ବୃନ୍ଦାବନ: ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଗତ କିଛି ଦିନ ଧରି ଏକାନ୍ତବାସରେ ଥିବା ସନ୍ଥ ପ୍ରେମାନନ୍ଦ ମହାରାଜ ନିଜ ଭକ୍ତମାନଙ୍କ ପାଇଁ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବା ଖବର ସାମ୍ନାକୁ ଆସିବା ପରେ ଦେଶ ବିଦେଶରେ ଥିବା ଅନୁଗାମୀମାନେ ଚିନ୍ତିତ ଥିଲେ। ଏବେ ତାଙ୍କ ବାର୍ତ୍ତା ଆସିବା ପରେ ଭକ୍ତମାନଙ୍କୁ କିଛି ଆଶ୍ୱସ୍ତି ମିଳିଛି।
ସ୍ୱାସ୍ଥ୍ୟ କାରଣରୁ ମେ ୧୭ ତାରିଖରୁ ପ୍ରେମାନନ୍ଦ ମହାରାଜଙ୍କ ରାତ୍ରି ପଦଯାତ୍ରା ଓ ଭକ୍ତମାନଙ୍କ ସହ ହେଉଥିବା କଥାବାର୍ତ୍ତାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ପ୍ରତିଦିନ ଦର୍ଶନ ଓ ସତସଙ୍ଗ ପାଉଥିବା ଭକ୍ତମାନେ ହଠାତ୍ ଏହି ବ୍ୟବସ୍ଥା ବନ୍ଦ ହେବା ପରେ ଚିନ୍ତାରେ ପଡ଼ିଥିଲେ।
ଭକ୍ତମାନଙ୍କ ଏହି ଚିନ୍ତାକୁ ଦେଖି ତାଙ୍କ ଅଫିସିଆଲ୍ ପେଜରୁ ଏକ ଭିଡିଓ ସେୟାର କରାଯାଇଛି। ଏଥିରେ ପ୍ରେମାନନ୍ଦ ମହାରାଜ ଭକ୍ତମାନଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି। ସେ କହିଛନ୍ତି, ସେ ଭକ୍ତଙ୍କୁ ଭେଟନ୍ତୁ କି ନ ଭେଟନ୍ତୁ, କଥା କହନ୍ତୁ କି ନ କହନ୍ତୁ, ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ, ଶ୍ରଦ୍ଧା ରହିଛି।
ପ୍ରେମାନନ୍ଦ ମହାରାଜ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଭକ୍ତମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରିବା ଆବଶ୍ୟକ ନାହିଁ। ସେ କହିଛନ୍ତି, କଥା ନ କହିଲେ ମଧ୍ୟ ସେ ଭକ୍ତମାନଙ୍କ ମନରେ ରହିବେ ଓ ଭକ୍ତମାନେ ଗୁରୁଦେବଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିବେ। ସେ ସମସ୍ତଙ୍କୁ ନିଜ ନିଜ ସେବାରେ ଅଟଳ ରହିବାକୁ ପରାମର୍ଶ ଦେଇଛନ୍ତି।
ସେ ଏହାମଧ୍ୟ କହିଛନ୍ତି ଯେ, କିଛି ସମୟ ପାଇଁ ସେ ଏକାନ୍ତରେ ରହିବେ। ମନ ହେଲେ ସେ କଥା କହିବେ, କିନ୍ତୁ ବର୍ତ୍ତମାନ ସେ ମୌନ ଓ ଶାନ୍ତ ଏକାନ୍ତବାସରେ ରହୁଛନ୍ତି। ଏହା ସହିତ ସେ ଭକ୍ତମାନଙ୍କୁ ନାମ ଜପ, ଭଜନ ଓ ରାଧାରାଣୀଙ୍କ ଆଶ୍ରୟରେ ରହିବାକୁ ଉପଦେଶ ଦେଇଛନ୍ତି।
ପ୍ରେମାନନ୍ଦ ମହାରାଜଙ୍କ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ସେୟାର ହେଉଛି। ଭକ୍ତମାନେ ତାଙ୍କ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି।