Latest Odisha News

BREAKING NEWS

ଆଜମଗଡ଼ରେ ପୁଣି ଯୋଗୀ ଅଖିଳେଶ ଲଢ଼େଇ

ଲକ୍ଷ୍ନୈା: ଉତ୍ତରପ୍ରଦେଶର ସବୁଠୁ ହଟ୍ ସିଟ୍ ଆଜମଗଡ଼ରେ ଆସନ୍ତା ସପ୍ତାହରେ ହେବ ନିର୍ବାଚନ ।  ଆଜମଗଡରେ ହେବାକୁ ଥିବା ଲୋକସଭା ଉପ-ନିର୍ବାଚନରେ ଏସପି ଏବଂ ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ଅଖିଳେଶ ଯାଦବଙ୍କ ଇସ୍ତଫା ପରେ ଖାଲିଥିବା ଏହି ଆସନରେ ଯୋଗୀଙ୍କ ପ୍ରାର୍ଥୀ ଜିତିବ ନା ଅଖିଳେଶଙ୍କ ପ୍ରାର୍ଥୀ ଜିତିବ ତାକୁ ନେଇ ଚର୍ଚା ଜୋର ଧରିଛି ।

ଆଜମଗଡ ଲୋକସଭା ଉପ-ନିର୍ବାଚନରେ ଅଖିଳେଶଙ୍କ ​​ସମାଜବାଦୀ ପାର୍ଟି ଧର୍ମେନ୍ଦ୍ର ଯାଦବଙ୍କୁ ଟିକେଟ୍ ଦେଇଛି । ଆଉ ତାଙ୍କ ସହ ଲଢ଼େଇ କରୁଛନ୍ତି ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଦୀନେଶ ଲାଲ ଯାଦବ । ସେପଟେ ଶାହା ଆଲାମଙ୍କୁ  ବିଏସପି ମୁଖିଆ ମାୟାବତୀ ପ୍ରାର୍ଥୀ କରି ଲଢ଼େଇକୁ ତ୍ରିକୋଣୀୟ କରିଦେଇଛନ୍ତି ।  ଜୁନ୍ 23 ରେ ଆଜମଗଡରେ ମତଦାନ ହେବାକୁ ଯାଉଥିବା ବେଳେ ଫଳାଫଳ 26 ଜୁନ୍ ହିଁ ଜଣାପଡିବ । ଆଉ ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଆଜମଗଡ ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରାୟ 18.38 ଲକ୍ଷ ଭୋଟର ଅଛନ୍ତି। ଏଥିମଧ୍ୟରୁ ପ୍ରାୟ 3.5 ଲକ୍ଷ ଭୋଟର ଯାଦବ ।  ମୋଟ ଓବିସି ଭୋଟରଙ୍କ ସଂଖ୍ୟା ଛଅ ଲକ୍ଷରୁ ଅଧିକ  । ସେହିପରି 4.5 ଲକ୍ଷ ଦଳିତ ଭୋଟର ଏଠାରେ ଅଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି  3.5 ଲକ୍ଷ ମୁସଲମାନ ଏହି ଆସନରେ ସଦାବେଳେ ନିର୍ଣ୍ଣାୟକ ହୋଇଥାନ୍ତି । ଯଦିଓ ଏଠାରେ  3  ଲକ୍ଷ ଉଚ୍ଚ ଜାତିର ଭୋଟର ଅଛନ୍ତି।

ଆଜମଗଡ ଲୋକସଭା ନିର୍ବାଚନମଣ୍ଡଳୀରେ ଗୋପାଳପୁର, ସାଗଡି, ମୁବାରକପୁର, ଆଜାମଗଡ ସଦର ଏବଂ ମେହେନଗର ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଏହି ସମସ୍ତ ଆସନରେ ଏସପି ବିଧାୟକ ଏଥର ଜିତିଛନ୍ତି ।  2022 ବିଧାନସଭା ନିର୍ବାଚନରେ ​​ଏସପି ଏହି ପାଞ୍ଚଟି ଆସନରେ 4.35 ଲକ୍ଷ ଭୋଟ୍, ବିଜେପି 3.30 ଲକ୍ଷ ଏବଂ ବିଏସପି 2.24 ଲକ୍ଷ ଭୋଟ୍ ପାଇଥିଲେ ।

2019 ମସିହାରେ, ଏସପି-ବିଏସପିର ମେଂଟ ଏଠାରେ ନିର୍ବାଚନ ଲଢ଼ିଥଲେ । ଯାହାଫଳରେ  ଅଖିଳେଶ ଯାଦବଙ୍କୁ 6.21 ଲକ୍ଷ, ବିଜେପିର ଦୀନେଶ ଲାଲ ଯାଦବ 3.61 ଲକ୍ଷ ଭୋଟ୍ ପାଇଥିଲେ। ପରିସ୍ଥିତି ସ୍ପଷ୍ଟ ଯେ 2019 ରେ ଯାଦବଙ୍କ ସହ ମୁସଲିମ, ଦଲିତ ଭୋଟ୍ ମଧ୍ୟ ଏସପି ପ୍ରାର୍ଥୀ ଅଖିଳେଶଙ୍କ ସପକ୍ଷରେ ଯାଇଥିଲା । ଏଥର କିନ୍ତୁ ଦଳିତ, ମୁସଲିମ ଭୋଟ ପାଇଁ ଅଲଗା ଅଲଗା ପ୍ରାର୍ଥୀ ଅଛନ୍ତି ।

ଏଭଳି ପରିସ୍ଥିତିରେ ଏସପି ସମ୍ମୁଖରେ  ମୁସଲିମ ଏବଂ ଯାଦବ ସହ ଦଳିତ ଭୋଟ୍ ବ୍ୟାଙ୍କକୁ ନିଜ ସପକ୍ଷରେ ବଜାୟ ରଖିବା କଷ୍ଟକର ହୋଇପାରେ । ପୁଣି ଅଖିଳେଶ ଯାଦବ ମଧ୍ୟ ଏପର୍ଯ୍ୟନ୍ତ ଆଜମଗଡ଼ ଯାଇନାହାଁନ୍ତି ପ୍ରଚାର କରିବା ପାଇଁ । ସେପଟେ ଜେଲରୁ ଆଜମ ଖାନ୍ ଆସିବା ପରେ  ପ୍ରଚାରରେ ଯାଇଛନ୍ତି ସତ କିନ୍ତୁ ତାଙ୍କ ଭଏସ ପୂର୍ବ ଭଳି ନାହିଁ । ଆଜମ ଖାନ୍ ମାନ୍ଦା ପଡ଼ିଯାଇଛନ୍ତି । ତେଣୁ କିଏ ଏଥର ଏହି ଆସନକୁ ଜିତୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.