Latest Odisha News

BREAKING NEWS

ଆଜିବି ପ୍ରବଳ ବର୍ଷିବ: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମମୁହାଁ ହେବା ସହ ଅଧିକ ଘନୀଭୂତ ହେଇ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଅଧିକ ରହିବ।

ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାର ପ୍ରଭାବ କେତେ ରହିବ ସେନେଇ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ୨୨ ରୁ ୨୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଉଛି।

ଅନ୍ୟପଟେ ଆଜି ମଧ୍ୟାହ୍ନ ପରଠାରୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କ‌ଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟରେ ପ୍ରକାଶ। ଏହାସହ ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ବୌଦ୍ଧ ଜିଲ୍ଲାର କିଛି କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିବ।

ଏହି ସମୟରେ ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ୪୫-୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.