Latest Odisha News

BREAKING NEWS

ମାନସିକ ଚାପରେ ଯୁବପୀଢ଼ି ! ଜାଣନ୍ତୁ ସମାଧାନର ବାଟ

ବର୍ତ୍ତମାନ ପରିସ୍ଥିରେ ଚାପ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା। ଏହା ଏବେ ଅନେକ ରୋଗର ମୁଖ୍ୟ କାରଣ ପାଲଟିଛି। ବିଶେଷ ଭାବରେ ୧୮ ରୁ ୪୫ ବର୍ଷ ବୟସର ଯୁବପୀଢ଼ି ଅଧିକ ଭାବରେ ଏହି ସମସ୍ୟାର ଶିକାର ହେଉଛନ୍ତି। ତେବେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହାର ଭିନ୍ନତା ରହିଛି ।

ବିଶେଷଜ୍ଞଙ୍କ ମତରେ, ଚାପର ବିଭିନ୍ନ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ଏକାଡେମିକ୍ ଚାପ, ଆର୍ଥିକ ଚିନ୍ତା ଏବଂ କ୍ୟାରିୟର ଅନିଶ୍ଚିତତା। ଅନ୍ୟାନ୍ୟ ଚିନ୍ତା, ଯାହା ଯୁବପୀଢ଼ିଙ୍କୁ ଅଧିକରୁ ଅଧିକ ଚାପରେ ପକାଇଥାଏ ତାହା ହେଉଛି ସାମାଜିକ ଗଣମାଧ୍ୟମରେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବା। ଅନ୍ୟମାନଙ୍କ ସାମାଜିକ ଜୀବନ ସହ ନିଜ ଜୀବନସାଥୀ ତଥା ପରିବାରକୁ ତୁଳନା କରିବା ସେମାନଙ୍କୁ ଅଧିକ ଚାପଗ୍ରସ୍ଥ କରୁଛି ।

 

ସାଧାରଣତଃ ଚାପଗ୍ରସ୍ତର ଅର୍ଥ କେବଳ ମସ୍ତିଷ୍କ ଉପରେ ପ୍ରଭାବ ପଡ଼େ ବୋଲି ଆମେ ଧରିନେଉ।କିନ୍ତୁ ବାସ୍ତବରେ ଏହା ଚାପ ସମଗ୍ର ଶରୀରକୁ ପ୍ରଭାବିତ କରିପାରେ। ନିୟମିତ ଭାବେ କର୍ଟିସୋଲ ହରମୋନ ରିଲିଜ୍ ହେଲେ ସ୍ୱାସ୍ଥ୍ୟ ଉପରେ ଏହାର ଗମ୍ଭୀର ପ୍ରଭାବ ପଡେ। କର୍ଟିସୋଲ କାରରୁ ଶରୀରରେ ଚର୍ବି ଜମାଟ(ବିଶେଷ କରି ପେଟ), ଓଜନ ବୃଦ୍ଧି, ଇନସୁଲିନ୍ ପ୍ରତିରୋଧ, ମେଟାବୋଲିକ୍ ଡିସଫଙ୍କସନ, ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ବଢ଼ିଥାଏ। ଏହି ହରମୋନ କାରଣରୁ ମଧ୍ୟ ଠିକ୍ ନିଦ ହୋଇନଥାଏ।

ଏକ ସର୍ବେକ୍ଷଣ ତଥ୍ୟ ଅନୁଯାଇ ଆମ ଦେଶରେ ପୁରୁଷ ଓ ମହିଳା ମଧ୍ୟରେ ମହିଳାମାନେ ହିଁ ଅଧିକ ଚାପଗ୍ରସ୍ଥ ହୋଇଥାନ୍ତି । ଏଥିପାଇଁ ମୁଖ୍ୟତଃ ଜୈବିକ, ମାନସିକ ଏବଂ ସାମାଜିକ କାରଣଗୁଡ଼ିକ ଦାୟୀ। ମହିଳାଙ୍କ ଶରୀରରୁ ରିଲିଜ୍ ହେଉଥିବା ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ହରମୋନ ଚାପର ପ୍ରତିକ୍ରିୟାକୁ ପ୍ରଭାବିତ କରିପାରେ। ଅଧ୍ୟୟନରୁ ଜଣାପଡିଛି ଯେ, ମାସିକ ଋତୁଚକ୍ର, ଗର୍ଭାବସ୍ଥା ଏବଂ ମେନୋପଜ୍ ସମୟରେ ଏହି ହରମୋନଗୁଡ଼ିକର ପରିବର୍ତ୍ତନ କାରଣରୁ ମହିଳାମାନେ ଅଧିକ ଚାପଗ୍ରସ୍ତ ହୋଇପାରନ୍ତି। ଅନୁସନ୍ଧାନରୁ ଆହୁରି ଜଣାଯାଇଛି ଯେ, ଚାପ ସମୟରେ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଯାଏ।

 

ବିଶେଷଜ୍ଞଙ୍କ କହିବା ଅନୁସାରେ, ନିୟମିତ ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ହେବା ଏବଂ ପୋଷକତତ୍ତ୍ୱରେ ଭରପୂର ସନ୍ତୁଳିତ ଖାଦ୍ୟ ବଜାୟ ରଖିବା ଦ୍ୱାରା ଚାପରୁ ମୁକ୍ତି ମିଳିପାରିବ। ଶାରୀରିକ ବ୍ୟାୟାମ ଫଳରେ ଏଣ୍ଡୋରଫିନ ରିଲିଜ୍ ହୋଇଥାଏ। ଏହି ହରମୋନ ମନୋବଳକୁ ଦୃଢ କରିବା ସହ ସୁସ୍ଥତା ବଜାୟ ରଖିଥାଏ। ଓମେଗା-୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଚାପ ହରମୋନ ଉତ୍ପାଦନକୁ ହ୍ରାସ କରିପାରେ। ଏହା ସହପ୍ରିୟଜନଙ୍କ ସହ ବାର୍ତ୍ତାଳପ, ବନ୍ଧୁମାନଙ୍କ ସହ ସମୟ ବିତାଇବା ଏବଂ ସଙ୍ଗୀତ ସାହାଯ୍ୟରେ ମଧ୍ୟ ଚାପକୁ ଦୂର କରାଯାଇ ପାରିବ।

Leave A Reply

Your email address will not be published.