Latest Odisha News

BREAKING NEWS

ମହିଳା ସଂରକ୍ଷଣ ବିଲ୍: ବିତର୍କ ବେଳେ ଅଧୀରଙ୍କ ମୁହଁ ଚୁପ୍ କରାଇଦେଲେ ଅମିତ ଶାହ!

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଗତକାଲି ମହିଳା ସଂରକ୍ଷଣ ବିଲ୍ ଉପରେ ଗୃହରେ ଆଲୋଚନା କରିବା ବେଳେ ବାକ୍ ଯୁଦ୍ଧ ହୋଇଥିଲା। ଆଜି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବିଲକୁ ସମର୍ଥନ କରିବା ସହ କଂଗ୍ରେସ ତରଫରୁ ଆଲୋଚନା ଆରମ୍ଭ କରିଛନ୍ତି।

ସୋନିଆଙ୍କ ଭାଷଣ ପରେ ବିଜେପିର ନିଶିକାନ୍ତ ଦୁବେ ସରକାରଙ୍କ ତରଫରୁ କହିବା ପାଇଁ ଛିଡ଼ା ହୋଇଥିଲେ। ଦୁବେ କହିବା ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇବା ଆରମ୍ଭ କରିଦେଇଥିଲେ ଯେ ବିତର୍କ ଆରମ୍ଭ କରିବା ପାଇଁ ବିଜେପି ଦୁବେଙ୍କୁ କାହିଁକି ପ୍ରାର୍ଥୀ କରିଛି ଏବଂ ଜଣେ ମହିଳା ସାଂସଦଙ୍କୁ କାହିଁକି ପ୍ରାର୍ଥୀ କରିନାହିଁ।

ଶାହ ତୁରନ୍ତ ହସ୍ତକ୍ଷେପ କରି ଅଧୀରଙ୍କୁ ପଚାରିଥିଲେ ଯେ କ’ଣ କେବଳ ମହିଳାମାନେ ମହିଳାଙ୍କ ହିତ ପାଇଁ କହିପାରିବେ?
ମୁ କେବଳ ଅଧୀର ରାଜନଙ୍କୁ ପଚାରିବାକୁ ଚାହୁଁଛି, କ’ଣ କେବଳ ମହିଳାମାନେ ଅନ୍ୟ ମହିଳାଙ୍କ ସମର୍ଥନରେ ଚିନ୍ତା କରିପାରିବେ? ପୁରୁଷ କାହିଁକି ନୁହେଁ? ଆପଣ କେଉଁ ସମାଜର କଳ୍ପନା କରୁଛନ୍ତି? ଭାରତରେ ଆମ ସଂସ୍କୃତିରେ ଭାଇମାନେ ପ୍ରଥମେ ମହିଳାମାନଙ୍କ ପାଇଁ ହିତ ଚିନ୍ତା କରନ୍ତି। ଖାସ କରି ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ ଚିନ୍ତା କରନ୍ତି ବୋଲି ଶାହ କହିଛନ୍ତି।

କଂଗ୍ରେସ ତରଫରୁ ଏହି ବିଲ୍ ପ୍ରଥମେ ଆଗତ କରିପାରିନଥିବାରୁ ଅଧୀର ନିଜକୁ ଈର୍ଷାପରାୟଣ ମନେ କରୁଛନ୍ତି କି ବୋଲି ଶାହ ପ୍ରଶ୍ନ କରିଛନ୍ତି।ମଙ୍ଗଳବାର ମଧ୍ୟ ଶାହ ଓ ଅଧୀର ଲୋକସଭାରେ ମୁହାଁମୁହିଁ ହୋଇଥିଲେ।

ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ପରେ ନୂଆ ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖି ଅଧୀର ରଞ୍ଜନ ଚୌଧୁରୀ ଦାବି କରିଛନ୍ତି ଯେ ଆଗତ ହୋଇଥିବା ବିଲ୍ ହିଁ କଂଗ୍ରେସ ନେତୃତ୍ୱାଧୀନ ସରକାର ୨୦୧୦ରେ ରାଜ୍ୟସଭାରେ ପାରିତ କରିଥିଲେ।

ମନମୋହନ ସିଂହଙ୍କ ସମୟରେ ଆଣିଥିବା ଏବଂ ରାଜ୍ୟସଭାରେ ପାରିତ ହୋଇଥିବା ବିଲ୍ ଏବେ ବି ବିଲୋପ ହୋଇନି ବୋଲି ଅଧୀର ରଞ୍ଜନ ଚୌଧୁରୀ ତାଙ୍କ ଭାଷଣରେ ଦାବି କରିଛନ୍ତି। ତେବେ ତାଙ୍କ ମନ୍ତବ୍ୟକୁ ଟ୍ରେଜେରୀ ବେଞ୍ଚରୁ ତୁରନ୍ତ ବିରୋଧ କରାଯାଇଥିଲା। ଗୃହ ମନ୍ତ୍ରୀ ଅମିତ ଶାହ ତୁରନ୍ତ ଅଧୀର ଚୌଧୁରୀଙ୍କ ମନ୍ତବ୍ୟକୁ ଖଣ୍ଡନ କରି କହିଥିଲେ ଯେ ରାଜ୍ୟସଭାରେ ପାରିତ ହୋଇଥିବା ବିଲ୍ ପଞ୍ଚଦଶ ଲୋକସଭାରେ ବାତିଲ ହୋଇଯାଇଛି।

Leave A Reply

Your email address will not be published.