ଭୁବନେଶ୍ବର: ବିଜେଡି ରାଜନୀତିରେ ଟୁଇଷ୍ଟ ପରେ ଟୁଇଷ୍ଟ। ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟ୍ ପରଠୁ ନେତାଙ୍କ ବୟାନବାଜିରେ ଉଠୁଛି ପଡୁଛି ରାଜନୀତି। ଦଳର ଆଭିମୁଖ୍ୟରେ ୟୁ-ଟର୍ଣ୍ଣ ପରଠୁ ଅନେକ ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କୁ କାଠଗଡାକୁ ଟାଣିଲେ। ମୁନା ଖାଁ ନବୀନଙ୍କୁ ଭେଟିଲେ ତ ପାଣ୍ଡିଆନ ଗୋ ବ୍ୟାକର ନାରା ଲଗାଇଲେ କର୍ମୀ। ହେଲେ ଠିକ୍ ତା ପରେ ପରେ ସୋସିଆଲ୍ ମିଡିଆରେ ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ବିଜେଡି ସାଂସଦ। ପ୍ରଶ୍ନ ଉଠୁଛି, ବିଜେଡିରେ ଚାଲିଛି କଣ ? କୁହାଯାଉଛି, ସୁଜାତାଙ୍କୁ ବିଜେଡିରେ ଏଣ୍ଟ୍ରି କରାଇବାକୁ କୁଆଡେ ମଞ୍ଚ ପ୍ରସ୍ତୁତି ଚାଲିଛି। ଆଉ ସୁଜାତାଙ୍କ ଏଣ୍ଟ୍ରି ରୋକିବାକୁ ଲାଗି ପଡିଛନ୍ତି ପାଣ୍ଡିଆନ ବିରୋଧୀ ଗୋଷ୍ଠୀ।
ପାଣ୍ଡିଆନଙ୍କ ସପକ୍ଷରେ ବିଜେଡି ସାଂସଦ
ଭଲ କରି ଦେଖନ୍ତୁ ଏସବୁ ସୋସିଆଲ୍ ମିଡିଆ ପୋଷ୍ଟକୁ । ବିଜେଡି ସାଂସ ଦ ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ ପାଣ୍ଡିଆନଙ୍କ ସୁରକ୍ଷାରେ କେମିତି ଗୋଟିଏ ପରେ ଗୋଟିଏ ପୋଷ୍ଟ କରିଛନ୍ତି। ପାଣ୍ଡିଆନଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟଙ୍କ ବୟାନକୁ ନିନ୍ଦା କରିବା ସହ ପାଣ୍ଡିଆନ 10ମାସ ହେଲା ରାଜନୀତିରେ ନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି। ଓ୍ବକଫ୍ ବିଲ ଭୋଟକୁ ନେଇ ଅଯଥାରେ ପାଣ୍ଡିଆନଙ୍କୁ ବଦନାମ କରାଯାଉଥିବା କହିଛନ୍ତି ସାଂସଦ। ସୁଲତା ଦେଓ ତ ଦେବାଶିଷ ସାମନ୍ତରାୟ ପୁରୁଣା ରାଗ ଶୁଝାଉଥିବା କଥା ବି ସୋସିଆଲ୍ ମିଡିଆରେ ଫଟୋ ସହ ପୋଷ୍ଟ କରିଛନ୍ତି।
ପାଣ୍ଡିଆନଙ୍କୁ ନେଇ ବିଜେଡି ଦୁଇ ଫାଳ !
ଓ୍ବକଫ୍ ବିଲ୍ ଭୋଟକୁ ନେଇ ପ୍ରଥମେ ସସ୍ମିତ ପାତ୍ର ଓ ପରେ ଭିକେ ପାଣ୍ଡିଆନଙ୍କ ନାଁ ନେଇ ସିଧାସଳଖ ଟାର୍ଗେଟ୍ କରିଥିଲେ ଦଳର ବରିଷ୍ଠ ନେତା। ଦେବାଶିଷ ସାମନ୍ତରାୟ ହୁଅନ୍ତୁ କି ପ୍ରଭାତ ତ୍ରିପାଠୀ, ପାଣ୍ଡିଆନଙ୍କୁ ସିଧାସଳଖ ନିଶାନା ବନାଇଥିଲେ। ସସ୍ମିତଙ୍କ ନିଷ୍ପତ୍ତି ପଛରେ ନିର୍ଦ୍ଦେଶ କାହାର ବୋଲି ସିଧାସଳଖ ପ୍ରଶ୍ନ କରିଥିଲେ। କିଛି ନେତା ପରୋକ୍ଷରେ ତ କିଛି ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ। ଏବେ କିଛି ସାଂସଦ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ଦେବାଶିଷ ସାମନ୍ତରାୟଙ୍କୁ କାଠଗଡାକୁ ଟାଣିଛନ୍ତି।
ମୌନ ମୁଦ୍ରାରେ ନବୀନ
ବିଜେଡି ସେସବୁ ଘଟୁଛି, ଯାହା ଦଳ ଗଠନ ପରଠୁ କେବେ ଘଟିନଥିଲା। ବିଜେଡିର ନେତୃତ୍ବ କିମ୍ବା ନିଷ୍ପତିକୁ କେବେ ପ୍ରଶ୍ନ କରିନଥିଲେ କୌଣସି ନେତା। ହେଲେ ଏବେ ବିଜେଡିରେ ଗୋଷ୍ଠୀ ବିବାଦ ଜୋରଦାର ହୋଇଥିବା ବେଳେ ମୌନ ମୁଦ୍ରାରେ ରହିଛନ୍ତି ନବୀନ। ବିବେକ ଅନୁସାରେ ଯଦି ଭୋଟ୍ ଦେବା ନିଷ୍ପତି ନବୀନ ନେଇଥିଲେ, ତେବେ ସେ ସ୍ପଷ୍ଟ କରିବା ଆବଶ୍ୟକ। ଆଉ ଯଦି ତାଙ୍କ ଅଜାଣତରେ ଦଳରେ ପାଣ୍ଡିଆନ କିମ୍ବା ଅନ୍ୟ କେହି ନିଷ୍ପତି ନେଇଛନ୍ତି ତେବେ ଏହା ସାଂଘାତିକ କଥା।
ଗତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରଠୁ ଦଳର ଅନେକ ନେତାଙ୍କ ମନରେ ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ରହିଥିଲା। ତେବେ ଓ୍ବକଫ୍ ଭୋଟ ସେ ନିଆଁକୁ ତେଜିଥିଲା। ତେବେ ପାଣ୍ଡିଆନ ସପକ୍ଷବାଦୀ ବୟାନବାଜି ଯୁଦ୍ଧକୁ ଡେଇଁବା ପରେ ସେମାନଙ୍କ ଟାର୍ଗେଟରେ ରହିଛନ୍ତି ଦେବାଶିଷ ସାମନ୍ତରାୟ। ଚର୍ଚ୍ଚା ହେଉଛି, ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ଦଳ। ତେବେ ପ୍ରଶ୍ନ ଉଠୁଛି, ନବୀନ ପଟ୍ଟନାୟକଙ୍କ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଚୁପ୍ ସଇତାନ୍ କହି ଆକ୍ଷେପ କରିଥିବା ବେଳେ ଏହି ସାଂସଦ ମାନେ କେଉଁଠି ଥିଲେ ? କାହିଁକି ସେତେବେଳେ ମୁହଁ ଖୋଲିଲେନି? ପାଣ୍ଡିଆନଙ୍କ ବିରୋଧରେ ପଦେ ଶୁଣି ସାଂସଦମାନେ ଚାରିତରଫା ଆକ୍ରମଣ କରୁଥିବା ବେଳେ, ଏତିକି ସ୍ପଷ୍ଟ ବିଜେଡିରେ ଏବେବି ପାଣ୍ଡିଆନଙ୍କ ଦବଦବା ପୂର୍ବଭଳି ରହିଛି।
Comments are closed.