Latest Odisha News

BREAKING NEWS

‘ପାଣିରେ ବୁଡ଼ିଯିବାରୁ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କୁ ପାଣିରେ ଫିଙ୍ଗିବା ପୂର୍ବରୁ ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ିଯିବା ବୋଲି ଉଲ୍ଲେଖ କରାଯାଇଛି।

ସମ୍ବଲପୁର ଏସପି ବି. ଗଙ୍ଗାଧର ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ବୁଡ଼ିଯିବା ବୋଲି ଉଲ୍ଲେଖ କରାଯାଇଛି। ତେବେ ତାଙ୍କୁ ଠେଲିଦେଇ ହତ୍ୟା କରାଯାଇଛି ସେ ନିଜେ ପଡ଼ିଯାଇଛନ୍ତି ଏହାର ତଦନ୍ତ ଜାରି ରହିଛି। ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଯାଞ୍ଚ କରାଯାଉଛି।

ତଦନ୍ତ ବେଳେ ମୃତକଙ୍କ ବେକରେ ଯେଉଁ ଚିହ୍ନ ମିଳିଛି, ତାହା ଗଳାକାଟି ହତ୍ୟା କରାଯାଇଥିବା ଚିହ୍ନ ନୁହେଁ ବୋଲି ପୋଲିସ କହିଛି।
ଅପରପକ୍ଷରେ ବୁର୍ଲା ହୀରାକୁଦ ଏସଡିପିଓଙ୍କ କାର୍ଯ୍ୟାଳୟରେ ମୃତ ଛାତ୍ରୀଙ୍କ ବାପା, ମା’, ଭଉଣୀ ଓ ଅନ୍ୟ ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଇଛି। ତଦନ୍ତ ପାଇଁ ଆବଶ୍ୟକ ତଥ୍ୟ ହାସଲ କରିବା ପାଇଁ ସେମାନଙ୍କୁ ପଚରାଉଚରା କରାଯାଇଥିବା ଏସପି କହିଛନ୍ତି। ମୃତ ଚିନ୍ମୟୀଙ୍କ ବାପା ପେଶାରେ ଜଣେ ଡାକ୍ତର। ତେଣୁ ଝିଅର ବେକରେ ଥିବା କଳା ଦାଗ ହତ୍ୟାର ଚିହ୍ନ ବୋଲି ସେ ଦାବି କରୁଛନ୍ତି।

ଏହାରି ଭିତରେ ଚିନ୍ମୟୀଙ୍କ ବନ୍ଧୁ ପ୍ରୀତିମନ ଦେ ଓ ତାଙ୍କ ସହଯୋଗୀ ମାନସ ଟୁଡୁଙ୍କ ଶନିବାର ଭୁବନେଶ୍ୱରସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରୀରେ ମିଛ ଧରା ପରୀକ୍ଷା ହୋଇଛି।

ଉଲ୍ଲେଖଯୋଗ୍ୟ, ସମ୍ବଲପୁରର ବୁର୍ଲାସ୍ଥିତ ଭିସୁଟର ଆଇଟି ଛାତ୍ରୀ ଚିନ୍ମୟୀ ଗତ ଫେବ୍ରୁଆରି ୨୮ ତାରିଖରେ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଡିଗ୍ରି ହାସଲ କରିଥିଲେ। ପରେ ବନ୍ଧୁଙ୍କ ସହ ବୁର୍ଲାସ୍ଥିତ ପାଓ୍ୱାର ଚ୍ୟାନେଲକୁ ଯାଇ ନିଖୋଜ ହୋଇଯାଇଥିଲେ। ମାର୍ଚ୍ଚ ୧ତାରିଖରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.