Latest Odisha News

BREAKING NEWS

[ଭିଡିଓ] ଚର୍ଚ୍ଚାରେ କଟକ ପୁଅ, ସ୍କ୍ରାପ୍ ମ୍ୟାଟେରିଆଲରୁ ନିର୍ମାଣ କଲେ ସ୍ପୋର୍ଟସ୍ କାର୍

କଟକ: ଚର୍ଚ୍ଚାରେ କଟକ ପୁଅ ସୁଶାନ୍ତ ରାଉତ । ଜଣେ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିଲେ ହେଁ ନିଶା ତାଙ୍କର କାର ନିର୍ମାଣ କରିବା । ହେଲେ କୌଣସି କମ୍ପାନୀ କିମ୍ବା ଗ୍ୟାରେଜ ସହ ସେ ଜଡିତ ନୁହେଁ । ବରଂ ସ୍କ୍ରାପ୍ ମ୍ୟାଟେରିଆଲରୁ ସେ ଏକ ସ୍ପୋର୍ଟସ୍ କାର୍ ପ୍ରସ୍ତୁତ କରି ଚର୍ଚ୍ଚା ସାଉଣ୍ଟିଛନ୍ତି ।

ନିଜ ବାପାଙ୍କ ପୁରୁଣା ବାଇକର ଇଂଜିନ ଓ କବାଡିଖାନାରୁ ସ୍କ୍ରାପ୍ ଯୋଗାଡ କରି ସୁଶାନ୍ତ ଏକ ସ୍ପୋର୍ଟସ୍ କାର୍ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି । ଏଥିପାଇଁ ସେ କୌଣସି ପ୍ରକାର ଟେକ୍ନିକାଲ୍ ଟ୍ରେନିଂ ନେଇନଥିବା ଦାବି କରିଛନ୍ତି । ଖାସ କରି ନିଜ ଇଛାଶକ୍ତି ଓ ୟୁଟ୍ୟୁବ୍‌ରେ କିଛି ଭିଡିଓ ଦେଖି ଏପରି କାର ନିର୍ମାଣ କରିବାରେ ସେ ସମର୍ଥ ହୋଇଥିବା ପ୍ରକାଶ କରିଛନ୍ତି ।

କଟକ ପ୍ରତାପ ନଗରରେ ରହୁଥିବା ସୁଶାନ୍ତ ବିଜେଏମ୍ କଲେଜରୁ ଗ୍ରାଜୁଏସନ୍ ପାସ୍ କରିଛନ୍ତି । ଛୋଟବେଳୁ ବିଭିନ୍ନ ମେସିନ୍ ଓ ସ୍ପେୟାର୍ ପାର୍ଟସ୍ ପ୍ରତି ତାଙ୍କର ଦୁର୍ବଳତା ରହିଛି । ଏପରିକି ପିଲାଦିନେ ମିକ୍ସର୍ ଗ୍ରାଇଣ୍ଡର୍‌, ଫ୍ୟାନ୍‌, ଟିଭି ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସରଂଜାମ ଖୋଲି ସେଗୁଡିକର ମେକାନିଜିମ୍ କମ୍ବିନେସନ୍ ଦେଖିଥିବା ଖୋଦ ସୁଶାନ୍ତ କୁହନ୍ତି ।

ଭଳିକିଭଳି ଏକ୍ସପେରିମେଣ୍ଟ ସହ ୨୦୧୯ରେ ସୁଶାନ୍ତ ଓଡିଶା ଅନବକ୍ସର୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିଲେ । ଏହି ଚ୍ୟାନେଲରେ ସେ ନିଜ ଦ୍ୱାରା ପ୍ରସ୍ତୁତ ଅନେକ ଇଲେକ୍ଟ୍ରିକ୍ କାର, ଛୋଟମୋଟ ରିମୋଟ୍ କଣ୍ଟ୍ରୋଲ୍ କାର ଓ ଅନ୍ୟାନ୍ୟ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଥାନ୍ତି ।

ଏହି ସ୍ପୋର୍ଟସ କାରକୁ ନିର୍ମାଣ କରିବା ଲାଗି ସୁଶାନ୍ତଙ୍କୁ ପ୍ରାୟ ୬ ମାସ ସମୟ ଲାଗିଥିଲା । ଏଥିପାଇଁ ସେ ନିଜ ଘର ଛାତକୁ ୱାର୍କ ସପ୍ ଭାବେ ବ୍ୟବହାର କରିଆସିଛନ୍ତି । ତେବେ ନିଜ ଜ୍ଞାନକୌଶଳ ପାଇଁ ସୁଶାନ୍ତ ବାହାରୁ ନୂଆ ସ୍ପେୟାର ପାର୍ଟସ୍ ବଦଳରେ କବାଡିଖାନାରୁ ପରିତ୍ୟକ୍ତ ପାର୍ଟସ୍ ଗୁଡିକ ବ୍ୟବହାର କରିଥାନ୍ତି ।

Comments are closed, but trackbacks and pingbacks are open.