Latest Odisha News

BREAKING NEWS

ଚର୍ଚ୍ଚାରେ ଜୁରେଲଙ୍କ ଟାଟୁ

କୋଲମ୍ବୋ – କୋଲମ୍ବୋ ଟେଷ୍ଟରେ ଭାରତର ଦମ୍‌ଦାର ପ୍ରଦର୍ଶନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଦୃଢ଼ ସ୍ଥିତି ଜାହିର କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ ଧ୍ରୁବ ଜୁରେଲ ଏବଂ ଋଷଭ ପନ୍ତ। ଧ୍ରୁବ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିବା ସହ ଅପରାଜିତ ୧୧୫ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଶତକ ପୂରଣ କରିବା ପରେ ସେ ହେଲମେଟ୍ ଓହ୍ଲାଇ ନିଜ ବାମ ହାତରେ ଥିବା ‘ଜୟ ଯବାନ-ଜୟ କିଶାନ’ ଟାଟୁ ଦେଖାଇ ବିଶେଷ ଶୈଳୀରେ ଉତ୍ସବ ପାଳନ କରିଥିଲେ। ତେବେ ୯୯ ରନ୍‌ରୁ ୧୦୦ ରନ୍‌ରେ ପହଞ୍ଚିବା ପାଇଁ ତାଙ୍କୁ ୧୩ଟି ବଲ୍ ଅପେକ୍ଷା କରିବାକୁ ପଡ଼ିଥିଲା। ଶ୍ରୀଲଙ୍କା ମାଟିରେ ୭ମ କିମ୍ବା ତା’ଠାରୁ ତଳ କ୍ରମରେ ବ୍ୟାଟିଂ କରି ଶତକ ହାସଲ କରିବାରେ ଜୁରେଲ ଦ୍ୱିତୀୟ ଭାରତୀୟ ବ୍ୟାଟର ବନିଛନ୍ତି। ଅନ୍ୟପଟେ, ପ୍ରଥମ ଦିନରେ ଆହାତ ହୋଇ ରିଟାୟାର୍ଡ ହର୍ଟ ହୋଇଥିବା ଋଷଭ ପନ୍ତ ଦ୍ୱିତୀୟ ଦିନରେ ପୁଣି ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ। ସେ ୮୯ ବଲ୍‌ରୁ ୬୩ ରନ୍‌ର ଧମାକାଦାର ଇନିଂସ ଖେଳିଥିଲେ। ଏହି ସମୟରେ ଲାହିରୁ କୁମାରାଙ୍କ ବଲ୍‌ରେ ସେ ମାରିଥିବା ୯୫ ମିଟର ଲମ୍ବା ବିଶାଳ ଛକାଟି ଷ୍ଟାଡିୟମ୍ ଛାତରେ ଲଗାଯାଇଥିବା ସୋଲାର ପ୍ୟାନେଲ୍‌ରେ ବାଜିଥିଲା, ଯାହା ଫଳରେ ନୂଆ ବଲ୍ ମଗାଇବାକୁ ପଡ଼ିଥିଲା।ଏହି ସୁନ୍ଦର ଇନିଂସ ବଳରେ ପନ୍ତ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ବିଦେଶ ମାଟିରେ ଭାରତୀୟ ୱିକେଟକିପର ଭାବେ ସବାଧିକ ଟେଷ୍ଟ ରନ୍ ସଂଗ୍ରହ ମାମଲାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ (୨,୪୯୬ ରନ୍) ପଛରେ ପକାଇଛନ୍ତି। ପନ୍ତଙ୍କ ବିଦେଶରେ ଟେଷ୍ଟ ରନ୍ ସଂଖ୍ୟା ଏବେ ୨,୫୩୪ରେ ପହଞ୍ଚିଛି। ଏହାସହ ଟେଷ୍ଟ କ୍ରିକେଟରେ ୧୦୨ଟି ଛକା ମାରି ସେ ଆଡାମ୍ ଗିଲକ୍ରିଷ୍ଟଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Leave A Reply

Your email address will not be published.