Latest Odisha News

BREAKING NEWS

ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସରେ ମିଶିଵ କି ୱାଇଏସଆର ତେଲେଙ୍ଗାନା ପାର୍ଟି? ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ ୱାଇଏସ ଶର୍ମିଳାଙ୍କ ଆଭିମୁଖ୍ୟକୁ ଦେଖି ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି।

ଚର୍ଚ୍ଚା ଅନୁଯାୟୀ ଆସନ୍ତା ଜୁଲାଇ ଆଠ ତାରିଖରେ ଶର୍ମିଳାଙ୍କ ଦଳ କଂଗ୍ରେସରେ ମିଶିବ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ ହେବ ବୋଲି କୁହାଯାଉଛି।

ଜୁଲାଇ ଆଠ ତାରିଖରେ ସୋନିଆ ଓ ରାହୁଲ ତେଲେଙ୍ଗାନା କଡ଼ପା ଜିଲ୍ଲା ଗସ୍ତ କରିବା ସହ ଅଣବିଭାଜିତ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହି ଅବସରରେ ଶର୍ମିଳା ତାଙ୍କ ଦଳର କଂଗ୍ରେସ ସହ ମିଶ୍ରଣର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ବିଜୟ ପରେ ଏବେ ଆନ୍ଧ୍ର ଓ ତେଲେଙ୍ଗାନା ଉପରେ କଂଗ୍ରେସ ଫୋକସ କରୁଛି। ଏପରିକି ଏଥିପାଇଁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କୁ ଦଳ ତେଲେଙ୍ଗାନା ଦାୟିତ୍ୱ ଦେଇଛି। କିଛି ଦିନ ତଳେ ଶର୍ମିଳା ଡି କେ ଶିବକୁମାରଙ୍କୁ ଭେଟିଛନ୍ତି।

ଶିବକୁମାର ମଧ୍ୟ ଶର୍ମିଳାଙ୍କ ପରିବାର ସହ ବହୁ ପୂର୍ବରୁ ଜଡିତ। ତେଣୁ ଉଭୟଙ୍କ ଭେଟଘାଟ ପରେ ସେତେବେଳେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏପରିକି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନରେ ଶର୍ମିଳାଙ୍କ ଜନ୍ମଦିନର ଅଭିନନ୍ଦନ ଟ୍ୱିଟକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଖୁବ ଶୀଘ୍ର ସୋନିଆ ଗାନ୍ଧୀ ମଧ୍ୟ ୱାଇଏସ ଶର୍ମିଳା ଏବଂ ତାଙ୍କ ମା ୱାଇଏସ ବିଜୟଲକ୍ଷ୍ମୀଙ୍କୁ ଦିଲ୍ଲୀରେ ଭେଟିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସରେ ମିଶିବା ପରେ ଶର୍ମିଳାଙ୍କ ତେଲେଙ୍ଗାନା ପାର୍ଟିର କିଛି ନେତାଙ୍କୁ ଦଳ ଆଗାମୀ ନିର୍ବାଚନ ଲଢ଼ିବାକୁ ଟିକେଟ ଦେବ ବୋଲି ଆଲୋଚନା ହେଉଛି।

ଶର୍ମିଳା ମଧ୍ୟ ଖମ୍ମମ ଜିଲ୍ଲାର ପଲାଇର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିସାରିଛନ୍ତି। ତେଣୁ ପଡୋଶୀ କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏ ନେଇ ପ୍ରକ୍ରିୟା ଚାଲିଥିବା କୁହାଯାଉଛି।

ଏପରିକି ଆଗାମୀ ନିର୍ବାଚନରେ ଯେମିତି ହେଲେ ବି କେସିଆରଙ୍କ ଭାରତ ରାଷ୍ଟ୍ର ସମିତିକୁ ହରାଇବା ପାଇଁ ଶର୍ମିଳା ଟାର୍ଗେଟ ରଖିଛନ୍ତି। ତେଣୁ ଯେଉଁ ଶକ୍ତି ତାଙ୍କୁ ଏଥିରେ ସହଯୋଗ ଦେବ ସେ ତା ସହ ରହିବେ ବୋଲି କହିଛନ୍ତି।

ଅଣବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ୱାଇଏସ ରାଜଶେଖର ରେଡ୍ଡିଙ୍କ ଶାସନ ସମୟରେ ଆନ୍ଧ୍ରର କୃଷକ ଓ ଗରିବଙ୍କ ପାଇଁ ରାଜନ୍ନା ରାଜ୍ୟମର ଯେଉଁ ନାରା ଦିଆଯାଇଥିଲା ତାହା ପୁଣିଥରେ ଫେରାଇ ଅଣାଯିବ ବୋଲି ଶର୍ମିଳା କହିଥିଲେ।

ତେଣୁ ପରିବର୍ତିତ ରାଜନୈତିକ ସ୍ଥିତିକୁ ଦେଖି କେସିଆରଙ୍କୁ ଶାସନରୁ ହଟାଇବା ପାଇଁ ଶର୍ମିଳା କଂଗ୍ରେସ ସହ ମିଶିବା ପ୍ରକ୍ରିୟା ଜୋରଦାର କରିଥିବା ଆଲୋଚନା ହେଉଛି।

Comments are closed.