Latest Odisha News

BREAKING NEWS

ବିରୋଧୀଙ୍କ ବୈଠକ ପୂର୍ବରୁ ତେଜିଲା ରାଜନୀତି, ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ କେଜରିୱାଲ ଲଢେଇ!

ଭୁବନେଶ୍ୱର: ରାତି ପାହିଲେ ବହୁ ପ୍ରତୀକ୍ଷିତ ବିରୋଧୀ ଦଳଗୁଡିକର ବୈଠକ ହେବ। ଏଥିପାଇଁ ବିହାରର ପାଟନା ଚଳଚଞ୍ଚଳ ହୋଇଉଠିଛି।ବିଜେପି ବିରୋଧରେ ଏକାଠି ହେବେ ୧୭ ରୁ ଅଧିକ ବିରୋଧୀ ଦଳ।

କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଏମସି, ଉଦ୍ଧବ ଗୋଷ୍ଠୀ ଶିବସେନା ସମେତ ପ୍ରମୁଖ ଦଳର ପ୍ରତିନିଧି ଗୋଟିଏ ମଞ୍ଚରେ ଏକାଠି ହେବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଭିଭାଷଣରୁ ବୈଠକ ଆରମ୍ଭ ହେବାକୁ ଥିବାବେଳେ ସଭା ଶେଷରେ ଅଭିଭାଷଣ ରଖିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ବିହାର ସରକାରଙ୍କ ପକ୍ଷରୁ ଅତିଥିଙ୍କ ସ୍ୱାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ଠିକ ବିରୋଧୀ ଏକତା ବୈଠକ ପୂର୍ବରୁ ବିହାରରେ ପୋଷ୍ଟର ଲଢେଇ ଆରମ୍ଭ ହୋଇଛି। ପୋଷ୍ଟର ମାଧ୍ୟମରେ ବିଜେପି ବିରୋଧୀଙ୍କୁ ଭିନ୍ନ ଢଙ୍ଗରେ ବିରୋଧ କରିବା ଆରମ୍ଭ କରିଛି।

ବିହାରର ବିଭିନ୍ନ ଅଂଚଳରେ ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ହୋର୍ଡିଂରେ ଛାଇ ଦେଇଛି ବିଜେପି। ଯେଉଁ ବିରୋଧୀ ଦଳ ନେତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଅଛି ସେମାନଙ୍କ ଫଟୋ ହୋର୍ଡିଂରେ ରଖାଯିବା ସହ ଏହାକୁ ବିଭିନ୍ନ ସ୍ଥାନରେ ଲଗାଯାଇଛି।

ଏପରିକି ହୋର୍ଡିଂରେ ବିରୋଧୀଙ୍କୁ ଆକ୍ଷେପ କରି ବିଭିନ୍ନ କଥା ଲେଖାଯାଇଛି। ଖୁବ ଜମେଗା ରଙ୍ଗ ଜବ ମିଲ ବୈଠେଙ୍ଗେ ଠଗବନ୍ଧନ କେ ଭ୍ରଷ୍ଟାଚାରୀ ସଙ୍ଗ ଭଳି ଲେଖା ମଧ୍ୟ ବହୁ ହୋର୍ଡିଂର ଶୀର୍ଷକ ସାଜିଛି। ଏଥିରେ ପରିବାରବାଦର କଥା ମଧ୍ୟ ସ୍ଥାନ ପାଇଛି।

ହୋର୍ଡିଂରେ ସୋନିଆ ଗାନ୍ଧୀ, ଲାଲୁ ପ୍ରସାଦ ଯାଦବ, ରାହୁଲ ଗାନ୍ଧୀ, ଅଖିଲେଶ ଯାଦବ, ଅରବିନ୍ଦ କେଜରିୱାଲ, ମମତା ବାନାର୍ଜୀ ଓ ତେଜସ୍ୱୀ ଯାଦବ ପ୍ରମୁଖଙ୍କ ଫଟୋ ଦିଆଯାଇଛି। ଗୋଟିଏ ପଟେ ଏହି ବୈଠକ ଦ୍ୱାରା ବିହାରରୁ ସାରା ଦେଶକୁ ବାର୍ତା ଦେବାକୁ ବିରୋଧୀ ଉଦ୍ୟମ କରୁଥିବା ବେଳେ ବିହାର ବିଜେପି ପକ୍ଷରୁ ବିରୋଧୀଙ୍କ ବୈଠକକୁ ନେଇ ଏଭଳି ପୋଷ୍ଟର ସବୁ ଆଡେ ଲଗାଯାଇଛି।

ଏପରିକି ବିଜେପି ପକ୍ଷରୁ ଜୟ ପ୍ରକାଶ ନାରାୟଣଙ୍କୁ ଆଧାର କରି ନୀତିଶଙ୍କୁ ପୋଷ୍ଟର ମାଧ୍ୟମରେ ଟାର୍ଗେଟ କରାଯାଇଛି। ସେହିପରି ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କକୁ ନେଇ କାର୍ଟୁନ ମାଧ୍ୟମରେ ଦର୍ଶାଯାଇଛି।

ତେଣୁ ବିରୋଧୀ ବୈଠକ ପୂର୍ବରୁ ବିଜେପି ଏଭଳି ଆଗ୍ରେସିଭ ଢଙ୍ଗରେ ବିହାରରେ ବାତାବରଣ ତିଆରି କରିଥିବାରୁ ଏ ପ୍ରସଙ୍ଗ ଆହୁରି ରୋଚକ ହେବାରେ ଲାଗିଛି। ଏପରିକି ନିଜକୁ ଆମ ଆଦମୀ ପାର୍ଟି ସମର୍ଥକ କହୁଥିବା ଜଣେ ବ୍ୟକ୍ତି ଅରବିନ୍ଦ କେଜରିୱାଲଙ୍କୁ ଭାବି ପ୍ରଧାନମନ୍ତ୍ରୀ ଆଖ୍ୟା ଦେଇ ପୋଷ୍ଟର ଲଗାଇଥିବା ବେଳେ ନୀତିଶଙ୍କୁ ସମାଲୋଚନା କରିଛନ୍ତି।

ମୋଦୀଙ୍କ ସହ ନୀତିଶଙ୍କ ଫଟୋ ଦେଇ ତାଙ୍କୁ ବିଶ୍ୱାସ କରି ହେବନି ବୋଲି କହିଛନ୍ତି। ଏପରିକି ବିହାରର ଜଣେ କଂଗ୍ରେସ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭାବି ପ୍ରଧାନମନ୍ତ୍ରୀ ଆଖ୍ୟା ଦେଇ ପୋଷ୍ଟର ଲଗାଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେପଟେ ଠିକ ଏହି ସମୟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ଏନଡିଏକୁ ସମର୍ଥନ ଜଣାଇ ରାଜନୀତିକୁ ଆହୁରି ସରଗରମ କରିଛନ୍ତି। କିଛି ଦିନ ତଳେ ଜିତନରାମଙ୍କ ପୁଅ ସନ୍ତୋଷ ସୁମନ ନୀତିଶଙ୍କ ମନ୍ତ୍ରୀମଣ୍ଡଳରୁ ମନ୍ତ୍ରୀପଦ ଛାଡିବା ସହ ଗଠବନ୍ଧନରୁ ଜିତନରାମଙ୍କ ହମ ପାର୍ଟି ଓହରି ଯାଇଥିଲା।

ତେଣୁ ଆଉ ମାତ୍ର ଅଳ୍ପ ସମୟ ପରେ ବିରୋଧୀଙ୍କ ନିର୍ଣ୍ଣାୟକ ବୈଠକ ଆରମ୍ଭ ହେବାକୁ ଯାଉଥିବାରୁ ତାକୁ ନେଇ ବିହାର ତଥା ସମଗ୍ର ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି।

Leave A Reply

Your email address will not be published.