Latest Odisha News

ଗ୍ରାମୀ ପୁରସ୍କାରରେ ବାଜି ମାରିଲେ ଭାରତୀୟ ବଂଶଦ୍ଭବ, ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ୬୭ତମ ଗ୍ରାମୀ ପୁରସ୍କାର ସମାରୋହରେ ବାଜି ମାରିଲେ ଭାରତୀୟ ବଂଶଦ୍ଭବ । ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ପୁରସ୍କାର ସମାରୋହରେ ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍‌ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ ଏଜ୍‌, ଆମ୍ବିଆଣ୍ଟ ଏବଂ ଚାଣ୍ଟ୍‌ ଆଲବମ୍‌ ଶ୍ରେଣୀରେ ଗ୍ରାମୀ ପୁରସ୍କାର ଜିତିଛନ୍ତି। ଟ୍ରେଭର ନୋଆଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ଜଗତର ପ୍ରତିଭାଶାଳୀ କଳାକାର ଏବଂ ପପ୍ ସଙ୍ଗୀତର ବଡ଼ ବଡ଼ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।

‘ବେଷ୍ଟ ନ୍ୟୁ ଏଜ୍‌, ଆମ୍ବିଏଣ୍ଟ ୟା ଚାଣ୍ଟ ଆଲବମ୍’ ବର୍ଗରେ ଚନ୍ଦ୍ରିକା କଠିନ ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲା। ଚନ୍ଦ୍ରିକା ଦକ୍ଷିଣ ଆଫ୍ରିକୀୟ ବଂଶୀବାଦକ ୱାଉଟର କେଲରମ୍ୟାନ୍ ଏବଂ ଜାପାନୀ ସେଲିଷ୍ଟ ଇରୁ ମାଟସୁମୋଟୋଙ୍କ ସହ ଏହି ସମ୍ମାନ ହାସଲ କରିଥିଲେ। ଏହି ଆଲବମ୍ ପାଇଁ ତିନିଜଣ ସହଯୋଗ କରିଥିଲେ। ସମସ୍ତଙ୍କୁ ପଛରେ ପକାଇ ଚନ୍ଦ୍ରିକା ତାଙ୍କ ଟିମ୍‌ ସହିତ ଗ୍ରାମୀ ପୁରସ୍କାର ଜିତିଲେ। ଗ୍ରାମୀ ଜିତିବା ପରେ ଚନ୍ଦ୍ରିକା ତାଙ୍କର ଖୁସି ପ୍ରକାଶ କରି ସେ ଏହାକୁ ଏକ ସୁନ୍ଦର ଅଭିଜ୍ଞତା ଭାବରେ ବର୍ଣ୍ଣନା କରିଛନ୍ତି।

ସେପଟେ ଚନ୍ଦ୍ରିକାଙ୍କ ଗ୍ରାମୀ ଜିତିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ୍ସରେ ଏକ ପୋଷ୍ଟ କରି ମୋଦୀ କହିଛନ୍ତି ଯେ, ଜଣେ ଉଦ୍ୟୋଗୀ, ସମାଜସେବୀ ଏବଂ ଜଣେ ମହାନ୍ ସଙ୍ଗୀତଜ୍ଞ ଭାବରେ ତାଙ୍କର ସଫଳତା ପାଇଁ ଆମେ ବହୁତ ଗର୍ବିତ । ସେ ଭାରତୀୟ ସଂସ୍କୃତି ପ୍ରତି କିପରି ଆଗ୍ରହୀ ଅଛନ୍ତି ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ କାମ କରୁଛନ୍ତି ତାହା ଏଥିରୁ ଜଣାପଡୁଛି । ତାଙ୍କର ଏହି କାର୍ଯ୍ୟ ସତରେ ବହୁତ ପ୍ରଶଂସନୀୟ। ସେ ଅନେକଙ୍କ ପାଇଁ ପ୍ରେରଣା। ମୋର ଏବେ ବି ମନେ ଅଛି ମୁଁ ୨୦୨୩ ମସିହାରେ ନ୍ୟୁୟର୍କରେ ତାଙ୍କ ସହିତ ସାକ୍ଷାତ କରିଥିଲି ।

କହିରଖୁଛୂ ଯେ, ଚନ୍ଦ୍ରିକା ଟଣ୍ଡନ ଚେନ୍ନାଇର ଏକ ପାରମ୍ପରିକ ତଥା ରକ୍ଷଣଶୀଳ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ଜଣେ ସଂଗୀତଜ୍ଞ ଥିଲେ ଏବଂ ବାପା ଜଣେ ବ୍ୟାଙ୍କର ଥିଲେ। ତାଙ୍କର ଅନ୍ୟ ଏକ ପରିଚୟ ହେଉଛି, ସେ ଜଣେ ଗ୍ଲୋବାଲ୍ ବିଜନେସ୍ ଲିଡର ଏବଂ ‘ପେପ୍ସିକୋ’ର ପୂର୍ବତନ ଚେୟାରମ୍ୟାନ୍ ଇନ୍ଦ୍ରା ନୁଇଙ୍କ ବଡ଼ ଭଉଣୀ । ସେ ମାଡ୍ରାସ୍ ଖ୍ରୀଷ୍ଟିଆନ କଲେଜରୁ ଅଧ୍ୟୟନ କରିଥିଲେ । ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଚନ୍ଦ୍ରିକା କୃଷ୍ଣମୂର୍ତ୍ତି ଟଣ୍ଡନ୍ । ସେ ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ସଙ୍ଗୀତରେ ତାଲିମ ନେଇଛନ୍ତି। ତ୍ରିବେଣୀ ତାଙ୍କର ଷଷ୍ଠ ଆଲବମ୍। ୨୦୧୧ ମସିହାରେ, ସେ ତାଙ୍କ ଆଲବମ୍ ‘ସୋଲ୍ କଲ୍’ ପାଇଁ ଶ୍ରେଷ୍ଠ ସମସାମୟିକ ବିଶ୍ୱ ସଂଗୀତ ଆଲବମ୍ ବର୍ଗରେ ନୋମିନେସନ ପାଇଥିଲେ। ଏହା ତାଙ୍କର ପ୍ରଥମ ଷ୍ଟୁଡିଓ ଆଲବମ୍ ଥିଲା।

‘କାଓବୟ କାର୍ଟର’ ପାଇଁ ବିୟୋନ୍ସେଙ୍କୁ ସର୍ବୋତ୍ତମ କଣ୍ଟ୍ରି ଆଲବମ୍ ମିଳିଛି। ସାବ୍ରିନା କାର୍ପେଣ୍ଟର ଶ୍ରେଷ୍ଠ ପପ୍ ଭୋକାଲ୍ ଆଲବମ୍ ପାଇଁ ପୁରସ୍କାର ଜିତିଛନ୍ତି। ବେଷ୍ଟ ରାପ୍ ଆଲବମ୍ ପାଇଁ ଆଲିଗେଟର୍ ବାଇଟ୍ସ ନେଭର୍‌ ହ୍ୱିଲ୍‌ ସଙ୍ଗ୍‌, ଡିଏଚି ପୁରସ୍କାର ଜିତିଛନ୍ତି । ସେହିପରି ବେଷ୍ଟ ଗସ୍ପଲ ପ୍ରଦର୍ଶନ ସଙ୍ଗ୍‌ ପାଇଁ ୱାନ୍‌ ହାଲେଲୁଜା, ପ୍ରଡ୍ୟୁସର ଅଫ୍‌ ଦି ଇୟର୍‌, ନନ୍‌ କ୍ଲାସିକାଲ୍‌ ପାଇଁ ଡାନିଏର ନିଗ୍ରୋ, ସଙ୍ଗ୍‌ ରାଇଟର୍‌ ଅଫ୍‌ ଦି ଇୟର୍‌, ନନ୍‌ କ୍ଲାସିକାଲ୍‌ ପାଇଁ ଆମି ଆଲେନ୍, ବେଷ୍ଟ କଣ୍ଟ୍ରି ସଙ୍ଗ୍‌ ପାଇଁ କେସି ମୁସଗ୍ରେଭସ୍, ବେଷ୍ଟ କ୍ଲାସିକାଲ୍‌ ସୋଲୋ ଭୋକାଲ୍ ଆଲବମ୍ ପାଇଁ କ୍ୟାରେନ୍‌ ସ୍ଲାକ୍, ବେଷ୍ଟ ରକ୍ ଆଲବମ୍ ପାଇଁ ଦି ରୋଲିଂ ଷ୍ଟୋନ୍, ବେଷ୍ଟ ରାପ୍ ପରଫମାନ୍ସ ପାଇଁ କେଣ୍ଡ୍ରିକ୍ ଲାମାର, ବେଷ୍ଟ ଟ୍ରାଡିସନାଲ୍‌ ପପ୍ ଭୋକାଲ୍ ଆଲବମ୍ ପାଇଁ ନୋରା ଜୋନ୍ସ ପୁରଷ୍କାର ଜିତିଛନ୍ତି ।

ସେହିପରି ବେଷ୍ଟ କଣ୍ଟେମ୍ପରୀ ଅନଷ୍ଟ୍ରୁମେଣ୍ଟାଲ୍‌ ଆଲବମ୍ ପାଇଁ ଟେଲର ଇଗଷ୍ଟି, ବେଷ୍ଟ ଲାଟିନ୍ ପପ୍ ଆଲବମ୍ ପାଇଁ ଶକିରା, ବେଷ୍ଟ ନ୍ୟୁ ଏଜ୍‌, ଆମ୍ବିଏଣ୍ଟ୍ ଆଲବମ୍ ପାଇଁ ଭାରତୀୟ-ଆମେରିକୀୟ ସିଙ୍ଗର୍ ଚନ୍ଦ୍ରିକା ଟଣ୍ଡନ୍, ରେକର୍ଡ ଅଫ୍‌ ଦି ଇୟର୍‌ ପାଇଁ କେଣ୍ଡ୍ରିକ୍ ଲାମାର ଏବଂ ସର୍ବୋତ୍ତମ ପପ୍ ଡୁଓ ପାଇଁ ଲେଡି ଗାଗା ଏବଂ ବ୍ରୁନୋ ମାର୍ସ ଏହି ପୁରଷ୍କାର ଜିତିଥିଲେ ।

Comments are closed.