କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ ସବୁ ଆସନରେ ପ୍ରାର୍ଥୀ ଛିଡା କରିବ ବୋଲି ଜଣାପଡିଛି। ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦ-ଉଲ୍-ମୁସଲିମିନ୍ (AIMIM) କହିଛି ଯେ ଦଳ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସମସ୍ତ ଆସନରୁ “ପୂର୍ଣ୍ଣ ଶକ୍ତି ସହିତ” ଲଢ଼ିବ। ଏଆଇଏଣଆଇଏମ ମୁଖପାତ୍ର ଇମ୍ରାନ ସୋଲାଙ୍କି କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ମୁସଲିମ୍ ଜନସଂଖ୍ୟା ୪୦ ପ୍ରତିଶତରୁ ଅଧିକ।
ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ସୁପ୍ରିମୋ ଓୱେସି କହିଛନ୍ତି ଯେ ରାଜ୍ୟରେ ସଦସ୍ୟ ଗ୍ରହଣ ଅଭିଯାନକୁ ଜୋରଦାର କରାଯାଉଛି। ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଦଳର କର୍ମକର୍ତ୍ତାମାନେ ବିଭିନ୍ନ ଜିଲ୍ଲାରେ ଘରକୁ ଘର ବୁଲି ନୂଆ ସଦସ୍ୟ ଯୋଗାଡ କରୁଛନ୍ତି।
ବର୍ତ୍ତମାନ ରମ୍ଜାନ ମାସ ଚାଲିଥିବାରୁ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଇଫ୍ତାର ପାର୍ଟିର ବନ୍ଦୋବସ୍ତ କରାଯାଉଛି। ପଶ୍ଚିମବଙ୍ଗରେ ଏଆଇଏମଆଇଏମର ପ୍ରାୟ ୩ ଲକ୍ଷ ସଦସ୍ୟ ରହିଛନ୍ତି। ୨୦୨୩ ପଞ୍ଚାୟତ ନିର୍ବାଚନରେ ଦଳ ମାଲଦା ଓ ମୁର୍ଶିଦାବାଦରେ ୧.୫ ଲକ୍ଷରୁ ଅଧିକ ଭୋଟ ପାଇଥିଲା। ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ପଶ୍ଚିମବଙ୍ଗ ଶାଖାର ଜଣେ କର୍ମକର୍ତ୍ତା ମହମ୍ମଦ ଇମ୍ରାନ ସୋଲାଙ୍କି ଆଶାବ୍ୟକ୍ତ କରିଛନ୍ତି।
୨୦୨୧ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ କେବଳ ମାଲଦା, ମୁର୍ଶିଦାବାଦ ଏବଂ ଉତ୍ତର ଦିନାଜପୁର ଜିଲାର ସାତଟି ଆସନରେ ପ୍ରାର୍ଥୀ ଛିଡା କରିଥିଲା। ତେବେ ଦଳ ଗୋଟିଏ ହେଲେ ଆସନ ଜିତିପାରିନଥିଲା। ଅପରପକ୍ଷରେ ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସି (ତୃଣମୂଳ କଂଗ୍ରେସ) ସର୍ବାଧିକ ୨୧୫ ଆସନ ହାତେଇ ଥିବାବେଳେ ବିଜେପିକୁ ୭୭, ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ଏବଂ ଗୋର୍ଖା ଜନମୁକ୍ତି ମୋର୍ଚ୍ଚାକୁ ପ୍ରତ୍ୟେକ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
Comments are closed.