Latest Odisha News

BREAKING NEWS

ବରଗଡରେ ବଦଳିଲାଣି କି ବାଜି !

ଭୁବନେଶ୍ବର: ବରଗଡରେ ଏଥର ବଡ ଲଢେଇ । ଗତଥର ବିଜେଡି ସବୁ ବିଧାନସଭା ଆସନ ଜିତିଥିଲେ ବି ଲୋକସଭାରେ ବାଜି ମାରି ନେଇଥିଲା ବିଜେପି । ଏଥର ବଦଳିଛନ୍ତି ସବୁ ଦଳର ପ୍ରାର୍ଥୀ । ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି ତ ବିଜେଡିରୁ ପରିଣୀତା ମିଶ୍ର ଓ କଂଗ୍ରେସରୁ ସଞ୍ଜୟ ଭୋଇ ପ୍ରାର୍ଥୀ ହୋଇଛନ୍ତି । ପଶ୍ଚିମରେ ବିଜେପିର ସ୍ୱତନ୍ତ୍ର ସପୋର୍ଟ ବେସ୍ ରହିଥିବା ବେଳେ ପରିଣୀତାଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି ବିଜେଡି । ତେବେ କଣ କହୁଛି ବରଗଡ ସମୀକରଣ ? କେଉଁ ଆଡକୁ ଢଳୁଛି ଜନମତ ? କଣ ରହିଛି ଭୋଟରଙ୍କ ପ୍ରସଙ୍ଗ ?

ଅଡୁଆରେ ପକାଇବ ପଦମପୁର !

ଉପନିର୍ବାଚନ ବେଳେ ପଦମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦିନର ଦାବି ପୂରଣ ଆଶାରେ ବିଜେଡିକୁ ଭୋଟ୍ ବର୍ଷା କଲେ ପଦମପୁର ଜନତା । ଜିଲ୍ଲା ତ ହେଲାନି, ହେଲେ ପଦାରେ ପଡିଲା ପ୍ରତାରଣା । ମନ୍ତ୍ରୀ ଟୁକୁନି ସାହୁ ଏକ ସଭାରେ କହିଲେ, ପଦମପୁର ଜିଲ୍ଲା ହୋଇଥିଲେ ସେ ଆଗ ଇସ୍ତଫା ଦେଇଥାନ୍ତେ । ତାଙ୍କର ଭିଡିଓ ଭାଇରାଲ୍ ହେବା ପରେ ପଦମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠିଛି । ପଦମପୁରବାସୀ ଓ ଯୁଗ୍ମ କ୍ରିୟାନୁଷ୍ଠାନ କମିଟିଙ୍କୁ ଝଟକା ଲାଗିଛି । ଏଥର ଲୋକସଭା ନିର୍ବାଚନରେ ପଦମପୁର ପ୍ରସଙ୍ଗ ବିଜେଡିକୁ ଅଡୁଆରେ ପକାଇପାରେ।

ବିଜେପି ହେଭିୱେଟଙ୍କ ସମରସଜ୍ଜା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବରଗଡକୁ ଫୋକସ କରିଛି ଦଳ । ସିଏମଙ୍କ ଉପରେ ସୁପର ସିଏମ୍ କଥା କହି ବରଗଡ ମାଟିରୁ ବିଜେଡିକୁ ବାଣ ମାରିଛନ୍ତି ମୋଦି । ଧାନ ମୂଲ୍ୟ ବୃଦ୍ଧି ହେଉ କି ବୁଣାକାରଙ୍କୁ ସହାୟତା ରାଶି ପ୍ରଦାନ, ବରଗଡର ଆଞ୍ଚଳିକ ସମସ୍ୟା ସମାଧାନ ପାଇଁ ସୁଯୋଗ ମାଗିଛନ୍ତି ମୋଦି । ଦୀର୍ଘ ଦିନ ଧରି ବିଜେଡି କ୍ଷମତାରେ ରହି ମଧ୍ୟ ଏସବୁ ସମସ୍ୟାର ସମାଧାନ ହୋଇନଥିବା ବେଳେ ମୋଦିଙ୍କ ପ୍ରତିଶ୍ରୁତି ଜିତିବ କି ଭୋଟରଙ୍କ ଭରସା ?

ନବୀନଙ୍କ ବରଗଡ କାଉଣ୍ଟର

ବରଗଡରେ ନବୀନ ବି ଶଙ୍ଖନାଦ କରିବାକୁ ଜୋରଦାର କାଉଣ୍ଟର କରିଛନ୍ତି । ଧାନ ମୂଲ୍ୟ ୩୧ଶହ ଟଙ୍କା କରିବା ନେଇ ମୋଦି ଘୋଷଣା କରି ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇଥିବା ନବୀନ କହିଛନ୍ତି । ବିଜୟୀ ହେଲେ ରାଜ୍ୟବାସୀଙ୍କୁ ବିଜୁଳି ବିଲରେ ୧୦୦ୟୁନିଟ୍ ଦେୟ ଛାଡ କରିବା ନେଇ ଘୋଷଣା କରିଛନ୍ତି ନବୀନ । ନିଜ ସରକାରର ବିକାଶ ଗଣାଇ ଡବଲ ଶଙ୍ଖରେ ଭୋଟ ଦେବାକୁ କହିଛନ୍ତି ।

ପ୍ରଦୀପ ବନାମ ପରିଣୀତା ବନାମ ସଞ୍ଜୟ

ବରଗଡରେ ତ୍ରିମୁଖୀ ଲଢେଇ ହେଉଥିବା ବେଳେ ମୁଖ୍ୟ ଟକ୍କର ବିଜେଡି ଓ ବିଜେପି ମଧ୍ୟରେ ହୋଇପାରେ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରଥମ ଥର ପାଇଁ ଲୋକସଭା ଲଢୁଥିଲେ ବି ବରଗଡ ପାଇଁ ସେ ଚିହ୍ନା ଚେହେରା । ଗନ୍ଧମାର୍ଦ୍ଦନ ସୁରକ୍ଷା ଅଭିଯାନ ପାଇଁ ଚର୍ଚ୍ଚାରେ ରହିଥିବା ପ୍ରଦୀପଙ୍କର ସଂଗଠନ ଭଲ ରହିଛି। ସେପଟେ ସୁଶାନ୍ତ ମିଶ୍ରଙ୍କ ସଂଗଠନ ଓ ଲୋକସଂପର୍କ ଆଧାରରେ ତାଙ୍କ ପତ୍ନୀ ପରିଣୀତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସୁଶାନ୍ତ ମିଶ୍ର ବରଗଡ ଜିଲ୍ଲା ବିଜେପି ଉପସଭାପତି ରହିଥିଲେ। ଭଟଲିରୁ ଟିକେଟ୍ ପାଇଁ ଆଶାୟୀ ସୁଶାନ୍ତ ନିରାଶ ହୋଇ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ। ସୁଶାନ୍ତଙ୍କ ସଂଗଠନ ସହ ବିଜେଡି ସରକାରର ବିକାଶମୂଳକ କାମକୁ ନେଇ ବିଜୟ ରଣନୀତି କଷୁଛନ୍ତି ପରିଣୀତା । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ ଭୋଇ ୨୦୦୯ରେ ବରଗଡରୁ ସାଂସଦ ହୋଇଥିଲେ । ବିଜେପିରେ ମିଶିଥିବା ସଞ୍ଜୟଙ୍କର କଂଗ୍ରେସକୁ ଘରବାହୁଡା ପରେ ତାଙ୍କୁ ପ୍ରାର୍ଥୀ କରିଛି ଦଳ ।

ବରଗଡ ଲୋକସଭା ଅଧୀନରେ ରହିଛି ପଦମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡା । ଗତଥର ସବୁ ବିଧାନସଭା ଦଖଲ କରିଥିଲା ବିଜେଡି । ତାପରେ ବି ଲୋକସଭା ଜିତିଥିଲେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ଏଥର ସେ ବ୍ରଜରାଜନଗର ବିଧାନସଭା ଲଢୁଛନ୍ତି । କଂଗ୍ରେସର ପାରମ୍ପରିକ ଭୋଟ୍ ରହିଥିଲେ ବି ଗତ କିଛି ବର୍ଷ ହେଲା ଦଳ ଦୁର୍ବଳ ପ୍ରଦର୍ଶନ କରିଆସୁଛି । ତେଣୁ ବରଗଡରେ ଏଥର ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ।

Leave A Reply

Your email address will not be published.