Latest Odisha News

BREAKING NEWS

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ? ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ରହିବ ନଜର

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗି ରହିଥିବା ଛକାପଞ୍ଝା ସ୍ଥିତି ଆଜି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଡିଜିପି ଚୟନ ପାଇଁ ରାଜ୍ୟ ସରକାର ୟୁପିଏସସିକୁ ପ୍ରଦାନ କରିଥିବା ତାଲିକାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମ୍ବେଦନଶୀଳ ମାମଲାର ବିଚାର କରିବେ । ଆଜିର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରୁଥିବା ଆମିକସ୍ କ୍ୟୁରି ବା ନ୍ୟାୟମିତ୍ର ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ନିଜର ବହୁପ୍ରତୀକ୍ଷିତ ରିପୋର୍ଟ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ବିବାଦର ମୂଳ କାରଣ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ୟୁନିୟନ ପବ୍ଲିକ ସର୍ଭିସ କମିଶନକୁ ପଠାଯାଇଥିବା ଆଇପିଏସ ଅଧିକାରୀଙ୍କ ତାଲିକାରେ ହୋଇଥିବା ପରିବର୍ତ୍ତନ । ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାର ସୁଧାଂଶୁ ଷଡ଼ଙ୍ଗୀ, ଆର୍.ପି. କୋଚେ ଓ ସୁଶାନ୍ତ କୁମାର ନାଥଙ୍କ ଭଳି ୩ ଜଣ ବରିଷ୍ଠ ଡିଜି ପାହ୍ୟାର ଅଧିକାରୀଙ୍କ ନାମ ସୁପାରିଶ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ତାଲିକାରେ ଅତିରିକ୍ତ ଭାବେ ୮ ଜଣ ଏଡିଜି ପାହ୍ୟାର ଅଧିକାରୀଙ୍କୁ ସାମିଲ କରାଯାଇ ମୋଟ ୧୧ ଜଣଙ୍କ ନାମ ୟୁପିଏସସିକୁ ପ୍ରଦାନ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଯୁକ୍ତି ବାଢ଼ିଛନ୍ତି ଯେ, କନିଷ୍ଠ ଅଧିକାରୀଙ୍କୁ ଏହି ଦୌଡ଼ରେ ସାମିଲ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି, ଯାହାକି ୨୦୦୬ ମସିହାର ଐତିହାସିକ ‘ପ୍ରକାଶ ସିଂହ’ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶାବଳୀର ସିଧାସଳଖ ଉଲ୍ଲଂଘନ ।

ଅନ୍ୟପକ୍ଷରେ, ରାଜ୍ୟ ସରକାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି । ସରକାରଙ୍କ ଯୁକ୍ତି ହେଉଛି ଯେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି ଏକ ନିୟମିତ ତଥା ସ୍ୱାଭାବିକ ପ୍ରଶାସନିକ ପ୍ରକ୍ରିୟା । ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ଅଧିକାରୀମାନଙ୍କୁ ସାମିଲ କରି ୟୁପିଏସସିକୁ ସାନି ତାଲିକା ପଠାଇବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି । ଏହି ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ, ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ଓଡ଼ିଶା ଡିଜିପି ପାଇଁ ୩ ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ ନକରିବାକୁ କୋର୍ଟ ପୂର୍ବରୁ ୟୁପିଏସସିକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ସେପ୍ଟେମ୍ବର ୨ ତାରିଖରେ ହୋଇଥିବା ଶେଷ ଶୁଣାଣି ବେଳେ ଆମିକସ୍ କ୍ୟୁରି ନିଜ ରିପୋର୍ଟ ପ୍ରଦାନ କରିବା ପାଇଁ ଅଧିକ ସମୟ ମାଗିଥିଲେ, ଯେଉଁଥିପାଇଁ ମାମଲାକୁ ଆଜି ଅର୍ଥାତ୍ ସେପ୍ଟେମ୍ବର ୭ କୁ ଘୁଞ୍ଚାଇ ଦିଆଯାଇଥିଲା । ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ପୋଲିସ ବିଭାଗକୁ ରାଜନୈତିକ ଚାପରୁ ମୁକ୍ତ ରଖିବା ପାଇଁ ବରିଷ୍ଠତା, ସେବା ରେକର୍ଡ ଓ ନେତୃତ୍ୱ ନେବାର କ୍ଷମତା ଭିତ୍ତିରେ ୟୁପିଏସସି ପ୍ରସ୍ତୁତ କରୁଥିବା ୩ ଜଣିଆ ପ୍ୟାନେଲରୁ ହିଁ ଡିଜିପି ନିଯୁକ୍ତି ହେବ । ଆଜି କୋର୍ଟ ଉଭୟ ପକ୍ଷର ଯୁକ୍ତି ଓ ଆମିକସ୍ କ୍ୟୁରିଙ୍କ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ୟୁପିଏସସି ଉପରେ ଲଗାଇଥିବା ରୋକ୍ ହଟାଇବେ କିମ୍ବା ନୂଆ ନିର୍ଦ୍ଦେଶ ଦେବେ ତାହା ଉପରେ ସମସ୍ତଙ୍କ ନଜର । ଯଦି କୋର୍ଟ ଗ୍ରୀନ ସିଗ୍ନାଲ ଦିଅନ୍ତି, ତେବେ ରାଜ୍ୟର ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ପାଇଁ ବାଟ ଖୋଲିଯିବ, ନଚେତ୍ ପ୍ରକ୍ରିୟା ଆହୁରି ବିଳମ୍ବିତ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.