ମୁମ୍ବାଇ: ଲୋକପ୍ରିୟ ୱେବ୍ ସିରିଜ୍ ‘ମିର୍ଜାପୁର’ର ଅପାର ସଫଳତା ପରେ ଏବେ ଏହା ଉପରେ ଆଧାରିତ ‘ମିର୍ଜାପୁର- ଦ ମୁଭି’ ବଡ଼ ପରଦାକୁ ଆସିସାରିଛି ଏବଂ ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଛି । ସିରିଜ୍ ଭଳି ଫିଲ୍ମରେ ମଧ୍ୟ ଅନେକ ଚର୍ଚ୍ଚିତ ଚରିତ୍ର ପୁନର୍ବାର ନଜର ଆସିଛନ୍ତି, ଯେଉଁଥିରେ କାଲିନ୍ ଭୈୟାଙ୍କ ପତ୍ନୀ ‘ବୀନା ତ୍ରିପାଠୀ’ ଅର୍ଥାତ୍ ଅଭିନେତ୍ରୀ ରସିକା ଦୁଗ୍ଗଲ ଅନ୍ୟତମ । ନିଜ ବୋଲ୍ଡ ଆଉ ନିଜର ଅନ୍ଦାଜ ପାଇଁ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ରସିକା ନିକଟରେ ଫିଲ୍ମ ସେଟ୍ରେ ଇଣ୍ଟିମେଟ୍ ବା ବୋଲ୍ଡ ସିନ୍ ସୁଟିଂକୁ ନେଇ ନିଜର ଖୋଲା ମତ ରଖିଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ରସିକା କହିଛନ୍ତି ଯେ, ଆଜିକାଲି ଫିଲ୍ମରେ ବୋଲ୍ଡ ସିନ୍ ସୁଟିଂ କରିବା ପୂର୍ବ ଅପେକ୍ଷା ବହୁତ ସହଜ ଏବଂ ସୁରକ୍ଷିତ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଉଛି ସେଟ୍ରେ ‘ଇଣ୍ଟିମେସି କୋଅର୍ଡିନେଟର୍’ ବା ଗାଇଡ୍ଙ୍କ ଉପସ୍ଥିତି । ସେ ଏହି ପ୍ରକ୍ରିୟାକୁ ଡ୍ୟାନ୍ସ ବା ଆକ୍ସନ ସିନ୍ ସହିତ ତୁଳନା କରି କହିଛନ୍ତି, “ଯେମିତି ଏକ ଡ୍ୟାନ୍ସ ସିନ ପାଇଁ କୋରିଓଗ୍ରାଫର୍ ଏବଂ ଆକ୍ସନ ସିନ୍ ପାଇଁ ଫାଇଟ୍ ମାଷ୍ଟରଙ୍କ ଆବଶ୍ୟକତା ଥାଏ, ଠିକ୍ ସେହିପରି ଇଣ୍ଟିମେଟ୍ ସିନ୍ ପାଇଁ ଏବେ ଇଣ୍ଟିମେସି କୋଅର୍ଡିନେଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସୁଟିଂ ସମୟରେ ଯେପରି କେହି ନିଜକୁ ଅସହଜ କିମ୍ବା ଠକାମିର ଶିକାର ହୋଇଥିବା ଅନୁଭବ କରିବେ ନାହିଁ, ସେଥିପାଇଁ ଏହି କୋଅର୍ଡିନେଟର୍ ମାନେ ବିଶେଷ ଧ୍ୟାନ ରଖିଥାନ୍ତି ।”
ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, କୌଣସି ଇଣ୍ଟିମେଟ୍ ସିନ୍ ସୁଟିଂ ହେବା ପୂର୍ବରୁ ଏକ ସ୍ୱତନ୍ତ୍ର ୱାର୍କସପ୍ କରାଯାଇଥାଏ । ଏଥିରେ କଳାକାରମାନଙ୍କ ସହ ଆଲୋଚନା କରାଯାଇ ଜାଣିବାକୁ ଚେଷ୍ଟା କରାଯାଏ ଯେ କେଉଁ ସିନ୍ ପାଇଁ ସେମାନେ ସହଜ ଅନୁଭବ କରୁଛନ୍ତି ଏବଂ କେଉଁଥିରେ ଅସହଜ ଅଛନ୍ତି । ଯଦି କେହି କୌଣସି ସିନ୍ କରିବାକୁ ନେଇ ନିଜର ଅସହଜତା ପ୍ରକାଶ କରନ୍ତି, ତେବେ କୋଅର୍ଡିନେଟର୍ମାନେ ଅନ୍ୟ ବିକଳ୍ପ ବାହାର କରି ଦୃଶ୍ୟକୁ ସୁଟିଂ କରାଇଥାନ୍ତି, ଯାହା ଦ୍ୱାରା ନିର୍ଦ୍ଦେଶକଙ୍କ କାମ ମଧ୍ୟ ସୁରୁଖୁରୁରେ ହୋଇଯାଏ ଆଉ କଳାକାର ମଧ୍ୟ ମାନସିକ ସ୍ତରରେ ଚାପମୁକ୍ତ ରହନ୍ତି ।
ମିର୍ଜାପୁରର ପ୍ରଥମ ସିଜନ୍ କଥା ମନେପକାଇ ରସିକା କହିଛନ୍ତି ଯେ, ସେତେବେଳେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭଳି କୋଅର୍ଡିନେଟର୍ଙ୍କ କନସେପ୍ଟ ନଥିଲା । ଏସବୁ କେବଳ ପାଶ୍ଚାତ୍ୟ ବା ଇଂରାଜୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୀମିତ ଥିଲା । କିନ୍ତୁ ମିର୍ଜାପୁରର ସମ୍ପୂର୍ଣ୍ଣ ଟିମ୍ ଏବଂ ନିର୍ଦ୍ଦେଶକ ବହୁତ ସମ୍ବେଦନଶୀଳ ଥିବାରୁ, ସେତେବେଳେ ମଧ୍ୟ କଳାକାରଙ୍କ ସହଜତା ଉପରେ ପୁରା ଧ୍ୟାନ ଦିଆଯାଇଥିଲା । ବର୍ତ୍ତମାନ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଥିବାରୁ ଆବଶ୍ୟକ ସ୍ଥଳେ ଅଭିନେତାମାନେ ‘କ୍ଲୋଜ୍ ସେଟ୍’ର ମଧ୍ୟ ପ୍ରସ୍ତାବ ଦେଇପାରୁଛନ୍ତି, ଯେଉଁଠି କେବଳ ଦରକାରୀ ଲୋକ ହିଁ ଉପସ୍ଥିତ ରହୁଛନ୍ତି ଏବଂ ଅନ୍ୟମାନଙ୍କୁ ସେଠାରୁ ହଟାଇ ଦିଆଯାଉଛି । ରସିକାଙ୍କ ଏହି ଖୁଲାସାରୁ ଜଣାପଡୁଛି ଯେ, ବଲିଉଡ୍ ଇଣ୍ଡଷ୍ଟ୍ରି ଏବେ କଳାକାରଙ୍କ ବ୍ୟକ୍ତିଗତ ସୁରକ୍ଷା ଓ ସମ୍ମାନକୁ ଅଧିକ ପ୍ରାଧାନ୍ୟ ଦେଉଛି ।

