Latest Odisha News

BREAKING NEWS

‘ବିଦ୍ରୋହୀ ଫେରିଲେ ଗୋଟିଏ ଘଣ୍ଟାରେ ଇସ୍ତଫା ଦେବି’ କହିଲେ ଅଭିଷେକ, ପାଲଟା ଜବାବ ଦେଲେ ଋତବ୍ରତ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ (ଟିଏମସି) ର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଦଳର ହାଇକମାଣ୍ଡ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ରୂପ ନେଇଛି। ବିଦ୍ରୋହୀ ନେତାମାନେ ମମତାଙ୍କ ନିକଟକୁ ଫେରିଲେ ସେ ମାତ୍ର ଗୋଟିଏ ଘଣ୍ଟା ଭିତରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଅଭିଷେକ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଅନ୍ୟପକ୍ଷରେ, ଅଭିଷେକଙ୍କ ଏହି ବୟାନକୁ ସମ୍ପୂର୍ଣ୍ଣ ‘ବିରୋଧାଭାସ’ ବୋଲି ଦର୍ଶାଇ ଋତବ୍ରତ ତାଙ୍କ ଉପରେ ବର୍ଷିବା ସହ ପ୍ରଥମେ ନିଜେ ଇସ୍ତଫା ଦେବାକୁ ଦାବି କରିଛନ୍ତି।

 

ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଷେକ ବାନାର୍ଜୀ କହିଥିଲେ ଯେ, ଯେଉଁମାନେ ଇଡି ଏବଂ ସିବିଆଇର ଭୟରେ ଦଳ ଛାଡି ବିଜେପି ସହ ହାତ ମିଳାଇଛନ୍ତି, ସେମାନେ ଯଦି ଦିଦି (ମମତା ବାନାର୍ଜୀ) ଙ୍କ ପାଖକୁ ଫେରନ୍ତି, ତେବେ ସେ ମାତ୍ର ୬୦ ମିନିଟ୍ ମଧ୍ୟରେ ଇସ୍ତଫା ପ୍ରଦାନ କରିବେ। ଦଳ ଛାଡିଥିବା ନେତାମାନେ ନିଜକୁ ବଞ୍ଚାଇବା ପାଇଁ ତାଙ୍କୁ ଟାର୍ଗେଟ୍ କରୁଛନ୍ତି ବୋଲି ଅଭିଷେକ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ନାମରେ ଏକାଧିକ ଏଫଆଇଆର୍ ଥିଲେ ସୁଦ୍ଧା ସେ ତଦନ୍ତକାରୀ ସଂସ୍ଥାକୁ ଡରି କେବେ ଡରି ନାହାଁନ୍ତି ଏବଂ ସବୁବେଳେ ତଦନ୍ତର ସାମ୍ନା କରିଛନ୍ତି।

 

ଅଭିଷେକଙ୍କ ଏହି ଆହ୍ୱାନର କଡ଼ା ଜବାବ ଦେଇଛନ୍ତି ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ। ସେ ଅଭିଷେକଙ୍କ ବୟାନରେ ତାଳମେଳ ରହୁନଥିବା ଦର୍ଶାଇ କହିଛନ୍ତି ଯେ, ଗୋଟିଏ ପଟେ ଅଭିଷେକ ସେମାନଙ୍କୁ ‘ଲୁଟେରା’ ବୋଲି କହୁଛନ୍ତି ଏବଂ ଅନ୍ୟପଟେ ସେହି ଲୁଟେରାମାନଙ୍କୁ ଦଳକୁ ଫେରିବା ପାଇଁ ଆମନ୍ତ୍ରଣ କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ବିରୋଧାଭାସ ସୃଷ୍ଟି କରୁଛି। ଋତବ୍ରତ ସିଧାସଳଖ ଆକ୍ରମଣ କରି କହିଛନ୍ତି ଯେ ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ଦାୟୀ ରହି ଅଭିଷେକ ବହୁ ପୂର୍ବରୁ ଅର୍ଥାତ୍ ମେ’ ୪ ତାରିଖରେ ଇସ୍ତଫା ଦେବା ଉଚିତ୍ ଥିଲା। ଏହା ସହ ସେ ଅଭିଯୋଗ କରିଛନ୍ତି ଯେ ଅଭିଷେକ ଲୋକଙ୍କ ଆକ୍ରୋଶକୁ ଡରି ନିଜର ଭଏସ୍ ସାମ୍ପଲ୍ ଦେବାକୁ ଯାଉନାହାଁନ୍ତି, ଅଥଚ ଏତେ ଅହଙ୍କାରରେ କଥା କହୁଛନ୍ତି।

 

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ତୃଣମୂଳ କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦ ଆହୁରି ଉଗ୍ର ରୂପ ନେଇଛି। ଅନେକ ବରିଷ୍ଠ ନେତା ଏବଂ ବିଧାୟକ, ଯେପରିକି ମଦନ ମିତ୍ର ଏବଂ ରବୀନ୍ଦ୍ରନାଥ ଘୋଷ ପ୍ରମୁଖ ମମତାଙ୍କ ଶିବିର ଛାଡି ଋତବ୍ରତଙ୍କ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଦଳର ସମସ୍ତ କ୍ଷମତା କେବଳ ଅଭିଷେକଙ୍କ ହାତରେ କେନ୍ଦ୍ରୀଭୂତ ହୋଇଥିବାରୁ ଅନେକ ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନର ଏହି ବୟାନବାଜି ପଶ୍ଚିମବଙ୍ଗ ରାଜନୀତିରେ ଆହୁରି ଉଷ୍ମତା ସୃଷ୍ଟି କରିଛି ଏବଂ ଆଗାମୀ ଦିନରେ ଏହି ବିବାଦ କେଉଁ ରୂପ ନେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.