Latest Odisha News

BREAKING NEWS

ଝାରସୁଗୁଡାରୁ କିଏ ହେବ ବିଜେଡି ପ୍ରାର୍ଥୀ ଦୀପାଳି ନା ଚାର୍ଭି ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ଲଢେଇ ତୀଵ୍ରରୁ ତୀବ୍ରତର ହେବାରେ ଲାଗିଛି। ସେହିପରି ସମାନ୍ତରାଳ ଭାବେ ବିଜେଡି ଟିକେଟ ପାଇଁ ପ୍ରମୁଖ ଦାବିଦାର ଭାବେ ଚର୍ଚା ହେଉଥିବା ନବଙ୍କ ଝିଅ ଦୀପାଳି ଦାସ ବହୁ କାର୍ଯ୍ୟକ୍ରମ କରୁଥିବା ଦେଖାଯାଇଛି। ଝାରସୁଗୁଡ଼ାରେ ଦୀପାଳି ଦାସ ଅଘୋଷିତ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିବା କୁହାଯାଉଛି।

ମହିଳା ଦିବସ ପାଳନ, ଲଇକେରା ମିନି ଷ୍ଟାଡିୟମ ଓ ଝାରସୁଗୁଡ଼ା କଣ୍ଟାପାଲି ଖେଳ ପଡିଆରେ ବିରାଟ ସମାବେଶରୁ ପ୍ରଚାର କଥା ସ୍ପଷ୍ଟ ବାରି ହୋଇପଡୁଛି। ସମାବେଶରେ ହଜାର ହଜାର ମହିଳା ସାମିଲ ହୋଇଥିଲେ। ଏପରିକି ସେଠାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଠାରେ ଦାସ ପରିବାରର ବୋହୂଙ୍କୁ ଦେଖିବାକୁ ମିଳିଥିଲା।

ନବ ଦାସଙ୍କ ବୋହୁ ଓ ଵିଶାଲ ଦାସଙ୍କ ପତ୍ନୀ ଚାର୍ଭି ଦାସ ସେଠାରେ ଉପସ୍ଥିତ ହୋଇଥିଲେ। ପୂର୍ବରୁ କେବେ ଗଣମାଧ୍ୟମ ସାମ୍ନାକୁ ଆସି ନ ଥିବା ନବ ଦାସଙ୍କ ବୋହୁ ଓ ଦୀପାଳି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଉଭୟ ମଞ୍ଚକୁ ମଧ୍ୟ ଆସିଥିଲେ।ଦୀପାଳି ଝାରସୁଗୁଡ଼ା ମାଟିର ମଙ୍ଗ ଧରିବେ ବୋଲି ବାପା ସ୍ୱପ୍ନ ଦେଖୁଥିଲେ ବୋଲି କହିଛନ୍ତି ନବଙ୍କ ବୋହୁ। ସେଥିପାଇଁ ବାପାଙ୍କ ଇଚ୍ଛା ପୂରଣ ହେଉ ବୋଲି କହିଥିଲେ ଚାର୍ଭି। ଆଗରୁ କେବେ ଚାର୍ଭି ସାମ୍ନାକୁ ଆସି ନ ଥିବା ବେଳେ ଏବେ କାହିଁକି ସାମ୍ନାକୁ ଆସିଲେ ବୋଲି ଚର୍ଚା ହେଉଛି।

ତେଣୁ ଆସନ୍ନ ଉପନିର୍ବାଚନରେ ନବଙ୍କ ପୁଅ ଵିଶାଲ ନା ଝିଅ ଦୀପାଳି କାହା ଉପରେ ବିଜୁ ଜନତା ଦଳ ଭରସା କରିବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ନା ପରିବାରକୁ ବାଦ ଦେଇ ଆଉ କିଏ ଟିକେଟ ହାସଲ କରିନେବ ତାହା ମଧ୍ୟ ଚର୍ଚ୍ଚାର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ହଠାତ ନବଙ୍କ ବୋହୁ କ୍ୟାମେରା ସାମ୍ନାକୁ ଆସିବା ଆଉ ଦୀପାଳିକୁ ବାପା ଚାହୁଁଥିଲେ ନେତୃତ୍ୱ ନେବା ପାଇଁ ବୋଲି କହିବା ଅନ୍ୟ ଏକ ଦିଗକୁ ସୂଚଉଥିବା ଆଲୋଚନା ହେଉଛି।

ନବ ଦାସଙ୍କ ବୋହୁ ଚାର୍ଭି ବାହାର ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଝିଅ। ତେଣୁ ଏ ସବୁ ଭିତରେ ଦୀପାଳିଙ୍କ ଭାଉଜ ଚାର୍ଭି ବାଜି ମାରିନେଇ ଯିବେନି ତ ବୋଲ କୁହାଯାଉଛି। ଉପନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ଦୀପାଳି ଆରମ୍ଭ କରିଥିବା ଅଘୋଷିତ ନିର୍ବାଚନ ପ୍ରଚାରର କଣ ଫାଇଦା ମିଳୁଛି ତାକୁ ନେଇ ଆଲୋଚନା ହେଉଛି।

Leave A Reply

Your email address will not be published.