Latest Odisha News

ଜଳନ୍ତା ବସରୁ ସ୍ୱାମୀ ଓ ପୁଅଝିଅକୁ ବଞ୍ଚାଇଲେ, ହେଲେ ନିଜେ ଜଳିଗଲେ ପୁଷ୍ପାଞ୍ଜଳି

ଭୁବନେଶ୍ବର: କିଏ ଶୋଇଥିଲା । କିଏ ଖାଇବାକୁ ଯାଉଥିଲା । ସବୁ ସେଇଠି ଅଟକି ଯାଇଥିଲା । ହଠାତ ବସରେ ଲାଗ ଯାଇଥିଲା ନିଆଁ  । ହୁତହୁତ ଜଳି ଉଠିଥିଲା ବସ । ଯିଏ ଯେମିତି ପାରିଲେ ବିକଳରେ ଜୀବନ ବଞ୍ଚେଇ ବାହାରି ଆସିଲେ । ଜୀବନ ବଞ୍ଚେଇ ଦେଲେ ସିନା, ଆଖି ଆଗରେ ମହିଳା ଜଣକ ଜଳିଯିବାର ଦୃଶ୍ୟ ସମସ୍ତଙ୍କ ଛାତିକୁ ଥରାଇ ଦେଉଛି । ଆଖି ଆଗରେ ଜଳି ଯାଇଥିଲେ ମହିଳା ଜଣକ, କହି କିଛି କରିପାରି ନ ଥିଲେ । ନିଆଁ ଲାଗି ଯାଇଥିବା ବସରେ ଥିବା ଯାତ୍ରୀଙ୍କର ଏ ଥିଲା ହୃଦୟଥରା ଅନୁଭୂତି ।

କୋଲକାତାରୁ ପାରାଦୀପ ଆସୁଥିବା ସଦାନନ୍ଦ ନାମକ ଯାତ୍ରୀବାହି ବସରେ  ଖଡଗପୁର ଡେବ୍ରା ନିକଟରେ ନିଆଁ ଲାଗି ଯାଇଥିଲା । ବସଟିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଓଡ଼ିଆ । ଏମାନଙ୍କ ମଧ୍ୟରୁ  କେନ୍ଦ୍ରାପଡାର ୧୬ ଜଣ, ପାରାଦୀପର ୨ ଜଣ, ଯାଜପୁରର ୭ ଏମିତି ୨୫ଜଣ ଓଡ଼ିଆ ବସରେ ଥିଲେ । ଏଥିରେ ଥିଲେ କେନ୍ଦ୍ରାପଡାର ପୁଷ୍ପାଞ୍ଜଳି ଦାସ ।

ପରିବାର ସହ ପୁଷ୍ପାଞ୍ଜଳି କୋଲକାତାରେ ରୁହନ୍ତି । ଦୀପାବଳି ପାଇଁ ଘରକୁ ଫେରୁଥିଲେ । ସାଙ୍ଗରେ ଥିଲେ ସ୍ୱାମୀ ରାଜେନ୍ଦ୍ର ଦାସ, ୧୧ ବର୍ଷର ଝିଅ ଓ ୭ ବର୍ଷର ପୁଅ ।   ହଠାତ ନିଆଁ ଲାଗି ଯାଇଥିଲା ବସରେ । ସ୍ୱାମୀ ଓ ପୁଅଝିଅକୁ ଜଳନ୍ତା ବସରୁ ବାହାରକୁ କାଢିଲେ । ଆଉ କେତେ ଜଣଙ୍କୁ ବି ବାହାରିବାରେ ସାହାଯ୍ୟ କଲେ । ହେଲେ ନିଜେ ବାହାରି ପାରିଲେନି । ଜଳିଗଲେ । ଏ ଦୃଶ୍ୟ ଯିଏ ଦେଖିଛି ତା ଛାତି ଫାଟି ଯାଉଛି ।

ବସରେ ଅଧିକାଂଶ ଥିଲେ ଛୋଟ ବ୍ୟବସାୟୀ । କୋଲକାତାରୁ ମାଲ ନେଇ ଫେରୁଥିଲେ । ଅଗ୍ନିକାଣ୍ଡରେ ସବୁ ଜିନିଷପତ୍ର ସେମାନଙ୍କର ଜଳି ଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଭଗବାନଙ୍କ ଦୟାରୁ ଆମେ ସିନା ବଞ୍ଚିଗଲୁ, ହେଲେ ସବୁ ଜିନିଷ ଜଳିଗଲା ।

Leave A Reply

Your email address will not be published.