Latest Odisha News

କାର୍ତ୍ତିକ ମାସରେ କହିଁକି ସ୍ଥାପନା କରାଯାଏ ଆକାଶ ଦୀପ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଧର୍ମ ମାସ କାର୍ତ୍ତିକ । ଏହି ମାସ ରେ ବିଧବା ମହିଳା ଓ ଧର୍ମ ପରାୟଣା ମହିଳା ମାନେ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥାନ୍ତି କାର୍ତ୍ତିକ ବ୍ରତ। ପ୍ରାତଃ ରୁ ଚଉରା ମୂଳରେ ରାଇ ଦାମୋଦର ପୂଜା କରିବା ସହିତ ସଂଧ୍ୟା ରେ ତୁଳସୀ ଚଉରା ମୂଳରେ ଜାଳିଥାନ୍ତି ଆକାଶ ଦୀପ । ଏହି ମାସ ରେ ବିଭିନ୍ନ ମଠ, ମନ୍ଦିର ମାନଙ୍କରେ ବି ଭକ୍ତ ମାନେ ଆକାଶଦୀପ ଜାଳି ଥାନ୍ତି । କାର୍ତ୍ତିକ ମାସରେ ଚଉରା ମୂଳରେ ଆକାଶ ଦୀପ ଜାଳିବା ପରମ୍ପରା କାହିଁ କେତେ କାଳରୁ ଆମ ଓଡ଼ିଆ ସଂସ୍କୃତି ର ଏକ ଅଙ୍ଗ ଭାବେ ରହି ଆସିଛି । କାର୍ତ୍ତିକ ମାସରେ ଚଉରା ମୂଳରେ ଦୀପ ଜାଳିଲେ ଓ ସଂଧ୍ୟା ରେ ଆକାଶ ଦୀପ ଜାଳିଲେ ପୂର୍ବପୁରୁଷମାନେ ଖୁସି ହୋଇ ଆଶୀର୍ବାଦ କରନ୍ତି ଓ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କାର୍ତ୍ତିକ ପୁରାଣ ରେ ଉଲ୍ଲେଖ ରହିଛି ।

ଏକ ସିଧା ଲମ୍ବା ବାଉଁଶରେ ରଶି ଲଗାଯାଇ ପୋତା ଯାଇଥାଏ। ରଶି ରେ ଏକ ସିକା ବନ୍ଧା ଯାଇ ତା ମଧ୍ୟରେ ଏକ ଛିଦ୍ର ଯୁକ୍ତ ମାଟି ହାଣ୍ଡି ରଖା ଯାଇଥାଏ। ହାଣ୍ଡି ଭିତରେ ବାଲି ଅଳ୍ପ ରଖାଯାଇ ସଂଧ୍ୟାରେ ପୂଜା କରା ଯାଇଥିବା ଜ୍ୱଳନ୍ତ ଘିଅ ଦୀପ ତା ମଧ୍ୟ ରେ ରଖାଯାଇ ହାଣ୍ଡିର ଘୋଡଣୀ ଦେଇ ରଶିରେ ହାଣ୍ଡି କୁ ବାଉଁଶ ଶୀର୍ଷ କୁ ଉଠାଯାଇଥାଏ । ବାଉଁଶ ଶୀର୍ଷରେ ରାତି ସାରା ହାଣ୍ଡି ଭିତରେ ଘିଅ ଦୀପ ଜଳୁଥାଏ । ହାଣ୍ଡିର ଛିଦ୍ର ଦେଇ ଦୀପର ଆଲୋକ ଶିଖା ବହୁଦୂର ପର୍ଯ୍ୟନ୍ତ ଦେଖା ଯାଇଥାଏ । ଏହି ଆଲୋକକୁ ଦେଖି ପିତୃଲୋକ ମାନେ ବାଟ ଦେଖିପାରିଥାନ୍ତି ବୋଲି ବିଶ୍ଵାସ ରହିଛି ।

ଆକାଶ ଦୀପକୁ ଲକ୍ଷ୍ମୀ- ନାରାୟଣ ଓ ରାଧା- ଦାମୋଦରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ବିଶ୍ଵାସ କରାଯାଏ । ଆକାଶ ଦୀପ ଅନନ୍ତ ଆକାଶର ଚାରି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଏ ବୋଲି କୁହାଯାଏ । ଏହି ଦୀପ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଏକ ସଙ୍କେତ ପ୍ରଦାନ କରିଥାଏ । ଅତୀତରେ ସାଧବପୁଅ ମାନେ ବୋଇତରେ ଜାଭା, ସୁମିତ୍ରା ଦେଶକୁ ବେପାର ବଣିଜ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିବା ସମୟରେ ଆକାଶ ଦୀପ ସାହାଯ୍ୟରେ ଦିଗ ଚିହ୍ନଟ ସହଜରେ ଜାଣି ପାରୁଥିଲେ । ଯାହା ଫଳରେ ସମୁଦ୍ର କୂଳକୁ ସହଜରେ ଫେରି ଆସି ପାରୁଥିଲେ । ସେହିପରି କାର୍ତ୍ତିକ ମାସରେ ବିଭିନ୍ନ ତୀର୍ଥକ୍ଷେତ୍ରକୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଆକାଶ ଦୀପକୁ ଲକ୍ଷ୍ୟ କରି ନିଜର ଲକ୍ଷ୍ୟସ୍ଥଳରେ ସୁବିଧାରେ ପହଞ୍ଚି ପାରୁଥିଲେ ।

Leave A Reply

Your email address will not be published.