Latest Odisha News

BREAKING NEWS

ଛତିଶଗଡରେ ହାରିଗଲେ ପୁରୁଷ, ଜିତିଗଲେ ମହିଳା !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଡିସେମ୍ବର ତିନି ତାରିଖରେ ଫଳାଫଳ ଆସିବା ସହ ନୂଆ ସରକାର କିଏ ଗଢିବ ସ୍ପଷ୍ଟ ହେବ। ସେ ଭିତରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନାନା ଆକଳନ ମଧ୍ୟ ହେଉଛି।

କିନ୍ତୁ ଚଳିତ ନିର୍ବାଚନରେ ଛତିଶଗଡ଼ର ୯୦ ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୫୦ ଟି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ମତଦାନ କରିଛନ୍ତି। ସାତ ଓ ସତର ତାରିଖରେ ହୋଇଥିବା ମତଦାନ ତଥ୍ୟ ଅନୁଯାୟୀ ଏକ କୋଟି ୫୫ ଲକ୍ଷ ୬୧ ହଜାର ୪୬୦ ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି।

ଯେଉଁଥିରୁ ୭୭ ଲକ୍ଷ ୪୮ ହଜାର ୬୧୨ ପୁରୁଷ ମତଦାତା ହୋଇଥିବା ବେଳେ ୭୮ ଲକ୍ଷ ୧୨ ହଜାର ୬୩୧ ଜଣ ମହିଳା ରହିଛନ୍ତି। ଏହି ନିର୍ବାଚନ ରେ ୫୯ ପ୍ରତିଶତ ସିଟରେ ମହିଳା ଭୋଟର ମାନଙ୍କର ପ୍ରଭାବ ରହିଛି।

୫୩ ବିଧାନସଭା ସିଟ ଏମିତି ରହିଛି ଯେଉଁଠି ମହିଳା ମତଦାତାଙ୍କ ସଂଖ୍ୟା ପୁରୁଷଙ୍କ ଠାରୁ ଅଧିକ। ଯେଉଁଥିରୁ ୨୩ ଟି ସିଟ ଆଦିବାସୀ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୨ ଟି ଏସସି ବର୍ଗ ପାଇଁ ସଂରକ୍ଷିତ ରହିଛି।

ଆଉ ୨୮ ଟି ସିଟ ସାଧାରଣ ଵର୍ଗ ପାଇଁ ରହିଛି। ବସ୍ତର ଅଞ୍ଚଳରେ ମହିଳାଙ୍କ ମତଦାନ ଅଧିକ ରହିଥିବାବେଳେ ମୈଦାନୀ ଅଞ୍ଚଳରେ କମ ରହିଛି। ତେଣୁ ମହିଳା ଭୋଟରଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ସମସ୍ତ ଉଦ୍ୟମ କରିଛନ୍ତି।

ବିଜେପି ସରକାର ଗଢିଲେ ପ୍ରତ୍ୟେକ ମହିଳାଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ଦିଆଯିବ। ସେହିପରି କଂଗ୍ରେସ ମଧ୍ୟ ବାର୍ଷିକ ୧୫ ହଜାର ଟଙ୍କା ଦେବାକୁ ଘୋଷଣା କରିଛି। ତେଣୁ ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ହେଉଥିବାବେଳେ ଛତିଶଗଡ଼ରେ ଅଧିକ ସଂଖ୍ୟକ ମହିଳା ଭୋଟରଙ୍କୁ ଦେଖିବାକୁ ମିଳିଛି।

ବିଭିନ୍ନ ସର୍ଭେ ଅନୁଯାୟୀ ସେଠାରେ କଂଗ୍ରେସ ସରକାର ଗଢିବାର ଅଧିକ ସମ୍ଭାବନା ରହିଛି। ତେଣୁ ଅଧିକ ସଂଖ୍ୟକ ମହିଳାଙ୍କ ଭୋଟ କାହା ପକ୍ଷକୁ ଯାଇଛି ତାକୁ ନେଇ ମଧ୍ୟ ଅଙ୍କାକଷା ଆରମ୍ଭ ହୋଇଛି।

ଛାତିଶଗଡ଼, ମଧ୍ୟପ୍ରଦେଶ ଓ ମିଜୋରାମ ନିର୍ବାଚନ ଶେଷ ହୋଇଥିବା ବେଳେ ତେଲେଙ୍ଗାନା ଓ ରାଜସ୍ଥାନ ପାଇଁ ଜୋରଦାର ଲଢେଇ ଜାରି ରହିଛି।

Leave A Reply

Your email address will not be published.