Latest Odisha News

BREAKING NEWS

କର୍ଣ୍ଣାଟକ ପାଇଁ ନା ବିଜେପିକୁ ଦେଶରୁ ହଟାଇବାକୁ ‘ଶପଥ’?

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ସହ ରାତି ପାହିଲେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ପିସିସି ସଭାପତି ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

କିନ୍ତୁ ଏହି ଶପଥ ଗ୍ରହଣ ଉତ୍ସବ କେବଳ କର୍ଣ୍ଣାଟକରେ କଂଗ୍ରେସ ସରକାରର ଶପଥ ଗ୍ରହଣ ଉତ୍ସବରେ ସୀମିତ ରହିବ ନାହିଁ। ଏହା ବିରୋଧୀଙ୍କ ଶକ୍ତି ଓ ଏକତା ପ୍ରଦର୍ଶନର କ୍ଷେତ୍ର ହେବ ବୋଲି କୁହାଯାଉଛି।

ଶପଥ ଗ୍ରହଣ ଉତ୍ସବକୁ ଦେଶର ପ୍ରମୁଖ ବିରୋଧୀ ଦଳଗୁଡିକର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧିମାନେ ଏକ ହେଉଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସେମାନଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ଏହି କ୍ରମରେ ସେ ଦେଶର ପ୍ରାୟ ସମସ୍ତ ବିରୋଧୀଙ୍କୁ ଭେଟି ଆଲୋଚନା କରିବା ସହ ପାଟନାରେ ଏକ ବିରୋଧୀ ମେଳି କରିବାକୁ ଯୋଜନା କରିଛନ୍ତି। ଯାହାକି ଆସନ୍ତା ପାଞ୍ଚରୁ ସାତ ଦିନ ମଧ୍ୟରେ ହେବ। କିନ୍ତୁ ଏହା ପୂର୍ବରୁ କର୍ଣ୍ଣାଟକରେ ସିଦ୍ଦରମେୟାଙ୍କ ଶପଥ ଗ୍ରହଣ ଉତ୍ସବକୁ କଂଗ୍ରେସ ଏକ ବିରୋଧୀ ପ୍ଲାଟଫର୍ମ ଭାବେ ଉପସ୍ଥାପିତ କରିବାକୁ ଚାହୁଁଛି।

ଯେଉଁଥିରେ କଂଗ୍ରେସ ବିରୋଧୀ ଏକତା ଦିଗରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ଏନସିପି ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପିଡିପି ମୁଖ୍ୟ ମେହବୁବା ମୁଫତି,ନ୍ୟାସନାଲ କନ୍ଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା, ସିପିଆଇର ଡି ରାଜା, ସିପିଏମର ସୀତାରାମ ୟେଚୁରୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରମୁଖଙ୍କୁ ନିମନ୍ତ୍ରଣ କରିଛି।

କିନ୍ତୁ ବିରୋଧୀ ସାମ୍ମୁଖ୍ୟରେ ସବୁ ଅଣବିଜେପି ଦଳକୁ ସାମିଲ କରିବା କଥା କୁହାଯାଉଥିଲେ ମଧ୍ୟ କଂଗ୍ରେସ ପକ୍ଷରୁ ଏହି ଉତ୍ସବକୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ନିମନ୍ତ୍ରଣ କରିନାହିଁ।

ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବଙ୍କୁ ନିମନ୍ତ୍ରଣ କରଯାଇଥିବା ବେଳେ ବିଏସପି ମୁଖ୍ୟ ମାୟାବତୀଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଥିସହିତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସେପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିବା କୁହାଯାଉଛି। ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

୨୦୨୪ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀଙ୍କୁ ଏକାଠି କରୁଥିବା ବେଳେ କିଛି ଦିନ ତଳେ ନବୀନଙ୍କୁ ଭେଟିଥିଲେ। ଏପରିକି ତାର କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନବୀନଙ୍କୁ ଭେଟିଥିଲେ। କିନ୍ତୁ ନୀତିଶ ଭେଟିବାର ଦୁଇ ଦିନ ମଧ୍ୟରେ ନବୀନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ।

ଏପରିକି ଏହା ପରେ ସେ ସମଦୁରତାର କଥା କହିଥିଲେ। ତେଣୁ ତାଙ୍କୁ ବିରୋଧୀ ମଞ୍ଚକୁ ଡକାଯାଇ ଥିବାରୁ ସେ କେତେଦୂର ଉତ୍ସବକୁ ଯିବେ ତାକୁ ନେଇ ପ୍ରଶ୍ନ ଉଠିଛି। ସମଦୁରତାର କଥା କହିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ବିଜେଡି କେନ୍ଦ୍ରରେ ବିଜେପି ସରକାରକୁ ଅଧିକ ସହଯୋଗ ଦିଏ ବୋଲି ଚର୍ଚ୍ଚା ହୁଏ।

ତେଣୁ ଏବେ ଶପଥ ଗ୍ରହଣ ଉତ୍ସବରେ ନବୀନ ନିଜେ ଯିବେ କିମ୍ବା ନିଜର କୌଣସି ପ୍ରତିନିଧିଙ୍କୁ ପଠାଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରା ନ ଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହା ବିରୋଧୀ ଏକତା ଦିଗରେ ଏକ ବଡ଼ ପ୍ରତିବନ୍ଧକ ହେବ ନାହିଁ ତ ବୋଲି ପ୍ରଶ୍ନ ଉଠିଛି। ତେଣୁ ଏହି ଶପଥ ଗ୍ରହଣ ଉତ୍ସଵକୁ ନେଇ ବିରୋଧୀ ଗୋଷ୍ଠୀ ବେଶ ଉତ୍ସାହିତ ଥିବାବେଳେ ଏହା କେତେଦୂର ସଫଳ ହେଉଛି ତା ଉପରେ ନଜର।

Leave A Reply

Your email address will not be published.