ନୂଆଦିଲ୍ଲୀ: ପ୍ରତିବର୍ଷ ୨୬ ଜାନୁଆରୀରେ ବଡ ଧୂମଧାମରେ ଦେଶ ପାଳନ କରେ ଗଣତନ୍ତ୍ର ଦିବସ। ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ଆୟୋଜିତ ହୁଏ ପରେଡ। ହେଲେ ଆପଣ ଜାଣନ୍ତି କି, ଏହି ଐତିହାସିକ ପରେଡ କେବଳ ଦିଲ୍ଲୀରେ କାହିଁକି କରାଯାଇଥାଏ ଓ କେବେ ହୋଇଥିଲା ଏହାର ଆରମ୍ଭ ?
ଦେଶ ସ୍ବାଧୀନ ହେବା ପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶ ପାଳିଥିଲା ପ୍ରଥମ ଗଣତନ୍ତ୍ର ଦିବସ। ଏହି ଅବସରରେ ପ୍ରଥମ ପରେଡ ସେସମୟର ଇରବିନ ଷ୍ଟାଡିୟମ ବା ବର୍ତ୍ତମାନର ମେଜର ଧ୍ୟାନଚନ୍ଦ ନ୍ୟାସନାଲ ଷ୍ଟାଡିୟମରେ ହୋଇଥିଲା । ଏହି ପରେଡରେ ସେ ସମୟର ସ୍ଥଳ ସେନା, ବାୟୁ ସେନା ଓ ନୌସେନା ଚମତ୍କାର ଭାବେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହାପରେ ୧୯୫୫ ରେ ଏହି ପରେଡକୁ ରାଜପଥ ବା କର୍ତ୍ତବ୍ୟ ପଥକୁ ସ୍ଥାନାନ୍ତରିତ କରାଯାଇଥିଲା। ସେବେଠୁ ଏହି ପରେଡ କର୍ତ୍ତବ୍ୟ ପଥରେ ଆୟୋଜିତ ହୋଇଆସୁଛି।
କ’ଣ ଏହି ମୁଖ୍ୟ ଅତିଥି ନିମନ୍ତ୍ରଣ ପରମ୍ପରା ?
ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କୁ ନିମନ୍ତ୍ରଣ ପରମ୍ପରା ୧୯୫୦ରେ ଆରମ୍ଭ ହୋଇଥିଲା। ସେ ସମୟରେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣ ଭାରତର ପ୍ରଥମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ପରମ୍ପରା ଅନୁସାରେ ପ୍ରତି ବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ଜଣେ ପ୍ରମୁଖ ବିଦେଶୀ ନେତାଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ କରାଯାଏ। ଚଳିତ ବର୍ଷ ମଧ୍ୟ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱ ସୁବିୟାନ୍ତୋ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ।
କ’ଣ ରହିଛି ପରେଡର ଉଦ୍ଦେଶ୍ୟ ଓ ମହତ୍ଵ ?
ଦେଶବାସୀଙ୍କୁ ଭାରତୀୟ ସୈନ୍ୟ ବଳର ଶକ୍ତି, ସୁରକ୍ଷା ପ୍ରସ୍ତୁତି ଓ ଭାରତୀୟ ବିବିଧତାର ପରିଚୟ ଉଦ୍ଦେଶ୍ୟରେ ଗଣତନ୍ତ୍ର ଦିବସରେ ପରେଡ ଆୟୋଜିତ ହୋଇଥାଏ। ଏହି ପରେଡରେ ଭାରତୀୟ ସେନାର ସୈନ୍ୟ ଉପକରଣ ଓ ଯାନବାହନ ପ୍ରଦର୍ଶିତ ହୋଇଥାଏ। ଭାରତୀୟ ସେନା କିଭଳି ଭାବରେ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ, ତାର ନିଚ୍ଛକ ଚିତ୍ର ଏଠାରେ ଦେଖିବାକୁ ମିଳିଥାଏ।
ଏହାବ୍ୟତୀତ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥାଏ। ଏହା ଦେଶର ସାଂସ୍କୃତିକ ବିବିଧତା ଓ ଅଖଣ୍ଡତାକୁ ନିଖୁଣ ଭାବରେ ଦର୍ଶାଇ ଥାଏ।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.