Latest Odisha News

BREAKING NEWS

ଶିଶୁ କବିତା : ବଗକୁ ପାନେ

 ସୁପ୍ରିୟା ପଣ୍ଡା

ବଗ ବସିଥିଲା ଗଛର ଡାଳରେ
ଗାଡ଼ିଆ ଆଡ଼କୁ ଚାହିଁ
ମାଛଟିଏ ଯଦି ମୁଣ୍ଡ ଦେଖେଇବ
ଖବ୍ କି ଧରିବ ଯାଇ।

ପୋକ ଜୋକ ଖାଇ ଚିଟା ଲାଗିଲାଣି
ଲୋଡ଼ା ଆଇଁଷ ଟିକିଏ
ଗୋଟିଏ ଲୟରେ ଚାହିଁକି ବସିଛି
ଦେଖାଯିବ ମାଛଟିଏ ।

ଘଣ୍ଟାଏ ବସିଲା ଦୁଇଘଣ୍ଟା ଗଲା
କିଛି ଦେଖାଗଲା ନାହିଁ
ଭୋକର ଦାଉରେ ବଗର ପେଟରେ
ମୂଷା ଦଉଡ଼ନ୍ତି ଯାଇ।

ଭାବିଲା ଏଥର ପଶିବ ପାଣିରେ
ଗଡ଼ିଶା ମାଛ ଧରିବ
ଯେମିତି ସେମିତି ପାଇଗଲେ ଗୋଟେ
ଖୁସି ମନରେ ଖାଇବ ।

ଗୋଟିଏ ଗୋଡ଼ରେ ଠିଆ ହେଲା ଯାଇ
ମାଛଙ୍କୁ ଡାକିଲା ଶୁଣ
ଆରାମରେ ତୁମେ ଚାଲବୁଲ କର
ଆଇଁଷେ ନାହିଁ ମୋ ମନ।

ସେଇଥିପାଇଁ ତ ଗୋଟିଏ ଗୋଡ଼ରେ
ତପସ୍ୟା କରୁଛି ମୁହିଁ
ପୋକ ଜୋକ ସବୁ ଛାଡ଼ି ସାରିଲିଣି
ଫଳମୂଳ ଖାଇ ଖାଇ।

ମାଛମାନେ ମନ ଖୁସିରେ ପହଁରି
ଏକଡ଼ ସେକଡ଼ ହେଲେ
ବଗ ଏବେ ବାବା ବୈଷ୍ଣବ ହୋଇଛି
ଡରିବେ କାହାକୁ ଭଲେ।

ଆଖରେପାଖରେ ମାଛ ଦେଖି ଦେଖି
ବୋହିଲା ଲାଳ ବଗର
ଭାବିଲା ଗୋଟିଏ ଉଠେଇ ନେଇକି
ଉଡ଼ିଯିବ ଫରଫର ।

ଗାଡ଼ିଆ ଭିତରେ କଙ୍କଡ଼ା ଏସବୁ
ଚୁପଚାପ୍ ଦେଖୁଥିଲା
ଭାବିଲା ବଗକୁ ପାନେ ଦେବାପାଇଁ
ଗୋଡ଼ ପାଖକୁ ଆସିଲା।

ମାଛ ଧରିବାକୁ ବଢ଼ାଇଲା ଥଣ୍ଟ
ମନେ ମନେ ଖୁସି ହୋଇ
ଜାବୁଡ଼ିକି କିଏ ଗୋଡ଼କୁ ଧରିଲା
ଜମାରୁ ଛାଡ଼ିଲା ନାହିଁ।

ଏପଟେ ମାଛଟେ ଧରିଛି ଥଣ୍ଟରେ
ଉଡ଼ିବାକୁ ଛଟପଟ
ଗୋଡ଼କୁ ତାହାର ଜାବୁଡ଼ି ଧରିଣ
କଙ୍କଡ଼ା କରୁଛି ନାଟ।

ଜୀବନ ବିକଳେ ଛାଡ଼ିଦେଲା ମାଛ
ଛାଟିଲା ଗୋଡ଼ ପାଣିରେ
ଛାଡ଼ ଛାଡ଼ ବୋଲି ନେହୁରା ହୋଇଲା
କଙ୍କଡ଼ା କି ତାକୁ ଛାଡ଼େ।

ମିଛ କହିବିନି ଆଳ କରିବିନି
କ୍ଷମା କରିଦିଅ ମତେ
ଅନ୍ୟକୁ ଠକିଲେ ବିପଦକୁ ଆମେ
ଡାକିଆଣୁ ନିଜ ସାଥେ।

ବଗର କଥାରେ ଭରଷା କରିଣ
ଛାଡ଼ି ଦେଲା ତାର ଗୋଡ଼
ଉଡ଼ିଗଲା ବଗ ଦୂର କେଉଁ ଦେଶେ
କାନମୁଣ୍ଡ ଆଉଁଷିଣ।

ମିଛରେ ବାହାନା କରିବାନି କେବେ
ଇଚ୍ଛା ନହେଲେ ପୁରଣ
ରହିବା ଖୁସିରେ ସବୁବେଳେ ଆମେ
ପାଖେ ଯାହା ଥାଉ ଆମ।

ରସୁଲଗଡ, ଭୁବନେଶ୍ବର
୮୮୯୫୫୬୦୫୫୦

Leave A Reply

Your email address will not be published.