଟାଲ ପରିକଳ୍ପନା ସାକାର ସହ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ ର ସଫଳ କ୍ରିୟାନ୍ବୟନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଆଗାମୀଦିନରେ ବିଶ୍ବବିଦ୍ୟାଳୟକୁ ଆଗାମୀ ଦିନରେ ନାକ୍ ଏ++ ମାନ୍ୟତା ପ୍ରଦାନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କୁଳପତି ପ୍ରକାଶ କରିଥିଲେ ।

ପିଜି କାଉନସିଲ ଅଧ୍ୟକ୍ଷ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁଳସଚିବ ଡ.ଅଭୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ର କଲ୍ୟାଣ ନିର୍ଦେଶିକା ପ୍ରଫେସର ମିତାଲି ଚିନ୍ନରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ସିଲ୍ଡ ଓ ଅର୍ଥରାଶୀ ଦେଇ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.