ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମ୍ଲାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା। ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ରାଜନାଥ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, କାହାରିକୁ ଛଡ଼ା ଯିବନି। ଘଟଣାରେ ଯିଏ ସମ୍ପୃକ୍ତ ଓ ପରଦା ପଛରେ ଯିଏ ଅଛି କାହାରିକୁ ଛଡ଼ାଯିବନି। ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଜାରି ରଖିଛି। ଏଭଳି ଘୃଣ୍ୟ ଅମାନବୀୟ କାର୍ଯ୍ୟକୁ ନିନ୍ଦା କରୁଛି। ଆକ୍ରମଣକାରୀ ଆତଙ୍କବାଦୀ ଏବଂ ଘଟଣା ପଛର ମାଷ୍ଟରମାଇଣ୍ଡ ଖୁବଶୀଘ୍ର ଉଚିତ ଏବଂ ବଡ଼ ଧରଣର ଜବାବ ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗଁ, ଜାମ୍ମୁ-କାଶ୍ମୀରର ପହଲଗାମଠାରେ ଗତ ମଙ୍ଗଳବାର ଆତଙ୍କବାଦୀମାନେ ୨୮ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ସାରା ବିଶ୍ଵ ସ୍ତବ୍ଧ ହୋଇପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନେକ ଦେଶର ନେତାମାନେ ଏହାକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ଗସ୍ତ ଅଧାରୁ ସ୍ଥଗିତ ରଖି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରି ପହଲଗାମ ସ୍ଥିତିର ସମୀକ୍ଷା କରିଛନ୍ତି।
Comments are closed.