Latest Odisha News

BREAKING NEWS

କେବେ ସରିବ ଦିଲୀପ ରାୟଙ୍କ ରାଜନୈତିକ ଅଜ୍ଞାତବାସ ?

ଭୁବନେଶ୍ୱର: ହକି ବିଶ୍ୱକପକୁ ନେଇ ଉଠୁଛି ପଡ଼ୁଛି ରାଉରକେଲା । ହେଲେ ଏତେ ବଡ଼ ଆୟୋଜନରେ ରାଉରକେଲାର ବରିଷ୍ଠ ରାଜନେତା ତଥା ହୋଟେଲିୟର୍ ଦିଲୀପ ରାୟଙ୍କୁ ଦେଖିବାକୁ ମିଳୁନି । ଯାହାକୁ ନେଇ ଖାଲି ରାଉରକେଲା କାହିଁକି ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି ।

ହକି ବିଶ୍ୱକପ୍ ବେଳେ ଦିଲୀପ ରାୟ ଗଲେ କୁଆଡ଼େ ? ପ୍ରଶାସନ ଦିଲୀପଙ୍କୁ ଡାକୁନି ନା ଦିଲୀପ ଆସୁ ନାହାନ୍ତି ? ସେ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆଗକୁ ରହିଛି ୨୦୨୪ ନିର୍ବାଚନ । ୨୦୧୪ରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ଦିଲୀପ ରାୟ । ହେଲେ ପ୍ରଧାନମନ୍ତ୍ରୀ ମୋଦି ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହେବାରୁ ୨୦୧୮ରେ ବିଜେପି ଛାଡ଼ିବା ସହ ଦିଲୀପ ସ୍ୱାଭିମାନର ସହ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

୨୦୧୯ ନିର୍ବାଚନ ବେଳେ ଦିଲୀପ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଚର୍ଚ୍ଚା ହେଉଥିଲା ବିଜେଡିର ପ୍ରତିଷ୍ଠାତା ସଦ୍ୟସ ଦିଲୀପ ପୁଣି ବିଜେଡିକୁ ଫେରିବେ । କିନ୍ତୁ ୨୦୧୯ ନିର୍ବାଚନରେ ସେମିତି କିଛି ହୋଇ ନଥିଲା । ରାଉରକେଲା ଆସନରୁ ବିଜେପି ଟିକେଟରୁ ନିହାର ରାୟ ଲଢ଼ି ବିଜେଡିର ଶାରଦା ପ୍ରସାଦ ନାୟକଙ୍କ ଠାରୁ ହାରିଥିବା ବେଳେ ଦିଲୀପ ଲଢ଼ି ନଥିଲେ ନିର୍ବାଚନ ।

ଏବେ ୨୦୨୪ ନିର୍ବାଚନକୁ ବର୍ଷେରୁ ଅଧିକ ସମୟ ଥିବା ବେଳେ ହକିକୁ ନେଇ ଉତ୍ସବମୁଖର ରାଉରକେଲା । ହେଲେ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମରେ ଦିଲୀପଙ୍କୁ ଦେଖିବାକୁ ମିଳୁନି । ପ୍ରଶାସନ ତାଙ୍କୁ କାର୍ଯ୍ୟକ୍ରମକୁ ଡାକୁନି ନା ଆସିବାକୁ ଦିଲୀପଙ୍କ ଇଚ୍ଛା ନାହିଁ । ସେନେଇ ଖୋଦ୍ ଦିଲୀପ ମୁହଁ ଖୋଲୁ ନାହାଁନ୍ତି ।

କିନ୍ତୁ ସମୟ ସମୟରେ ଦିଲୀପ ରାଉରକେଲା ସହ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ଟ୍ୱିଟ୍ କରୁଛନ୍ତି । ବିଜେପି ଛାଡ଼ିବା ପରେ ଦିଲୀପ କେବେ ପ୍ରଧାନମନ୍ତ୍ରୀ ମୋଦି ତ ଆଉ କେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶଂସା କରୁଛନ୍ତି ।

୨୦୨୦ ଅକ୍ଟୋବରରେ ସିବିଆଇ କୋର୍ଟ ଦିଲୀପ ରାୟଙ୍କୁ କୋଇଲା ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ଯାହାକୁ ଦେଖିଲେ ଲାଗୁଛି ଦିଲୀପଙ୍କ ପାଇଁ ବିଜେପି ଫେରିବା ସେତେଟା ସହଜ ନୁହେଁ । କାରଣ ୧୯୯୯ ବାଜପେୟୀ ସରକାରରେ ଦିଲୀପ ରାୟ କେନ୍ଦ୍ର କୋଇଲା ମନ୍ତ୍ରୀ ଥିବା ବେଳେ କୋଲ୍ ବ୍ଲକ ଆବଣ୍ଟନରେ ଏହି ଦୁର୍ନୀତି ହୋଇଥିଲା ।

ଏବେ ୨୦୨୪ ନିର୍ବାଚନ ପୂର୍ବରୁ ଦିଲୀପ ପୁଣି ବିଜେଡିକୁ ଫେରିବା ନେଇ ବେଶ୍ ଚର୍ଚ୍ଚା ହେଉଛି । ହେଲେ ୨୦୧୯ରେ ନବୀନ ନିବାସ ଯାଇ ଯେଉଁ କାରଣ ପାଇଁ ଦିଲୀପ ବିଜେଡିରେ ମିଶି ପାରି ନଥିଲେ ତାହା ୨୦୨୪ ନିର୍ବାଚନ ପୂର୍ବରୁ ସଫଳ ହେବ ତ ? ନା ୨୦୨୪ରେ ଦିଲୀପ ଲଢ଼ିବେ ନାହିଁ ନିର୍ବାଚନ । ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଦିଲୀପ ରାୟ ସେ ନେଇ କିଛି ମୁହଁ ଖୋଲୁ ନାହାଁନ୍ତି ।

Leave A Reply

Your email address will not be published.