Latest Odisha News

BREAKING NEWS

ପଦ ଗଲା, ଭାରି ପଡିବେ କି ରାହୁଲ ?

ଭୁବନେଶ୍ୱର: ଜାତୀୟ ରାଜନୀତିରେ ଯାହା ଦୀର୍ଘ ଦିନ ଧରି ଦେଖାଯାଉ ନ ଥିଲା ଏବେ ତାହା ଦେଖିବାକୁ ମିଳିଛି। ଯେଉଁ ନେତାଙ୍କୁ ନନସିରିୟସ ବୋଲି କୁହାଯାଉଥିଲା ସେ ଏବେ ଦେଶର କୋଣ କୋଣରେ ଚର୍ଚ୍ଚାରେ। ସେ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ରାହୁଲଙ୍କୁ ବିରୋଧୀ ନନ ସିରିୟସ ଲିଡ଼ର, ପପୁ ଆଦି ଆଖ୍ୟା ଦେଉଥିବ ବେଳେ ଖୋଦ ନିଜ ଦଳର ଆଗ ଧାଡ଼ିର ନେତା ମଧ୍ୟ ରାହୁଲଙ୍କ ନିଷ୍ପତ୍ତିକୁ ସମାଲୋଚନା କରୁଥିଲେ। ଏପରିକି ପୂର୍ବରୁ କଂଗ୍ରେସର ସହଯୋଗୀ ଦଳ ଭାବେ କାର୍ଯ୍ୟ କରୁଥିବା କିଛି ବିରୋଧୀ ଦଳ ମଧ୍ୟ ରାହୁଲଙ୍କ ନେତୃତ୍ୱକୁ ସ୍ୱୀକାର କରିବାକୁ ଇଛୁକ ନ ଥିବା ଦେଖାଯାଇଛି।

କିନ୍ତୁ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ପରେ ଏବେ ଚିତ୍ର ଓଲଟି ଯାଇଛି। ଏବେ ବିରୋଧୀଙ୍କଠୁ ଆରମ୍ଭ କରି ସାଧାରଣରେ ରାହୁଲଙ୍କ ସପକ୍ଷରେ ଜନମତ ତୀବ୍ର ହେବାରେ ଲାଗିଛି। ଚା ଖଟିର ସାଧାରଣ ଚର୍ଚ୍ଚାଠୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ସମସ୍ତେ ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା କରୁଛନ୍ତି।

ବିଜେପି ପକ୍ଷରୁ ଏହାକୁ ଆଇନଗତ ପଦକ୍ଷେପ ବୋଲି କୁହାଯାଉଥିଲେ ମଧ୍ୟ ସାଧାରଣରେ କିନ୍ତୁ ରାହୁଲଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଏପରିକି ଏହା ବିଜେପିର ଲୋକପ୍ରିୟତା ଉପରେ ପ୍ରଭାବ ପକାଇଥିବା କୁହାଯାଉଛି। ଦେଶର ରାଜନୀତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜଣେ ସିରିଅସ ନେତା ଭାବେ ଗଣାଯାଉ ନ ଥିବା କୁହାଯାଏ। ତାଙ୍କ କାର୍ଯ୍ୟକଳାପ ହେଉ କିମ୍ବା କଥା ଏ ସବୁଥିରେ ବିଭିନ୍ନ ସମୟରେ ତାଳମେଳ ରୁହେ ନାହିଁ।

ଏପରିକି ବେଳେ ବେଳେ ରାହୁଲଙ୍କ କିଛି ବ୍ୟବହାରକୁ ପିଲାଳିଆ ବୋଲି ଆଲୋଚନା ଆଲୋଚନା ହୁଏ। ବିଜେପି ଓ ଅନ୍ୟ କିଛି ବିରୋଧୀ ରାହୁଲଙ୍କୁ ବିଭିନ୍ନ ସମୟରେ ପପୁ ବୋଲି ସମ୍ବୋଧନ କରିବା ଅଭିଯୋଗ ହୁଏ। ଏପରିକି ବିଭିନ୍ନ ସମୟରେ ସଂସଦ ଚାଲୁଥିବାବେଳେ ବିଦେଶ ପଳେଇବା ତଥା ବହୁ ସମ୍ବେଦନଶୀଳ ପ୍ରସଙ୍ଗରେ ହାଲକା ଟିପ୍ପଣୀ ଦେବା ଯୋଗୁ ରାହୁଲଙ୍କ ରାଜନୈତିକ ପରିପକ୍ଵତାକୁ ନେଇ ପ୍ରଶ୍ନ ଉଠେ। ଯେଉଁଥିପାଇଁ ବିଭିନ୍ନ ସମୟରେ ତାଙ୍କୁ ରାଜନୈତିକ ଦଳ କିମ୍ବା ଖୋଦ ନିଜ ଦଳରେ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡେ।

କିନ୍ତୁ ଭାରତ ଯୋଡୋ ଯାତ୍ରା ରାହୁଲଙ୍କ ସପକ୍ଷରେ ଏକ ବାତାବରଣ ତିଆରି କରିଛି। ଦରଦାମ ବୃଦ୍ଧି, ସାମ୍ବିଧାନିକ ସଂସ୍ଥାଗୁଡିକୁ ଶାସକ ଦଳ ବ୍ୟବହାର କରି ବିରୋଧୀଙ୍କ ସ୍ୱର ଦବାଇବା ପ୍ରସଙ୍ଗ ଆଦିକୁ ନେଇ ରାହୁଲ ଲଗାତର ବିଜେପି ଉପରେ ବର୍ଷୁଛନ୍ତି। ଏହା ପରେ ବିଦେଶ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଭାରତରେ ଗଣତନ୍ତ୍ର ବିପଦ ବୋଲି କହିବାକୁ ନେଇ ରାହୁଲ ଚର୍ଚ୍ଚାକୁ ଆସିଥିଲେ। ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି।

ତା ପରେ ମୋଦି ଆଦାନୀ ସମ୍ପର୍କ ପ୍ରସଙ୍ଗକୁ ନେଇ ଲଗାତର ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି ରାହୁଲ। ଏଭଳି ସ୍ଥିତିରେ ସୁରଟ କୋର୍ଟଙ୍କ ଦଣ୍ଡବିଧାନ ଓ ତା ପରେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ରାହୁଲ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଲଗାତର ବାହାରେ ଓ ସଂସଦରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଟାର୍ଗେଟ କରିବାରୁ ରାହୁଲଙ୍କୁ ଏ ଦଶା ଭୋଗିବାକୁ ପଡିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ସେଥିପାଇଁ ରାହୁଲଙ୍କ ପ୍ରତି ସାରା ଦେଶରେ ଏକ ସହାନୁଭୂତିର ବାତାବରଣ ତିଆରି ହୋଇଥିବା ଦେଖାଯାଉଛି। ଆଗକୁ ନିର୍ବାଚନ ଆସୁଛି। ଠିକ ଏହି ସମୟରେ ଏଭଳି ଘଟଣା ରାହୁଲଙ୍କୁ ହିରୋ ବନାଇଦେଇଥିବା ଆଲୋଚନା ହେଉଛି। କଂଗ୍ରେସ ପକ୍ଷରୁ ଏହାକୁ ନେଇ ଦେଶବ୍ୟାପୀ ସତ୍ୟାଗ୍ରହଠୁ ଆରମ୍ଭ କରି ବିଭିନ୍ନ ଢଙ୍ଗରେ ବିରୋଧ କରାଯାଉଛି।

ଏପରିକି ସଦସ୍ୟ ପଦ ରଦ୍ଦ କଲେ ମଧ୍ୟ ଏ ସବୁ ପ୍ରସଙ୍ଗ ଉଠାଇବା ବନ୍ଦ କରିବେ ନାହିଁ ବୋଲି ରାହୁଲ କହିଛନ୍ତି। ଆଗକୁ ଦ୍ଵିତୀୟ ଥର ଭାରତ ଯୋଡୋ ଯାତ୍ରା ହେବ ବୋଲି କଂଗ୍ରେସ ଘୋଷଣା କରିସାରିଛି। ତେଣୁ ରାହୁଲଙ୍କ ସପକ୍ଷରେ ସୃଷ୍ଟି ହୋଇଥିବା ବାତାବରଣକୁ ଆହୁରି ବ୍ୟାପକ କରିବାରେ ଏହି ଯାତ୍ରା ଆହୁରି ସହାୟକ ହେବ ବୋଲି କୁହାଯାଉଛି।

କିନ୍ତୁ ରାହୁଲ ବିଭିନ୍ନ ସମୟରେ ବହୁ ବିବାଦୀୟ ମନ୍ତବ୍ୟ ଦେଇ ନିଜ ଆଡ଼କୁ ଆସୁଥିବା ଜନମତକୁ ଧରି ରଖିବାରେ ସମର୍ଥ ହୋଇପାରନ୍ତି ନାହିଁ। ଏହି ପ୍ରସଙ୍ଗରେ ରାହୁଲଙ୍କ ସପକ୍ଷରେ ସୃଷ୍ଟି ହୋଇଥିବା ବାତାବରଣକୁ ଆଗେଇ ନେବାରେ ରାହୁଲ ଓ କଂଗ୍ରେସ କେତେ ସମର୍ଥ ହେଉଛନ୍ତି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.