Latest Odisha News

BREAKING NEWS

ଯିବେ ଦେଶୀ, ଆସିବେ ବିଦେଶୀ?

ଭୁବନେଶ୍ବର : ବିଶ୍ୱରେ ଭାରତ ଏକମାତ୍ର କ୍ରିକେଟ ଦଳ, ଯାହାର ଅଧିନାୟକ ଓ କୋଚଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଭାରତୀୟ କ୍ରିକେଟ୍ ଟିମର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତାଙ୍କ ସ୍ଥାନରେ ବୋର୍ଡ କାହାକୁ ଟିମର ନୂଆ କୋଚ୍ କରିବ, ସେନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଏହାରି ଭିତରେ ବଡ଼ ଚର୍ଚ୍ଚା ହେଉଛି, ଏଥର ବିଦେଶୀ ହୋଇପାରନ୍ତି ଟିମ୍ ଇଣ୍ଡିଆର ନୂଆ କୋଚ୍ । ଆଉ ଏଥିପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ କିଛି ପୂର୍ବତନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ କ୍ରିକେଟରଙ୍କ ସହ ଯୋଗଯୋଗ କରାଯାଇଛି । ବିଦେଶୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଜଷ୍ଟିନ ଲାଙ୍ଗର, ଟମ୍ ମୁଡିଙ୍କ ସମେତ ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ ଫ୍ଲେମିଙ୍ଗଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଏହାସହ କିଛି ଭାରତୀୟ ନାଁ ମଧ୍ୟ ରହିଛି ଚର୍ଚ୍ଚାରେ ।

ଜଷ୍ଟିନ ଲାଙ୍ଗର :୨୦୧୮ରେ ବଲ ଟାମ୍ପରିଂକୁ ନେଇ ଯେତେବେଳେ କଙ୍ଗାରୁ ଟିମ୍ ସାରା ବିଶ୍ୱରେ ସମାଲୋଚନାର ଶିକାର ହେଉଥିଲା, ସେହି ସମୟରେ ଅଷ୍ଟ୍ରେଲିଆର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ଲାଙ୍ଗର । ତାଙ୍କ କାର୍ଯ୍ୟକାଳରେ ଅଷ୍ଟ୍ରେଲିଆ ୨୦୨୧ ଟି-୨୦ ବିଶ୍ୱକପ୍ ଜିତିଥିଲା । ୨୦୨୨ରେ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ୨୦୨୪ ଆଇପିଏଲରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଂଟସ୍ ଦଳର କୋଚ୍ ରହିଛନ୍ତି । ଆଉ ଏକ ସାକ୍ଷାତକାରରେ ଭାରତୀୟ ଦଳର କୋଚ୍ ହେବା ନେଇ ଇଚ୍ଛୁକ ଥିବା କହିଛନ୍ତି ।

ଷ୍ଟିଫେନ୍ ଫ୍ଲେମିଂ: ନ୍ୟୁଜିଲ୍ୟାଣ୍ଡର ଅନ୍ୟତମ ସଫଳ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂ । ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପରେ ଆଇପିଏଲ୍‌ର ପଦାର୍ପଣ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ତେବେ ୨୦୦୯ରେ ଫ୍ରାଞ୍ଚାଇଜ ତାଙ୍କୁ କୋଚ୍ ଭାବେ ନିଯୁକ୍ତ କରିଥିଲା । ଆଉ ଏପର୍ଯ୍ୟନ୍ତ ସେ ସିଏସକେର କୋଚ୍ ଦାୟିତ୍ୱ ତୁଲାଇ ଆସୁଛନ୍ତି । ତାଙ୍କ କାର୍ଯ୍ୟକାଳରେ ଚେନ୍ନାଇ ୫ଥର ଆଇପିଏଲ୍ ଟ୍ରଫି ଜିତିଛି। ଯେହେତୁ ସେ ଆଇପିଏଲ୍ ଫ୍ରାଞ୍ଚାଇଜର କୋଚ୍ ରହିଆସିଛନ୍ତି, ତେଣୁ ଭାରତୀୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାରେ ତାଙ୍କୁ ବିଶେଷ ସମସ୍ୟା ହେବନି ବୋଲି କୁହାଯାଉଛି ।

ରିକି ପଣ୍ଟିଂ: ଅଷ୍ଟ୍ରେଲିଆର ସବୁଠାରୁ ସଫଳ ଅଧିନାୟକ ଭାବେ ବେଶ୍ ପରିଚିତ ପଣ୍ଟିଂ । କିନ୍ତୁ ଜାତୀୟ ଦଳର ମୁଖ୍ୟ କୋଚ୍ ହେବାର କୌଣସି ଅଭିଜ୍ଞତା ତାଙ୍କ ପାଖରେ ନାହିଁ । ୨୦୧୯ରେ ଜାତୀୟ ଦଳର ଆସିଷ୍ଟାଂଟ କୋଚ୍ ହୋଇଥିଲେ । କିନ୍ତୁ ୨୦୧୮ରୁ ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର କୋଚ୍ ରହିଆସିଛନ୍ତି । ତେଣୁ ସେ ମଧ୍ୟ ଭାରତୀୟ କୋଚ୍ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି ।

ଟମ୍ ମୁଡି: ଶ୍ରୀଲଙ୍କା ଜାତୀୟ ଦଳ ସହ ବିଭିନ୍ନ ଫ୍ରାଞ୍ଚାଇଜର ମଧ୍ୟ କୋଚ୍ ରହିଆସିଛନ୍ତି ମୁଡି । ଆଇପିଏଲ୍‌ରେ ମଧ୍ୟ ସେ ସନରାଇଜର୍ସ ହାଇଦ୍ରାବାଦ ଟିମର କୋଚ୍ ଥିଲେ । ଭାରତର ପରବର୍ତ୍ତୀ କୋଚ୍ ପାଇଁ ସେ ଆବେଦନ କରିଥିବା ସୂତ୍ରରୁ ସୂଚନା ମିଳିଛି ।

ଶେଷଥର ପାଇଁ ବିଦେଶୀ କୋଚ୍ ଭାବେ ଡଙ୍କାନ ଫ୍ଲେଚରଙ୍କୁ ନିଯୁକ୍ତି ଦେଇଥିଲା ବିସିସିଆଇ । ୨୦୧୫ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାରି ଭିତରେ ୯ବର୍ଷରେ ଅନିଲ କୁମ୍ବଲେ, ରବି ଶାସ୍ତ୍ରୀ ଓ ଦ୍ରାବିଡଙ୍କ ଭଳି ପୂର୍ବତନ ଭାରତୀୟ କ୍ରିକେଟର କୋଚ୍ ଦାୟିତ୍ୱ ତୁଲାଇ ଆସିଛନ୍ତି । ତେବେ ଆଗକୁ ବିଦେଶୀ ନା ଭାରତୀୟ କୋଚ୍ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.