Latest Odisha News

BREAKING NEWS

କାଠି କଣ୍ଢେଇ ଦେଇଛି ଉଷସୀଙ୍କୁ ପରିଚୟ

ରାତ୍ରୀକାଳୀନ ବଜାରରେ ଆଦର ପାଉଛି କାଠି କଣ୍ଢେଇ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଉତ୍ସବରେ ସ୍ଥାନୀୟ କଳାକାରଙ୍କୁ ନେଇ ରାତ୍ରୀକାଳୀନ ବଜାର ଖୋଲା ଯାଇଛି। ଯେଉଁଠି ଓଡ଼ିଶାର କାରିଗରମାନେ ନିଜର ଉତ୍ପାଦ ଦେଖାଇବାକୁ ସୁଯୋଗ ପାଇଛନ୍ତି। ବର୍ତ୍ତମାନ ସମୟରେ ସବୁଠି ନାରୀମାନେ ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି। ବଜାରରେ ଉତ୍କଳା ଷ୍ଟଲରେ ଦେଖିବକୁ ମିଳିଛନ୍ତି ସେମିତି ଜଣେ ସ୍ବାବଲମ୍ବୀ ମହିଳା ଉଷସୀ ରଥ।

ପୁରୀର ବାସିନ୍ଦା ଉଷସୀ ପ୍ରଥମେ ଦୁବାଇରେ ରହି ଓଡ଼ିଶାର ଉତ୍ପାଦକୁ ସେଠାରେ ପ୍ରଚାର ପ୍ରସାର କରୁଥିଲେ। ଘରକୁ ଫେରିବା ପରେ ସେ ପୁରୀ କାଠି କଣ୍ଢେଇ , ଚିନି ଖଜୁରୀ ଗଛର ପତ୍ରରୁ ନିର୍ମିତ ସୂକ୍ଷ୍ମ ଖେଳଣା କରିବାର ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ଏକ ମିଶନ ଆରମ୍ଭ କରିଥିଲେ। ହାତତିଆରି ତାଳପତ୍ର କାଠି କଣ୍ଢେଇ ପୁରୀ ଜିଲ୍ଲାର ୫୦୦ ବର୍ଷର ଏକ ପୁରୁଣା କଳା। ଯାହାକୁ ସଂରକ୍ଷଣ କରିବା ସହ ତାକୁ କିଭଳି ରୋଜଗାରର ମାଧ୍ୟମ କରିହେବ ସେ ନେଇ ସେ ତାଙ୍କର ଚେଷ୍ଟା ଜାରି ରଖିଛନ୍ତି। ସେ ନିଜେ ସଶକ୍ତ ହେବା ସହ ଯେଉଁମାନେ କାମ ଖୋଜୁଛନ୍ତି ସେମାନଙ୍କୁ ମଧ୍ୟ କାମ ଯୋଗାଉଛନ୍ତି। ଏମିତିକି ବସ୍ତିକୁ ଯାଇ ସେଠିକାର ପିଲା ଓ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ କାମ ଶିଖାଇ ଆର୍ଥିକ ସାହାଯ୍ୟ କରୁଛନ୍ତି। ମାତ୍ର ୪୦ ଟଙ୍କାରୁ ଆରମ୍ଭ କରି ଅଳ୍ପ ମୂଲ୍ୟରେ ବିଭିନ୍ନ ଜିନିଷ ତାଙ୍କ ପାଖେ ଉପଲବ୍ଧ। ତାଙ୍କ ପାଖେ ଅବ୍ୟବହୃତ ପେପର୍ ର ପେଷ୍ଟରେ ଚାବି ରିଙ୍ଗ ରହିଛି ଯାହାର ମୂଲ୍ୟ ୩୦ ଟଙ୍କା, ଓଡ଼ିଶାର କଳା ଓ ଐତିହ୍ୟ ବିଷୟରେ ଲେଖା ହୋଇଥିବା ଡାଏରୀ ରହିଛି ଯାହାର ଦାମ ୧୦୦ ଟଙ୍କା, ଘର ସାଜସଜ୍ଜା ଉପକରଣ ଆଦି ରହିଛି।

ଖୁବ୍ କମ୍ ଦାମରେ ଓଡ଼ିଶାର କଳା, ସଂସ୍କୃତିକୁ ଦେଖାଉଥିବା ସାମଗ୍ରୀମାନ ତାଙ୍କ ପାଖେ ମିଳୁଛି। ତାଙ୍କ ସହ ୬ ଜଣ ମିଶି କାମ କରୁଛନ୍ତି। ସେ କହିଛନ୍ତି, କାଠି କଣ୍ଢେଇ ଆମର ଏକ ପରିଚୟ। ଏହାକୁ ସବୁବେଳେ ବଞ୍ଚାଇ ରଖିବାକୁ ହେଲେ ଏହାର ବ୍ଯବହାର ମଧ୍ୟ କରିବା ଆବଶ୍ୟକ। କାମ ବଢ଼ିଲେ ମୁଁ ଅନେକ ମହିଳାଙ୍କୁ ରଖି କାମ ଯୋଗାନ୍ତି। କେବଳ ଓଡ଼ିଶାରେ ନୁହଁ ରାଜ୍ୟ ବାହାରେ ମଧ୍ୟ ସେ ଏହାକୁ ପ୍ରଦର୍ଶିତ କରିଛନ୍ତି। ଲୋକମାନେ ଏହାକୁ ଆଦର କରନ୍ତି ବୋଲି ରଥ କହିଛନ୍ତି।

Leave A Reply

Your email address will not be published.