ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ବଡ ସ୍କୋର କରି ନ ପାରିବା ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଚାପରେ ପକାଇଛି । ଜବରଦସ୍ତ ଫର୍ମରେ ଥିବା ବୈଭବ ସୂର୍ଯ୍ୟବଂଶୀ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଗୋଡ କାଢ଼ି ବସିଛନ୍ତି । ଦ୍ୱିତୀୟ ଟି୨୦ରେ ସଞ୍ଜୁଙ୍କୁ ଯଦି ସୁଯୋଗ ମିଳେ ତେବେ ଏହା ନିଶ୍ଚିତ ଭାବେ ତାଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ । ସେ ବଡ ସ୍କୋର କରି ନ ପାରିଲେ ବୈଭବଙ୍କ ଏଂଟ୍ରି ନିଶ୍ଚିତ ହେବ । ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ୧୫ ବର୍ଷୀୟ ଯୁବ ଓପନର ବୈଭବ ସୂର୍ୟ୍ୟବଂଶୀଙ୍କ ବଦଳରେ ଅଭିଜ୍ଞ ସଞ୍ଜୁଙ୍କୁ ଓପନିଂ କରିବାର ସୁଯୋଗ ଦେଇଥିଲେ । କିନ୍ତୁ ସାମସନ ମାତ୍ର ୧୦ ରନ୍ (୮ ବଲ୍) କରି ଆଉଟ୍ ହୋଇଯିବା ପରେ ତାଙ୍କ ପ୍ଲେଇଂ-୧୧ ସ୍ଥାନକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜିମ୍ବାୱେ ବିପକ୍ଷ ଗତ ଟି୨୦ ସିରିଜରେ ପ୍ଲେୟାର ଅଫ୍ ଦି ସିରିଜ ହୋଇଥିବା ବୈଭବଙ୍କୁ ବେଞ୍ଚରେ ବସାଇବା ନିଷ୍ପତ୍ତିକୁ ନେଇ କ୍ରିକେଟ ବିଶେଷଜ୍ଞ ଓ ପୂର୍ବତନ ଖେଳାଳିମାନେ ପ୍ରଶ୍ନ ଉଠାଇଛନ୍ତି । ୨୦୨୬ ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ସଞ୍ଜୁଙ୍କର ଗତ କିଛି ମ୍ୟାଚ୍ରେ ବ୍ୟାଟିଂ ଫର୍ମ ନିରାଶାଜନକ ରହିଛି । କ୍ୟାପଟେନ୍ ଶ୍ରେୟସ ଆୟର ଏବଂ କୋଚ୍ ଗୌତମ ଗମ୍ଭୀର ବୈଭବଙ୍କ ଯୁବ ପ୍ରତିଭା ତୁଳନାରେ ସଞ୍ଜୁଙ୍କ ଅଭିଜ୍ଞତାକୁ ପ୍ରାଥମିକତା ଦେଇଥିଲେ । ଆଗାମୀ ମ୍ୟାଚ୍ଗୁଡ଼ିକରେ ସଞ୍ଜୁ ନିଜ ସ୍ଥାନ ପକ୍କା କରିବା ପାଇଁ ବଡ଼ ଇନିଂସ ଖେଳିବା ଜରୁରୀ, ନଚେତ୍ ବୈଭବ ସୂର୍ୟ୍ୟବଂଶୀଙ୍କୁ ପ୍ଲେଇଂ-୧୧ ରେ ସୁଯୋଗ ମିଳିବା ନିଶ୍ଚିତ ।

