Latest Odisha News

BREAKING NEWS

ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା; ଅନୁଷ୍ଠିତ ହେବ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ବନକ ଲାଗି ନୀତି । ତିନି ଦିନ ଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା ପହଞ୍ଚିଛି । ଶ୍ରୀମୁଖ ମଳିନ ପଡ଼ିଯାଇଛି । ଏଣୁ ଠାକୁରଙ୍କ ଶ୍ରୀମୁଖ ସିଂହାର ହେବ । ଏହି ବିଶେଷ ନୀତି ପାଇଁ ଠାକୁର ଦର୍ଶନ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ବନ୍ଦ ହେବ ବୋଲି ସୂଚନା ରହିଛି ।

ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ ଦତ୍ତମହାପାତ୍ର ସେବକମାନେ । ଆଜି ଏହି ସ୍ୱତନ୍ତ୍ର ନୀତି ହେବ । ପରଦିନ ଅର୍ଥାତ୍ ସୋମବାର ରହିଛି ହେରାପଞ୍ଚମୀ । ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ । ମହାପ୍ରଭୁଙ୍କ ସମ୍ମୁଖକୁ ଯିବା ସହ ନନ୍ଦିଘୋଷ ଭାଙ୍ଗିବେ । ଏଣୁ ମହାଲକ୍ଷ୍ମୀଙ୍କ ବିଜେ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ବିଧି ସମ୍ପନ୍ନ ହେବ ।

ସେପଟେ, ଆଜି ସକାଳ ୧୦ଟା ସମୟରୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେଉଛନ୍ତି । ସେଥିପାଇଁ ହଜାର ହଜାର ଭକ୍ତ ଅପେକ୍ଷା କରି ରହିଛନ୍ତି । ଏଥିଲାଗି ଭକ୍ତଙ୍କ ଲମ୍ବାଧାଡ଼ି ପରିଲକ୍ଷିତ ହେଉଛି । ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇବା ପାଇଁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସହିତ ସୁଆର ମହାସୁଆର ନିଯୋଗ ମଧ୍ୟରେ ଉତ୍ତମ ସମନ୍ବୟ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଶୁକ୍ରବାର ଶରଧାବାଲିରେ ୩ ରଥ ପହଞ୍ଚିବା ପରେ ଆଜି ଆଡ଼ପ ମଣ୍ଡପେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି। ଶନିବାର ସମସ୍ତ ନୀତିକାନ୍ତି ପରେ ୭ଟା ପରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା । ମହାପ୍ରଭୁ ରଥରୁ ପହଣ୍ଡି ବେଳେ ସଅଳ ସଅଳ ଆଗେଇ ଚାଲିଥିଲେ । ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ।

Leave A Reply

Your email address will not be published.