ମୁମ୍ବାଇ: ନିଜର ସୁମଧୁର କଣ୍ଠରେ ଗତ ଏକ ଦଶନ୍ଧି ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ଅରିଜିତ ସିଂହଙ୍କୁ କିଏ ବା ନଜାଣେ । ନିଜ ସ୍ୱର ସହିତ ଅରିଜିତ ସିଂହ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ସାରିଛନ୍ତି ଏବଂ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏତେ ବଡ ଷ୍ଟାରଡମ ଏବଂ ଲୋକପ୍ରିୟ ହୋଇଥିଲେ ମଧ୍ୟ ଅରିଜିତଙ୍କ ମନରେ ତିଳେ ହେଲେ ଗର୍ବ କି ଅହଙ୍କାର ମନୋଭାବ ନାହିଁ । ଅତି ସାଧାରଣ ଜୀବନଯାପନ ଅତିବାହିତ କରୁଥିବା ବ୍ୟକ୍ତି ହେଉଛନ୍ତି ଅରିଜିତ ସିଂହ । ତାଙ୍କର ଲୋକପ୍ରିୟ ଏତେ ଯେ, ଯେତେବେଳେ କେଉଁଠାରେ ତାଙ୍କର କନସର୍ଟ ହୁଏ, ସମସ୍ତ ଟିକେଟ୍ ତୁରନ୍ତ ବିକ୍ରି ହୋଇଯାଏ। ନିକଟରେ ଚଣ୍ଡିଗଡ଼ରେ ଅରିଜିତଙ୍କ ଲାଇଭ୍ କନସର୍ଟ ଅନୁଷ୍ଠିତ ହୋଇଥିଲା, ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଦେଖିବା ପରେ ଅରିଜିତଙ୍କ ସମସ୍ତ ପ୍ରଶଂସକ ତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ।
ବାସ୍ତବରେ ଭିଡିଓରେ ଅରିଜିତ ସିଂହ ଲାଇଭ୍ କନସର୍ଟ ଭିତରେ ତାଙ୍କ ବାପାଙ୍କ ସହ ଭିଡିଓ କଲରେ କଥା ହେଉଥିବା ଦେଖିବାକୁ ମିଳିଛି । ଗତ ରବିବାର ଚଣ୍ଡିଗଡ଼ରେ ଅରିଜିତ ସିଂହଙ୍କ କନସର୍ଟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସେ “ଓ ସଜନୀ ରେ” ଗୀତ ପରିବେଷଣ କରୁଥିଲେ। ଗୀତଟି ଗାଉଥିବା ସମୟରେ, ଅରିଜିତ ହଠାତ୍ ଏକ ଭିଡିଓ କଲ୍ ଦେଖିଲେ । ସେ ଫୋନଟି ଉଠାଇ ହାତ ହଲାଇଲେ। ଏହା ଦେଖି ପ୍ରଶଂସକମାନେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଗଲେ କିନ୍ତୁ ତା’ପରେ ଅରିଜିତ ସ୍କ୍ରିନ୍ ଓଲଟାଇ ଦର୍ଶକଙ୍କୁ ଦେଖାଇଲେ । ଦେଖିବା ବେଳକୁ ସ୍କ୍ରିନ୍ ଉପରେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ । ଯାହାକୁ ଦେଖି ପ୍ରଶଂସକମାନେ ବୁଝିଗଲେ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ଆଉ କେହି ନୁହେଁ ବରଂ ଅରିଜିତଙ୍କ ବାପା ।
ତେବେ ଅରିଜିତ ତାଙ୍କ ବାପାଙ୍କ ସହ କଥା ହେବା ସମୟରେ ସ୍ଵଳ୍ପ ସମୟ ପାଇଁ ଗୀତ ଗାଇବା ବନ୍ଦ କରିଦେଇଥିଲେ। ଆଉ କଥା ହୋଇ ସରିବା ପରେ, ଅରିଜିତ ପ୍ରଶଂସକମାନଙ୍କୁ କହିଥିଲେ ଯେ ତାଙ୍କ ବାପା ତାଙ୍କୁ ଫୋନ୍ କରିଥିଲେ। ଅରିଜିତଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି- ତୁମେ ମୋ ହୃଦୟ ଜିତି ନେଲ । ଅନେକ ପ୍ରଶଂସକ ଭିଡିଓରେ ହୃଦୟ ଇମୋଜି ମଧ୍ୟ ପୋଷ୍ଟ କରିବା ସହ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଲାଇକ୍ କରିଛନ୍ତି।
Comments are closed.