Latest Odisha News

BREAKING NEWS

ଖରାଦିନେ ଜଳସଙ୍କଟ ; ପାଣି ପାଇଁ ଡହଳ ବିକଳ ଲୋକେ

ମୟୁରଭଞ୍ଜ : ଖରାଦିନେ ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ । ବାରମ୍ବାର ଦାବି ପରେ ମଧ୍ୟ ମିଳୁନି ବୁନ୍ଦାଏ ଶୁଦ୍ଧ ପାନୀୟ ଜଳ । ଗ୍ରୀଷ୍ମ ପ୍ରବାହରେ ଲୋକେ ଆକ୍ତାମାକ୍ତା ହେଉଥିବା ବେଳେ ପାନୀୟ ଜଳର ଚିନ୍ତା କଷ୍ଟକୁ ଦ୍ୱିଗୁଣିତ କରିଛି । ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ନ ମିଳିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।

ହାତରେ ଗରା ବାଲଟି ଧରି ରାଜପଥ ଅବରୋଧ କରିଛନ୍ତି । କପ୍ତିପଦା ବ୍ଲକ ମଝିଗଡିଆ ପଞ୍ଚାୟତର ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ଏହି ପଂଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମକୁ ପାନୀୟ ଜଳର ସୁବିଧା ନ ଥିବାରୁ ଆଜି ଗ୍ରାମର ଶତାଧିକ ମହିଳା ଗରା ବାଲଟି ଧରି ମଝିଗଡିଆ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କପ୍ତିପଦା-ଔପଦା ଯାତାୟାତ ବାଧାପ୍ରାପ୍ତ ହୋଇଛି ।

୫ ଗୋଟି ଗ୍ରାମ ରାଇକିଆ, ଡାଙ୍ଗରସାହି, ସାମଲସାହି, ଭୋଇସାହି ଏବଂ ମଝିଗଡିଆ ଗ୍ରାମବାସୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପୂର୍ବରୁ ଏହି ୫ ଗୋଟି ଗ୍ରାମବାସୀ ପାଣି ପାଇଁ ଧାରଣା ଦେଇଥିବା ବେଳେ ତାଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । ହେଲେ କିଛି ଦିନ ହେବ ଟ୍ୟାଙ୍କର ଯୋଗେ ପାଣି ଦେବା ବନ୍ଦ କରି ଦିଆଯାଇଛି । ଯାହାଫଳରେ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ସ୍ୱଚ୍ଛ ପାଣି ଗାଁକୁ ନ ଯୋଗାଇ ଦିଆଯାଏ ତେବେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.