ଭୁବନେଶ୍ୱର: ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କମିବା ନେଇ ସାଧାରଣ ଗ୍ରାହକଙ୍କ ମଧ୍ୟରେ ବଡ଼ ଆଶା ସୃଷ୍ଟି ହୋଇଛି।
ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ଥମିବା ଏବଂ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାପକ ଭାବେ ହ୍ରାସ ପାଇଛି। ଦିନେ ବ୍ୟାରେଲ ପିଛା ୧୨୦ ଡଲାର ଟପିଥିବା କ୍ରୁଡ୍ ଅଏଲ୍ ଏବେ ପ୍ରାୟ ୭୮ ଡଲାରକୁ ଖସି ଆସିଛି।
ତେବେ ବିଶ୍ୱ ବଜାରରେ ଏହି ବଡ଼ ଧରଣର ମୂଲ୍ୟ ହ୍ରାସ ସତ୍ତ୍ୱେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ତୁରନ୍ତ କମିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆନ୍ତର୍ଜାତୀୟ ସ୍ତରରେ ଦର କମିବା କ୍ଷଣି ଘରୋଇ ବଜାରରେ ତୁରନ୍ତ ମୂଲ୍ୟ ହ୍ରାସ କରିବା ସମ୍ଭବ ନୁହେଁ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କମ ଦରରେ କିଣାଯାଇଥିବା ଅଶୋଧିତ ତୈଳ ଭାରତରେ ପହଞ୍ଚିବା ପାଇଁ କିଛି ସମୟ ଲାଗିବ। ହରମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ ହେବା ପରେ ହିଁ ଏହାର ସୁଫଳ ମିଳିପାରିବ।
ଏହା ସହିତ ପୂର୍ବରୁ ଅଧିକ ଦର ଥିବା ସମୟରେ ତୈଳ କମ୍ପାନୀଗୁଡ଼ିକ ଏବଂ ସରକାର ଯେଉଁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଥିଲେ, ତାହାର ଭରଣା କରିବା ମଧ୍ୟ ଜରୁରୀ। ସରକାର ପ୍ରାୟ ୧,୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ନିଜ ଉପରକୁ ନେଇ ଗ୍ରାହକଙ୍କୁ ସୁରକ୍ଷା ଦେଇଥିଲେ। ତେଣୁ ବର୍ତ୍ତମାନ ସ୍ଥିତିରେ ତୈଳ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ବଜାରର ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାକୁ ଦେଖି ହିଁ ପରବର୍ତ୍ତୀ ସମୟରେ ଉଚିତ ନିଷ୍ପତ୍ତି ନିଆଯିବ।
ବର୍ତ୍ତମାନ ପାଇଁ ଖାଉଟିଙ୍କୁ ଶସ୍ତା ତେଲ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଆଗାମୀ ଦିନରେ ଆନ୍ତର୍ଜାତୀୟ ବଜାରର ସ୍ଥିତି ଏବଂ ଘରୋଇ ଆବଶ୍ୟକତାକୁ ସମୀକ୍ଷା କରି ସରକାର ଖୁଚୁରା ମୂଲ୍ୟ ହ୍ରାସ କରିବା ଉପରେ ବିଚାର କରିବେ ବୋଲି ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି।
