Latest Odisha News

BREAKING NEWS

ଲୋକସଭା ନିର୍ବାଚନ: ଓଡ଼ିଶା ପାଇଁ ବିଜେପିର ରଣନୀତି କଣ?

ଭୁବନେଶ୍ୱର:ଆକ୍ସନ ମୋଡରେ ଏବେ ଭାରତୀୟ ଜନତା ପାର୍ଟି। କେନ୍ଦ୍ରରେ ତିସରୀ ବାର ମୋଦି ସରକାରର ନାରା ଦିଆଯାଉଥିବା ବେଳେ ରାଜ୍ୟରେ ଏଥର ପଦ୍ମ ଫୁଟାଇବା ପାଇଁ କସରତ କରୁଛି ବିଜେପି। ଏହାରି ମଧ୍ୟରେ ଓଡ଼ିଶା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି। କାରଣ ଲକ୍ଷ୍ୟ ରହିଛି ୧୬ରୁ ଅଧିକ ଲୋକସଭା ଆସନରେ ଜିତିବା। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏଥି ପାଇଁ କରାଯାଉଛି ପ୍ଲାନିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରୁ ପ୍ରଥମ ନିର୍ବାଚନୀ ସଭା ଆରମ୍ଭ କରିଛନ୍ତି। ଆଗକୁ କେଉଁ କେଉଁ ରାଷ୍ଟ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସିବେ, କେଉଁଠି ସମାବେଶ କରିବେ ସେନେଇ ବିଚାର ଆଲୋଚନା ଆରମ୍ଭ ହୋଇଛି। ଏହାକୁ ନଜରରେ ରଖି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୂଆ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀ ଲତା ଉସେଣ୍ଡି। ଏହି ଦୁଇ ନେତା ସୋମବାର ରାଜ୍ୟ କାର୍ଯ୍ୟାଳୟରେ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି, ନବନିଯୁକ୍ତ ଲୋକସଭା ପ୍ରଭାରୀ ଓ ମୋର୍ଚ୍ଚା ସଭାପତିମାନଙ୍କ ସହ ପୃଥକ ପୃଥକ ଆଲୋଚନା କରି ମତାମତ ଲୋଡ଼ିବେ। ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କୁ ରିପୋର୍ଟ ଦେବେ। ଏହାକୁ ଆଧାର କରି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଓଡ଼ିଶା ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।

ଏପରିକି ଓଡ଼ିଶାରେ କେଉଁ ଲୋକସଭା ଆସନ ପାଇଁ କେଉଁମାନେ ଆଶାୟୀ ପ୍ରାର୍ଥୀ ଅଛନ୍ତି ତା’ର ତାଲିକା ମଧ୍ୟ ଏହି ନେତାମାନେ ଆଗୁଆ ଦେବେ। ଫଳରେ ରାଷ୍ଟ୍ରୀୟ ନେତା ସମାବେଶ କରିବାବେଳେ ସେହି ନେତାଙ୍କ ମଧ୍ୟରୁ କାହାକୁ ଅଧିକ ଗୁରୁତ୍ବ ମିଳିବ, ତାହା ସ୍ଥିର ହେବ। ସୋମବାର ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି ଯେ ଏଥର ଓଡ଼ିଶାରେ ଡବଲ୍‌ ଇଞ୍ଜିନ ସରକାର ହେବ। ସାଧାରଣ ନିର୍ବାଚନରେ ୮୦ରୁ ଅଧିକ ବିଧାୟକ ଏବଂ ଲୋକସଭାରେ ୧୬ରୁ ଅଧିକ ସାଂସଦ ଜିତିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି।

ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଏଥର ବିଜେପିର ହିଁ ସରକାର ହେବ ବୋଲି ସହପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳାମାନଙ୍କ ପାଇଁ ବହୁତ ବିକାଶ ମୂଳକ କାର୍ଯ୍ୟ ହୋଇଛି। ମହିଳାମାନେ ଆମ ସହିତ ଅଛନ୍ତି। ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢ଼ିବାରେ ମହିଳାଙ୍କର ସବୁଠୁ ବଡ଼ ଅବଦାନ ରହିବ। ରାମ ମନ୍ଦିର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। ଆମେ ଏଠି ସରକାର ଗଢ଼ିବାରେ ସମର୍ଥ ହେବୁ ବୋଲି ସେ କହିଛନ୍ତି।

ନବନିଯୁକ୍ତ ପ୍ରଭାରୀ ଓ ସହପ୍ରଭାରୀ ଆସନ୍ତାକାଲି ଏନେଇ ସବିଶେଷ ଆଲୋଚନା କରିବା ପରେ କ୍ଷେତ୍ରୀୟ ପ୍ରଭାରୀଙ୍କ ମାଧ୍ୟମରେ ରାଷ୍ଟ୍ରୀୟ ସଭାପତିଙ୍କୁ ରିପୋର୍ଟ ଦେବେ। କିଛି ଦିନ‌ ତଳେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳର ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ଲୋକସଭା ପ୍ରଭାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାସହ କେଉଁ ଆସନରେ କେଉଁମାନେ ଆଶାୟୀ ପ୍ରାର୍ଥୀ ଅଛନ୍ତି ସେନେଇ ବି ପ୍ରାରମ୍ଭିକ ସ୍ତରରେ ତାଲିକା ପ୍ରସ୍ତୁତ ହୋଇଛି। ଏବେ ମୁଖ୍ୟତଃ ଲୋକସଭା ଆସନଗୁଡ଼ିକ ପାଇଁ ଅଧିକ ଫୋକସ୍ ଦିଆଯାଇଛି। ବିଧାନସଭା ଆସନଗୁଡ଼ିକ ପାଇଁ ଶୀଘ୍ର ରଣନୀତି ଚୂଡ଼ାନ୍ତ ହେବ। ରାଷ୍ଟ୍ରୀୟ ନେତାମାନେ ଓଡ଼ିଶାରେ ସମାବେଶ କଲେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଉଠାଇବେ। ଏହାସହ ରାଜ୍ୟ ସରକାରଙ୍କୁ କିପରି ସେମାନେ ସିଧାସଳଖ ସମାଲୋଚନା କରିବେ ସେନେଇ ସମସ୍ତ ତଥ୍ୟ ପ୍ରସ୍ତୁତ କରି ଦିଆଯାଉଛି। ତେବେ ଦେଖିବା ବାକି ରହିଲା ଦଳୀୟ ରଣନୀତିରେ ଜନତା କେତେ ସାଥ ଦଉଛନ୍ତି।

Leave A Reply

Your email address will not be published.