Latest Odisha News

BREAKING NEWS

ଉଡନ୍ତା ବିମାନରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

ବେଙ୍ଗାଳୁରୁ: ଦିଲ୍ଲୀରୁ ବେଙ୍ଗାଳୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ଜନ୍ମ ନେଲା ଶିଶୁପୁତ୍ର । ଗୁରୁବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ ୬ଇ ୧୨୨ରେ ଏହି ପିଲାଟି ଜନ୍ମ ନେଇଛି । ବେଙ୍ଗାଳୁରୁରେ ବିମାନଟି ପହଞ୍ଚିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଉଭୟ ମାଆ ଓ ଶିଶୁକୁ ସ୍ୱାଗତ କରିଥିଲେ । ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ, ବିମାନରେ ଯାତ୍ରା କରୁଥିବା ମହିଳା ହଠାତ୍ ପ୍ରସବ ବେଦନା ଅନୁଭବ କଲେ । ଆଉ ସେଠାରେ ସତେ ଯେମିତି ଦେବଦୂତ ସାଜିଥିଲେ ବିମାନରେ ଯାତ୍ରା କରୁଥିବା ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଶୈଳଜା ବଲ୍ଲଭ । ବିମାନର କର୍ମଚାରୀଙ୍କ ସହଯୋଗ କ୍ରମେ ପିଲାଟି ଜନ୍ମ ନେଇଥିଲା । ପ୍ରସବ ସମୟରେ ବିମାନ ଉଡାଣ ସ୍ୱାଭାବିକ ଥିଲା । ବିମାନ କର୍ମଚାରୀମାନେ ଡାକ୍ତରଖାନାର ସୁବିଧା ଯୋଗାଇ ଦେଇଥିଲେ । ଫଳରେ ପ୍ରସବରେ କୌଣସି ଅସୁବିଧା ହୋଇ ନ ଥିଲା ।

ଏହି ଘଟଣାର ଫଟୋ ସହଯାତ୍ରୀମାନେ ସୋସିଆଲ ମିଡିଆରେ ସେୟାର କରିବା ସହ ବିମାନ କର୍ମଚାରୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ।

ମହିଳା ଜଣଙ୍କ ୩୨ ସପ୍ତାହରୁ କମ ସମୟର ଗର୍ଭବତୀ ଥିବା ସୂଚନା ଦେଇଥିବାରୁ ତାଙ୍କୁ ବିମାନରେ ଯାତ୍ରା ପାଇଁ ଅନୁମତି ମିଳିଥିଲା । ତେବେ ଉଭୟ ମାଆ ଓ ନବଜାତକ ସୁସ୍ଥ ଥିବା ଜଣାପଡିଛି ।

ବିମାନଟି ବେଙ୍ଗାଳୁରୁରେ ପହଞ୍ଚିବା ପରେ ବିମାନ ବନ୍ଦର ପକ୍ଷରୁ ଉଭୟ ମାଆ ଓ ନବଜାତକଙ୍କୁ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.