Latest Odisha News

BREAKING NEWS

ରାହୁଲଙ୍କୁ କହୁଥିଲେ, ଏବେ ମୋଦି ନିଜେ ସେୟା କଲେ!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ଦେଶରେ ଏବେ ପ୍ରତିବର୍ଷ ନୂଆ ଆଇଆଇଟି ଓ ଆଇଆଇଏମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ କହିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

ମୋଦି ଆମେରିକାରେ ଏ କଥା କହିଥିଲେ ମଧ୍ୟ ଗତ ପାଞ୍ଚ ବର୍ଷରେ ଦେଶରେ ନୂଆ ଆଇଆଇଟି କିମ୍ବା ଆଇଆଇଏମ କରାଯାଇ ନାହିଁ ବୋଲି ଖୋଦ କେନ୍ଦ୍ର ସରକାର ସଂସଦରେ କହିଛନ୍ତି। ଯାହାକୁ ନେଇ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏତେ ମିଛ କାହିଁକି କହୁଛନ୍ତି ବୋଲି ଟ୍ୱିଟ ମାଧ୍ୟମରେ ପ୍ରଶ୍ନ କରିଛି କଂଗ୍ରେସ। ଖୋଦ ସରକାରଙ୍କ ପକ୍ଷରୁ ଦେଶରେ ଗତ ପାଞ୍ଚ ବର୍ଷରେ କୌଣସି ଆଇଆଇଟି ଓ ଆଇଆଇଏମ ହୋଇ ନ ଥିବା ସଂସଦରେ କୁହାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ ଏଡ଼େ ବଡ଼ ମିଛ କେମିତି କହିପାରିଲେ ବୋଲି ପ୍ରଶ୍ନ କରି ମୋଦିଙ୍କୁ ଘେରିଛି କଂଗ୍ରେସ।

ଦେଶର ଆଇଆଇଟି ଓ ଆଇଆଇଏମ ସମ୍ପର୍କିତ ପ୍ରଶ୍ନର ଏକ ଲିଖିତ ଉତ୍ତର ରଖି କେନ୍ଦ୍ରର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ରାଜ୍ୟସଭାରେ ଏ କଥା କହିଛନ୍ତି।

ଦେଶରେ ବର୍ତ୍ତମାନ ୨୩ ଟି ଆଇଆଇଟି ଏବଂ ୨୦ ଟି ଆଇଆଇଏମ ରହିଛି ବୋଲି ସେ ସୂଚନା ଦେଇଥିବା ବେଳେ ଗତ ପାଞ୍ଚ ବର୍ଷରେ କୌଣସି ଆଇଆଇଟି ଓ ଆଇଆଇଏମ ଖୋଲି ନ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଯାହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜସ୍ଥାନ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିମନ୍ତ୍ରଣ ପ୍ରସଙ୍ଗକୁ ନେଇ କଂଗ୍ରେସ ମୋଦିଙ୍କୁ ଘେରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗେହଲଟଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀକୁ ହଟାଇ ଦେଇଥିବାରୁ ସେ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବା କହିଛନ୍ତି ଗେହଲଟ।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ଗେହଲଟଙ୍କ ଗୋଡରେ ଆଘାତ କାରଣରୁ ସେ ଆସିପାରି ନାହାନ୍ତି ବୋଲି କହିଛନ୍ତି। ଏପରିକି ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବା ସହ ରାଜସ୍ଥାନକୁ ନୂଆ ଉପହାର ଦେଉଥିବାରୁ ଶୁଭକାମନା ଜଣାଉଥିବା କହିଛନ୍ତି। ଯାହାକୁ ନେଇ ବର୍ଷିଛି କଂଗ୍ରେସ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଛର ପର୍ଦାଫାସ ଖୋଦ ସରକାର କରିଥିବା କହିଛି କଂଗ୍ରେସ। ପ୍ରଥମେ ଜାଣିଶୁଣି ମୁଖ୍ୟମନ୍ତ୍ରୀଙ୍କ ଅପମାନ କରୁଛନ୍ତି ଓ ତା ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ କହିଛି।

ଏପରିକି ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାର ମିଛ ପାଇଁ ତିଷ୍ଠିଛି ବୋଲି ଟ୍ୱିଟ ମାଧ୍ୟମରେ କହିଛି କଂଗ୍ରେସ।

Leave A Reply

Your email address will not be published.