Latest Odisha News

BREAKING NEWS

ବିଜେଡି, ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ନେଇ କି ସମୀକରଣ ଆଙ୍କିବେ ଦିଲୀପ ?

ଭୁବନେଶ୍ୱର: ୨୦୨୪ରେ ଖେଳ ବିଗାଡ଼ିବା ଲାଗି ଯୋଜନା । ବିଜେଡି ଓ ବିଜେପି ପାଇଁ ମୁଣ୍ଡ ବିନ୍ଧା ସାଜିବେ ଅସନ୍ତୁଷ୍ଟ ନେତା । ଧାମନଗର ଉପନିର୍ବାଚନରେ ରାଜୁ ଦାସଙ୍କ ପାଇଁ ବିଜେଡି ଯେଉଁ କ୍ଷତି ସହିଥିଲା ୨୦୨୪ରେ ତାର ପୁନରାବୃତ୍ତି ହୋଇପାରେ ବିଜେଡି ଓ ବିଜେପି କ୍ଷେତ୍ରରେ ।

ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଜନ୍ମଦିନରେ ଏମିତି କିଛି ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୈତିକ ମହଲରେ କଳ୍ପନାଜଳ୍ପନା ଅନୁଯାୟୀ ବିଜେଡି, ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରି ୨୦୨୪ ପୂର୍ବରୁ ଦିଲୀପ ରାୟ ଖେଳି ପାରନ୍ତି ନୂଆ କାର୍ଡ । ବିଜେପି ନେତା ତଥା ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓ, ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ଅସନ୍ତୁଷ୍ଟଙ୍କୁ ନେଇ ଦିଲୀପ ନୂଆ ସମୀକରଣ ଆଙ୍କି ପାରନ୍ତି ।

ଦିଲୀପ ରାୟଙ୍କ ଜନ୍ମଦିନରେ ଆୟୋଜିତ ରକ୍ତଦାନ ଶିବିରରେ ସୌମ୍ୟ ଓ ପ୍ରବୀଣଙ୍କ ଉପସ୍ଥିତିକୁ ନେଇ ଏମିତି କିଛି ଚର୍ଚ୍ଚା ଜୋର୍ ଧରିଛି । ଦିନକ ତଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପାଟକୁରାରେ ବିଜେପି ଚିହ୍ନ ନଥାଇ ବଡ଼ ଧରଣର ସଭା କରିଥିଲେ । ସଂକେତ ଦେଇଥିଲେ ଆଗକୁ ବଡ଼ ଯୋଜନା ରହିଛି । ବିଜୟଙ୍କ ବନ୍ଧୁ ମିଳନର ଦିନକ ପରେ ଦିଲୀପଙ୍କ ଜନ୍ମଦିନରେ ସୌମ୍ୟଙ୍କ ସହ ମୋରଡ଼ାର ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏକାଠି ହୋଇଛନ୍ତି । ପ୍ରବୀଣ ଓ ତାଙ୍କ ପତ୍ନୀ ପ୍ରଶଂସା କରି କହିଛନ୍ତି ଦିଲୀପ ଜଣେ ଭଲ ମଣିଷ ।

୨୦୧୯ ନିର୍ବାଚନ ପୂର୍ବରୁ ପ୍ରବୀଣ ବିଜେଡି ଛାଡ଼ି ବିଜେପିରେ ପିଏମ୍ ମୋଦିଙ୍କ ଉପସ୍ଥିତିରେ ସାମିଲ୍ ହୋଇଥିଲେ । ହେଲେ ୨୦୧୯ ନିର୍ବାଚନରେ ପ୍ରବୀଣଙ୍କୁ ପ୍ରାର୍ଥୀ କରି ନଥିଲା ବିଜେପି । ଯାହାକୁ ନେଇ ସେବେଠୁ ପ୍ରବୀଣ ପ୍ରମାଦ ଗଣୁଥିବା କୁହା ଯାଉଛି । ଅନ୍ୟପଟେ ଦିଲୀପ ରାୟ ୨୦୧୮ରେ ବିଜେପି ଛାଡ଼ି ପରେ ୨୦୧୯ରେ ବିଜେଡିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଥିଲେ ବି ସେମିତି କିଛି ହୋଇ ନଥିଲା ।

ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳରେ ଥାଇ ଅନେକ ସମୟରେ ସରକାରଙ୍କୁ ସମାଲୋଚନା କରି ଅସନ୍ତୋଷ ବଖାଣୁଛନ୍ତି । ବିଜେଡି ଓ ବିଜେପିର ଏହି ସବୁ ଅସନ୍ତୁଷ୍ଟ ନେତା ଆଗାମୀ ଦିନରେ ଦିଲୀପଙ୍କ ସହ ମିଶିବେ କି ? ଯଦି ୨୦୨୪ ପୂର୍ବରୁ ମିଶିବେ ତାହାଲେ କଣ ହେବ ନୂଆ ସମୀକରଣ ? ୨୦୧୮ରୁ ରାଜନୀତିରୁ ଏକପ୍ରକାର ଦୂରେଇ ରହିଥିବା ଦିଲୀପ ନୂଆ ଦଳ ଗଢ଼ି କଷିବେ କି ବଳ ? ଏମିତି ଅନେକ ଚର୍ଚ୍ଚା ହେଉଥିବା ବେଳେ ସେନେଇ ଅସନ୍ତୁଷ୍ଟ ନେତା କିଛି କହୁ ନାହାନ୍ତି ।

Leave A Reply

Your email address will not be published.