Latest Odisha News

BREAKING NEWS

ବିଦେଶରେ ବଢ଼ୁଛି ଭାରତୀୟ ବଂଶୋଦ୍ଭବଙ୍କ ପ୍ରଭାବ : ଡକ୍ଟର ମୁଲେ

ଭୁବନେଶ୍ୱର: ପ୍ରାୟ ୧୦ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଆସିଆନ୍ ଦେଶ ଗୁଡ଼ିକରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି । ଆମ ଦେଶର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ବିଦେଶ ଯାଇ ଉଚ୍ଚ ଶିକ୍ଷା ଲାଭ କରିପାରିବାରେ ଅଧିକ ଆଗ୍ରହ ରଖୁଛନ୍ତି । ଭାରତୀୟ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ କେବଳ ଆମେରିକାରେ ପାଠ ପଢ଼ାଇବା ପାଇଁ ବର୍ଷକୁ ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ଜାତୀୟ ମାନବାଧିକାର କମିଶନର ସଦସ୍ୟ ଡଃ ଧନେଶ୍ୱର ମନୋହର ମୁଲେ । ‘ଭାରତର ବିକାଶ କ୍ଷେତ୍ରରେ ବିଦେଶରେ ରହୁଥିବା ଭାରତୀୟ ମାନଙ୍କର ଅବଦାନ’ ସମ୍ପର୍କରେ ଆଲୋକପାତ କରି ଡଃ ମୁଲେ କହିଥିଲେ ଯେ କେବଳ ଆମେରିକାକୁ ପ୍ରତ୍ୟେକ ବର୍ଷ ପ୍ରାୟ ୧ ଲକ୍ଷ ଭାରତୀୟ ବଭିନ୍ନ କାରଣ ନିମନ୍ତେ ଯାଉଛନ୍ତି ।

ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନଥ, ସିଂଗାପୁରର ପୂର୍ବତନ ରାଷ୍ଟ୍ରପତି ଏସ୍.ଆର୍ ନାଥନ୍ ଏବଂ ଇଂଲଣ୍ଡର ଗୃହମନ୍ତ୍ରୀ ପ୍ରୀତି ପଟେଲ୍ ଭାରତୀୟ ବଂଶୋଦ୍ଭବ । କେବଳ ସେତିକି ନୁହେଁ ଗୁଗୁଲ୍, ମାଇକ୍ରୋସଫ୍ଟ ଏବଂ ପେପ୍ସିର ସିଇଓ ଭାରତୀୟ ବଂଶୋଦ୍ଭବ । ଏମାନଙ୍କ ପାଇଁ ସାରା ଦେଶ ଗର୍ବିତ । ବିଦେଶରେ ୩ କୋଟିରୁ ଅଧିକ ଭାରତୀୟ ବସବାସ କରୁଥିବା ଡଃ ମୁଲେ କହିଛନ୍ତି । କେବଳ ୟୁଏସ୍ଏରେ ୪୨ ଲକ୍ଷ ଭାରତୀୟ ରହୁଥିବା ବେଳେ ଏମାନଙ୍କ ମଧ୍ୟରେ ୬୦ ହଜାର ଅଧ୍ୟାପକ ଓ ୧ ଲକ୍ଷ ଡାକ୍ତର ଭାରତୀୟ ଅଟନ୍ତି । ସେହିପରି ୟୁଏଇ, କାତାର, ଓମାନ୍ ଓ ୟେମେନ୍ ଇତ୍ୟାଦି ଗଲ୍ଫ ଦେଶରେ ଅନେକ ସଂଖ୍ୟକ ଭାରତୀୟ ଅଛନ୍ତି । ମାଲେସିଆରେ ୩୦ ଲକ୍ଷ, ୟୁକେରେ ୧୮ ଲକ୍ଷ, ୟୁଏଇରେ ୩୧ ଲକ୍ଷ, ସାଉଦି ଆରବରେ ୪୧ ଲକ୍ଷ, ଦକ୍ଷିଣ ଆଫ୍ରିକାରେ ୧୫ ଲକ୍ଷ ଏବଂ ଶ୍ରୀଲଙ୍କାରେ ୧୬ ଲକ୍ଷ ଭାରତୀୟ ବସବାସ କରୁଛନ୍ତି ବୋଲି ତଥ୍ୟ ରଖିଛନ୍ତି ଡଃ ମୁଲେ ।

ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପୃକ୍ତ ଦେଶଗୁଡ଼ିକର ନାଗରିକତ୍ୱ ଗ୍ରହଣ କରିସାରିଥିବା ବେଳେ ସେମାନେ ପ୍ରାୟତଃ ଆଉ ଭାରତ ଫେରିବାକୁ ଚାହୁଁନାହାନ୍ତି । ତେବେ ୧୫ ଓ ୨୦ ବର୍ଷ ରହିବା ପରେ ସେମାନଙ୍କ ମଧ୍ୟରୁ ଅନେକ ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । କେତେକ ଭାରତୀୟ ବଂଶୋଦ୍ଭବ ବିଦେଶରେ ଥିଲେ ମଧ୍ୟ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି ।
ତେବେ ଛାତ୍ରଛାତ୍ରୀମାନେ ବିଦେଶକୁ ଉଚ୍ଚଶିକ୍ଷା ପାଇଁ ଗଲେ ମଧ୍ୟ ନିଜ ଦେଶର ବିକାଶ କ୍ଷେତ୍ରରେ ଆଗ୍ରହ ରଖିବା ଉଚିତ୍ ବୋଲି ଡଃ ମୁଲେ କହିଛନ୍ତି ।

Leave A Reply

Your email address will not be published.