Latest Odisha News

BREAKING NEWS

ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଆହୁରି ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ବିଭିନ୍ନ ଜିଲ୍ଲାକୁ ସିଭିୟର ହିଟ ୱେବ ଜାରି କରାଯାଇଛି ।

ଯଦିଓ କିଛି ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି, କିନ୍ତୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ଲହରି ଜାରି ରହିଛି। ଏହି ସ୍ଥିତି ଆହୁରି ୪ ରୁ ୫ ଦିନ ଲାଗିରହିବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଆଜି ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇ ସତର୍କ କରାଯାଇଛି। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୨ ଜିଲ୍ଲା ବଲାଙ୍ଗୀର, ସୋନପୁର, ଗଞ୍ଜାମ, ମାଲକାନଗିରି, ଭଦ୍ରକ, ଜୟପୁର, ଦେବଗଡ, ସମ୍ବଲପୁର, ନୂଆପଡା, ଝାରସୁଗୁଡା, ଗଜପତି, ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଦିନ ୧୧ଟାରୁ ୩ଟା ମଧ୍ଯରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ସାମୁଦ୍ରିକ ଝଡ଼ର ପ୍ରଭାବ ରହିଲେବି ରାଜ୍ୟରେ ଗରମ ଅନୁଭୂତ ହେବ । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.